Unknown

 

 

 

 

 

 

 

ଶ୍ରୀ

 

Haggard H. Rider

[ସାର୍ ଏଚ୍. ରାଇଡର ହାଗାର୍ଡଙ୍କ ଉପନ୍ୟାସ 'she' ର ସଂକ୍ଷିପ୍ତ ଓଡ଼ିଆ ଅନୁବାଦ]

 

ଅନୁବାଦକ

ଅଧ୍ୟାପକ ଶ୍ରୀଧର ଦାସ

 

ମୁଁ କିପରି ଲୁହା ବାକ୍‍ସ ପାଇଲି ?

 

ମୋର ନାମ ଲଡ୍ଉଇଗ୍ ହୋରେସ୍ ହୋଲି । ପ୍ରାୟ କୋଡ଼ିଏ ବର୍ଷ ତଳର ଘଟନା । ଦିନେ ରାତିରେ ମୁଁ କେମ୍ବ୍ରିଜରେ ଗୋଟିଏ ଘରେ ବସି ପଢ଼ୁଥିଲି । ସପ୍ତାହକ ପରେ ବିଶ୍ଵବିଦ୍ୟାଳୟର ଅଧ୍ୟାପକ ପଦ ପାଇଁ ଗୋଟିଏ ପରୀକ୍ଷା ଦେବାକୁ ଥାଏ । ମୁଁ ସେହି ପରୀକ୍ଷାପାଇଁ ପ୍ରସ୍ତୁତ ହେଉଥିଲି-

 

ମୁଁ ଯେ ଦେଖିବାକୁ କଦାକାର, ସେକଥା ସମସ୍ତେ ଜାଣନ୍ତି; ମୁଁ ମଧ୍ୟ ଜାଣେ । ତେଣୁ କେହି ମୋ ସଙ୍ଗେ ବନ୍ଧୁତା କରିବାକୁ ଇଚ୍ଛା କରୁ ନଥିଲେ । ମୁଁ ନିଜକୁ ଅନ୍ୟମାନଙ୍କଠାରୁ ଦୂରରେ ରଖୁଥିଲି । ବୋଧହୁଏ ଭଗବାନ ମୋର ଚେହେରାର ଅଭାବ ପୁରଣ କରିବାପାଇଁ ମୋ ଦେହରେ ପ୍ରଚୁର ବଳ ଦେଇଥିଲେ । ମୋର କୁତ୍ସିତ ଚେହେରା ଯୋଗୁଁ ଲୋକେ ମୋତେ ବାନର ଆଖ୍ୟା ଦେବାକୁ କୁଣ୍ଠିତ ନଥିଲେ । ଫଳତଃ ମୁଁ ବନ୍ଧୁହୀନ ଜୀବନ କଟାଉଥିଲି । ମୋର ସବୁଠାରୁ ବଡ଼ ଭୟ ଥିଲା ନାରୀଜାତି ପ୍ରତି । କେମ୍ବ୍ରିଜରେ ପଢ଼ୁଥିବା ସମୟରେ ମୋର ଜଣେମାତ୍ର ବନ୍ଧୁଥିଲେ । ତାଙ୍କର ନାମ ଭିନ୍‍ସି । ସେ ସୁନ୍ଦରପଣରେ ଯେ ଅଦ୍ଵିତୀୟ ଥିଲେ, ତାହା ଯେ କେହି ସ୍ୱୀକାର କରିବାକୁ ବାଧ୍ୟ ।

 

ଥରେ ଭିନ୍‍ସି ରୋଗରେ ପଡ଼ିଥାନ୍ତି । ଶୀତ ଦିନର ରାତି । ମୁଁ ରାତି ଅଧରେ ମୋ ଘରେ ବସି ପଢ଼ୁଥାଏ । ଏହି ସମୟରେ କେହି ଜଣେ ଦ୍ୱାରରେ ଆଘାତ କଲା । ନିଜେ ଭିନ୍‍ସି ବା ତାଙ୍କର କେହି ଲୋକ ଡାକୁଥିବା ଅନୁମାନ କରି ମୁଁ ଦ୍ୱାର ଫିଟାଇଦେଲି ।

 

ଦ୍ୱାରମୁହଁରେ ଭିନ୍‍ସିଙ୍କୁ ଦେଖିଲି । ସେ କାନ୍ଧରେ ଗୋଟିଏ ଲୁହାର ବାକ୍‍ସ ଧରିଥିଲେ । ତାଙ୍କ ପାଟିରୁ ରକ୍ତର ଧାର ବୋହୁଥିଲା । ଯନ୍ତ୍ରଣାରେ ତାଙ୍କ ମୁଖ ବିକୃତ ଓ ବିବର୍ଣ୍ଣ ଦିଶୁଥିଲା । ସେ ଘରଭିତରକୁ ପଶିଯାଇ ବାକ୍‍ସଟାକୁ ଟେବୁଲ ଉପରେ ରଖିଦେବା ସଙ୍ଗେ ସଙ୍ଗେ ଗୋଟାଏ ଚଉକିରେ ଆଉଜି ବସିପଡ଼ିଲେ । ସେ କିଛି କହିପାରୁ ନଥିଲେ । ମୁଁ ଗୋଟିଏ ଗ୍ଲାସରେ କିଛି ମଦ ନେଇ ତାଙ୍କୁ ପିଆଇଦେଲି । ସେ ଟିକିଏ ସୁସ୍ଥ ହେଲାପରି ମନେହେଲା ।

 

ମୁଁ ଜଣେ ଡାକ୍ତରଙ୍କୁ ଡାକିବାପାଇଁ ବାହାରିବାରୁ ଭିନ୍‍ସି କହିଲେ, ‘‘ହୋଲି, ଡାକ୍ତରଙ୍କୁ ଡାକିବା ଦରକାର ନାହିଁ । ମୋର ଶେଷ ସମୟ ଉପସ୍ଥିତ । ମୋର ତୁମକୁ କିଛି ଅନୁରୋଧ ଅଛି । ବସି ଶୁଣ । ବେଶି ସମୟ ନାହିଁ; ତେଣୁ ସଂକ୍ଷେପରେ କହିଯାଉଛି । ଆଚ୍ଛା, ପ୍ରାୟ ଦୁଇବର୍ଷ ହେଲା ଆମେ ବନ୍ଧୁଭାବରେ ଚଳିଆସିଥାଏଁ । ତୁମେ ମୋ ବିଷୟରେ କଅଣ ଜାଣ କହିଲ ?’’

 

ମୁଁ କହିଲି, ‘‘ଭିନ୍‍ସି, ମୁଁ ଜାଣେ ତୁମେ ଧନୀ; ଟିକିଏ ବେଶି ବୟସରେ ବିବାହ କଲା ପରେ ବିଶ୍ଵବିଦ୍ୟାଳୟକୁ ପଢ଼ିବାପାଇଁ ଆସିଥିଲ । ତୁମ ସ୍ତ୍ରୀଙ୍କର ମୃତ୍ୟୁ ହୋଇଛି । ଆଉ ମୁଁ ଜାଣେ, ତୁମେ ମୋର ପ୍ରଧାନ ବନ୍ଧୁ-ଏକମାତ୍ର ବନ୍ଧୁ କହିଲେ ଚଳେ ।’’

 

ଭିନ୍‍ସି କହିଲେ,’’ହଁ, ତୁମେ ସବୁ ଜାଣ; କିନ୍ତୁ ଗୋଟିଏ କଥା ଜାଣ ନାହିଁ । ମୋର ଗୋଟିଏ ପୁଅ ଅଛି । ମୋର ସ୍ତ୍ରୀ ସେହି ପୁଅଟିକୁ ଜନ୍ମ କଲା ପରେ ପ୍ରସବ ବେଦନାରେ ପ୍ରାଣ ହରାଇଥିଲା ।’’

 

ମୁଁ ବିସ୍ମିତ ହୋଇ କହିଲି,’’ସେକଥା ତୁମେ ମୋତେ କେବେ କହି ନଥିଲ ।’’

 

ଭିନ୍‍ସି କହିବାକୁ ଲାଗିଲେ,’’ହଁ, ମୁଁ କେବେ କହିନାହିଁ, ସେକଥା ସତ । ଏବେ ମୁଁ ଚାହେଁ, ତୁମେ ତାର ଅଭିଭାବକ ହେବ ।

ଅନେକ ଦିନ ହେଲା ତାକୁ କାହା ହାତରେ ଦେଇଯିବି ବୋଲି ଭାବୁଛି । ଶେଷରେ ତୁମ ଉପରେ ତାର ଭାର ଦେବାକୁ ସ୍ଥିର କରିଛି । ତୁମେ ସତ୍, ଦୟାଳୁ, ପରୋପକାରୀ । ତୁମ ଦେହରେ ବଳ ଅଛି । ତୁମେ ହିଁ ତାର ଭାର ନେଇପାରିବ ।’’

ମୁଁ ଅସ୍ଥିର ହୋଇ ଉଠିଲି । ଭିନ୍‍ସି କହିଲେ, ‘‘ନା ବନ୍ଧୁ, ମୋର ଏ ଅନ୍ତିମ ଅନୁରୋଧ ରଖିବାକୁ ହେବ । ମୁଁ ଯାହା କହୁଛି, ଶୁଣିଯାଅ । ଏ ପୁଅଟି ସାଧାରଣ ପିଲା ନୁହେ । ଏ ହେଉଛି ପୃଥିବୀର ଏକ ପ୍ରାଚୀନତମ ବଂଶର ଶେଷ ସନ୍ତାନ । ତୁମେ ଏହା ଶୁଣି ଉପହାସ କରିପାର; କିନ୍ତୁ ଦିନେ ଏହାର ନିଃସନ୍ଦେହ ପ୍ରମାଣ ପାଇବ । ମୋର ପୂର୍ବପୁରୁଷ ଜଣେ ଗ୍ରୀକ୍ ସୈନିକ ଥିଲେ । ପ୍ରାୟ ଦୁଇହଜାର ବର୍ଷ ତଳେ ସେ ଇଜିପ୍‍ଟର ଫାରାଓଙ୍କ ଅଧୀନରେ କାର୍ଯ୍ୟ କରୁଥିଲେ । ତାଙ୍କଠାରୁ ମୋ ପର୍ଯ୍ୟନ୍ତ ପଞ୍ଚଷଠି ପୁରୁଷ ଗତ ହୋଇ ଗଲାଣି; ସେହି ସୈନିକଙ୍କର ନାମ ଥିଲା କାଲିକ୍ରେଟସ । ତୁମେ ଜାଣ ଗ୍ରୀକ୍ ‘କାଲି’ ଶବ୍ଦର ଅର୍ଥ ହେଉଛି ସୁନ୍ଦର ଓ ‘କ୍ରେଟସ’ର ଅର୍ଥ ହେଉଛି ଶକ୍ତି ବା ବଳ । ସେ ନିଜର ନାମକୁ ସାର୍ଥକ କରିଥିଲେ । ସେ ଯେପରି ସୁନ୍ଦର ଥିଲେ, ସେହିପରି ବଳଶାଳୀ ମଧ୍ୟ ଥିଲେ ।

‘‘ଏହି ସୈନିକଙ୍କର ଗୋଟିଏ ପୁଅ ଥିଲା । ସେ ପିତାଙ୍କ ପରି ସୈନିକ ନ ହୋଇ 'ଆଇସିସ୍' ଦେବତାଙ୍କର ପୁରୋହିତ ହୋଇ ରହିଲା । ଏହି ଦ୍ୱିତୀୟ କାଲିକ୍ରେଟସ ଦେବମନ୍ଦିରରେ ଥିବା ସମୟରେ ଫାରାଓ ରାଜବଂଶର କୌଣସି କନ୍ୟା ମନ୍ଦିରକୁ ଆସିଥିଲେ । ଏହିଠାରୁ ଦୁହିଁଙ୍କ ମଧ୍ୟରେ ପ୍ରଣୟ ଜାତ ହେଲା । ପ୍ରେମ ସ୍ଥାନ ଅସ୍ଥାନ ବିଚାର ରଖେ ନାହିଁ । ସେ ଦୁହେଁ ଗୋପନରେ ଇଜିପ୍‍ଟ ତ୍ୟାଗକରି ଗୋଟିଏ ଜାହାଜରେ ବସି ପଳାଇଲେ । ଦୁର୍ଭାଗ୍ୟବଶତଃ ଆଫ୍ରିକାର ଉପକୂଳରେ ଜାହାଜଟି ଗୋଟିଏ ଝଡ଼ର ସମ୍ମୁଖୀନ ହେଲା । କେବଳ କାଲିକ୍ରେଟସ ଓ ରାଜକନ୍ୟାଙ୍କ ଛଡ଼ା ଅନ୍ୟ ସମସ୍ତେ ମୃତ୍ୟୁମୁଖରେ ପଡ଼ିଲେ; ଜାହାଜ ଧ୍ଵଂସ ପାଇଲା ।

‘‘ଏହି ଅଞ୍ଚଳରେ ଏକ କୃଷ୍ଣକାୟ ବନ୍ୟଜାତି ବାସ କରୁଥିଲେ । କିନ୍ତୁ ସେମାନଙ୍କର ରାଣୀ ଶ୍ୱେତକାୟ । ସେହି ରାଣୀ ଏ ଦୁହିଁଙ୍କୁ ଉଦ୍ଧାର କରି ତାଙ୍କ ଘରେ ଆଶ୍ରୟ ଦେଲେ । ପରେ ଏହି ରାଣୀ କାଲିକ୍ରେଟସଙ୍କୁ ହତ୍ୟାକଲେ; ରାଜକନ୍ୟା ନିଜର ସନ୍ତାନସହ ଗ୍ରୀସ୍‍କୁ ପଳାଇଆସିଲେ-। ମୁଁ ଯେଉଁ ଲେଖାଗୁଡ଼ିକ ଦେଇଯାଉଛି, ସେଥିରୁ ଏହାର ବିଶଦ ବିବରଣ ପାଇବ-

‘‘ରାଜକନ୍ୟାଙ୍କର ଏହି ପୁଅଟିର ସଂଜ୍ଞା ହେଲା ଭିଣ୍ଡେକ୍‍ସ । ସେହିଦିନଠାରୁ ତାଙ୍କ ବଂଶରେ ପରମ୍ପରାକ୍ରମେ ଏହି ଭିଣ୍ଡେକ୍‍ସ ସଂଜ୍ଞା ଚଳି ଆସୁଅଛି । ଏହି ଲାଟିନ୍ ଶବ୍ଦର ଅର୍ଥ ହେଉଛି ‘ପ୍ରତିହିଂସା’ । ଭିଣ୍ଡେକ୍‍ସ ବଂଶ ସମୟକ୍ରମେ ଗ୍ରୀସ୍‍ରୁ ରୋମ୍, ରୋମ୍‍ରୁ ଫ୍ରାନ୍‍ସ ଓ ଫ୍ରାନ୍‍ସରୁ ଇଂଲଣ୍ଡକୁ ଯାଇଅଛନ୍ତି ଏବଂ ଭିଣ୍ଡେକ୍‍ସ ଭିନ୍‍ସିରେ ପରିଣତ ହୋଇଅଛି ।

"ଏହି ବାକ୍‍ସରେ ଭିତରେ ଯେଉଁ ଜିନିଷଗୁଡ଼ିକ ଅଛି, ସେଗୁଡ଼ିକ ପୁରୁଷାନୁକ୍ରମେ ବାପ ପୁଅକୁ ଦେଇଆସୁଛି । ମୁଁ ଏଗୁଡ଼ିକ ମୋର ବାପାଙ୍କଠାରୁ ପାଇଥିଲି । ଆମ ବଂଶରେ ଗୋଟାଏ ବିଶ୍ଵାସ ରହି ଆସିଛି ଯେ କେହି ହେଲେ ଜଣେ ସେହି ଶ୍ଵେତାଙ୍ଗ ରାଣୀଙ୍କ ଉପରେ ପ୍ରତିହିଂସା ନେବ । ମୁଁ ସେହି କର୍ତ୍ତବ୍ୟ ପାଳନ କରିବାକୁ ଚେଷ୍ଟା କରିଥିଲି । ବାକ୍‍ସ ଭିତରେ ଥିବା ଲେଖା ଅନୁସାରେ ମୁଁ ସେହି ସ୍ଥାନର ସନ୍ଧାନରେ ଯାଇଥିଲି । ବିଫଳ ହୋଇ ଆଫ୍ରିକାରୁ ଫେରିଲାବେଳେ ମୋର ବିବାହ ହୋଇଥିଲା । ଲିଓ ହେଉଛି ସେହି ବିବାହର ଫଳ । ମୁଁ ଭାବିଲି, ଆଉଥରେ ଚେଷ୍ଟା କରିବା ପୂର୍ବରୁ ମୋର ଆରବୀ ଭାଷା ଶିଖିବା ଉଚିତ । ସେହି ଉଦ୍ଦେଶ୍ୟରେ ମୁଁ ବିଶ୍ଵବିଦ୍ୟାଳୟରେ ପ୍ରବେଶ କରିଥିଲି । କିନ୍ତୁ ମୋର ଶିକ୍ଷା ଶେଷ ନହେଉଣୁ ମୋତେ ସଂସାରରୁ ବିଦାୟ ନେବାକୁ ହେଉଛି ।’’

ଭିନ୍‍ସିଙ୍କର ଅବସ୍ଥା ଆହୁରି ଖରାପ ହୋଇ ଆସୁଥିଲା । ତାଙ୍କର ଶ୍ୱାସରୋଧ ହେଉଥିଲା, କଥା କହିବାକୁ ମଧ୍ୟ କଷ୍ଟ ହେଉଥିଲା । ତାଙ୍କର ମୃତ୍ୟୁ ଆସନ୍ନ ବୋଲି ମୁଁ ବୁଝିପାରିଲି ।

ସେ କହିଲେ,’’ମୋ ଅନ୍ତେ ତୁମେ ମୋ ପୁଅ ଲିଓର ଅଭିଭାବକ ହେବ । ମୋ ପୁଅ ଯେଉଁ ସବୁ ବିଷୟ ପଢ଼ିବ, ତାହା ମୁଁ ଖଣ୍ଡିଏ କାଗଜରେ ଲେଖି ଦେଇଛି । ତାକୁ ପଚିଶ ବର୍ଷ ହେଲେ ଏହି ବାକ୍‍ସ ଖୋଲାଯିବ । ସେଥିରେ ଯାହା ଅଛି ତାକୁ ସେ ପଢ଼ି ନିଜର କର୍ତ୍ତବ୍ୟ ସ୍ଥିର କରିବ । ମୋର ସମ୍ପତ୍ତିର ଅର୍ଦ୍ଧେକ ମୁଁ ତୁମ ନାମରେ ଲେଖିଦେଇଛି । ସେଥିରେ ଓ ତୁମର ବେତନରେ ତୁମେ ଦୁହେଁ ସ୍ଵଚ୍ଛନ୍ଦରେ ଚଳିପାରିବ ।’’

ଏପରି ଅବସ୍ଥାରେ ବନ୍ଧୁଙ୍କର ଅନୁରୋଧ ଉପେକ୍ଷା କରିବାର ଉପାୟ ନଥିଲା । ତାଙ୍କର କଣ୍ଠ ରୁଦ୍ଧ ହୋଇଗଲା । ‘‘ବିଦାୟ’’ ଏତିକି ମାତ୍ର କହି ସେ ଆଖି ମୁଦିଦେଲେ । ଚିରକାଳ ପାଇଁ ସେ ବିଦାୟ ନେଇ ଚାଲିଗଲେ । ମୁଁ ଭାବିବାକୁ ଲାଗିଲି-ଭିନ୍‍ସି କଣ ଶେଷ ଅବସ୍ଥାରେ ପାଗଳ ହୋଇଯାଇଥିଲେ ? ମୁଁ ତାଙ୍କଠାରୁ ଏପରି କଥା କେବେ ଶୁଣି ନଥିଲି । କିନ୍ତୁ ମୁଁ ମୋର ଦାୟିତ୍ୱ ବୁଝି ପାରିଲି । ମୋତେ ତାଙ୍କର ପାଞ୍ଚବର୍ଷ ବୟସର ପୁଅଟିକୁ ଲାଳନପାଳନ କରିବାକୁ ହେବ ।

ସେଦିନ ରାତ୍ରିରେ ମୋତେ ଆଦୌ ନିଦ ହେଲାନାହିଁ ।

Image

 

ଲିଓର ଶିକ୍ଷାଦୀକ୍ଷା

 

ବାକ୍‍ସଟିକୁ ନିରାପଦ ରଖିବା ନିମନ୍ତେ ମୁଁ ତାହାକୁ ନେଇ ଲଣ୍ଡନର ଗୋଟିଏ ବ୍ୟାଙ୍କ ଜିମାରେ ରଖାଇଦେଲି ।

 

କେମ୍ବ୍ରିଜରେ ଗୋଟିଏ ଘର ଭଡ଼ା ନେଇ ରହିଲି । ପିଲାଟିର ଯତ୍ନନେବା ନିମନ୍ତେ ଜଣେ ଯୁବକ ଭୃତ୍ୟ ନିଯୁକ୍ତ କଲି । ତାହାର ନାମ ଜବ୍ । ତାର ବାରଟି ଭାଇଭଉଣୀ ଥିଲେ । ସେ ସବୁଠାରୁ ବଡ଼ । ତେଣୁ ଛୋଟ ପିଲାଙ୍କର ଯତ୍ନ ନେବା ବିଷୟରେ ତାହାର କିଛି ଅଭିଜ୍ଞତା ଥିଲା ।

 

ଦିନେ ଜଣେ ବୃଦ୍ଧା ଲିଓକୁ ଆଣି ଉପସ୍ଥିତ ହେଲେ । ସେ ଲିଓକୁ ମୋପାଖେ ଛାଡ଼ିଗଲେ-। ତାଙ୍କର ବ୍ୟବହାରରୁ ଜାଣିଲି ଯେ ସେ ଲିଓକୁ ଆନ୍ତରିକ ଶ୍ରଦ୍ଧା କରୁଥିଲେ ।

 

ମୁଁ ଦେଖିଲି, ଲିଓର ଚେହେରା ଅବିକଳ ତାର ବାପାଙ୍କ ଚେହେରା ପରି । ମୁହଁର ଓ ବାଳର ରଙ୍ଗ ମଧ୍ୟ ଠିକ୍ ଭିନ୍‍ସିଙ୍କ ପରି । ଏଭଳି ସୁନ୍ଦର ପିଲା ମୁଁ କେବେ ଦେଖି ନଥିଲି । ପ୍ରଥମ ଦିନର ସେ ଅନୁଭୂତି ମୁଁ ଭୁଲି ପାରିବି ନାହିଁ । ମୁଁ ଗୋଟିଏ ଚଉକି ଉପରେ ବସିଥିଲି । ଲିଓ ଝରକା ପାଖେ ଛିଡ଼ା ହୋଇଥିଲା । ସୂର୍ଯ୍ୟ କିରଣ ଝରକାବାଟେ ତା ମୁଣ୍ଡର ବାଳ ଉପରେ ପଡ଼ି ଏକ ବିଚିତ୍ର ବର୍ଣ୍ଣ ସୃଷ୍ଟି କରୁଥିଲା । ଜବ୍ ଗୋଟିଏ କାଠଘୋଡ଼ା ଧରି ଘରର ଗୋଟିଏ କଣରେ ଛିଡ଼ା ହୋଇଥିଲା-। ପିଲାଟି କିଛି ସମୟ ଯାଏ ମୋ ଆଡ଼କୁ ଚାହିଁ ମୋ କୋଳକୁ ଦଉଡ଼ି ଆସି କହିଲା, ‘‘ମୁଁ ତୁମକୁ ବଡ଼ ଭଲପାଏ । ତୁମ ରୂପଟା ସିନା ଭଲ ନୁହେଁ, ମାତ୍ର ତୁମେ ଭାରି ଭଲ ମଣିଷ ।’’

 

ଲିଓର ଯତ୍ନ ନେବାରେ ମୁଁ ତ୍ରୁଟି କରିନଥିଲି । ଜବ୍ ତାର ସବୁ ତତ୍ତ୍ୱ ନେଉଥିଲା । ସେ ଯେତିକି ବଡ଼ ହେଲା, ସେତିକି ବେଶି ରୂପବାନ୍ ଓ ବଳବାନ୍ ହେଲା । ତାର ବାପାଙ୍କ ଶେଷ ଅନୁରୋଧ ମୁଁ ଭୁଲି ନଥିଲି । ତାର ଗ୍ରୀକ୍ ଓ ଆରବୀ ଭାଷା ଶିକ୍ଷା ବିଷୟରେ ବନ୍ଦୋବସ୍ତ କରିଦେଲି-। ଲିଓ ବଡ଼ ହେଲେ ତା ସହିତ ସାଙ୍ଗସୁଖ ହୋଇ ଚଳିବାର ସୁବିଧା ନିମନ୍ତେ ମୁଁ ମଧ୍ୟ ଆରବୀ ଭାଷା ଶିକ୍ଷା କଲି ।

 

ଲିଓକୁ ଅଠର ବର୍ଷ ହେଲା । ମୁଁ ତାକୁ କେମ୍ବ୍ରିଜ ବିଶ୍ଵବିଦ୍ୟାଳୟକୁ ପଠାଇଦେଲି । ବିଶ୍ଵବିଦ୍ୟାଳୟ ଶିକ୍ଷା ଶେଷକରି ସେ ଓକିଲାତି ପଢ଼ିଲା ।

 

ଏହି ଦୀର୍ଘ ସମୟ ଭିତରେ ଲିଓ ବିଷୟରେ ମୋର କୌଣସି ଚିନ୍ତା ବା ଅସୁବିଧା ହୋଇନଥିଲା । ଏବେ ଗୋଟିଏ ଅସୁବିଧା ଦେଖାଦେଲା । ଲିଓ ଭଳି ରୂପବାନ୍ ଯୁବକ କେହି ନଥିଲେ । ମୁଁ ଲକ୍ଷ୍ୟ କଲି, ଶତ ଶତ ଯୁବତୀ ତା ପ୍ରତି ଆକୃଷ୍ଟ ହେଉଥିଲେ । ଲିଓ ସେମାନଙ୍କ ପ୍ରତି ଭଦ୍ର ବ୍ୟବହାର ଦେଖାଉଥିଲେ ହେଁ କାହାରି ପ୍ରତି ଆସକ୍ତି ପ୍ରକାଶ କରୁନଥିଲା । ସେ ନିଜର ପଢ଼ା, ଖେଳ ଓ ସଙ୍ଗୀମାନଙ୍କ ସହ କଥାବାର୍ତ୍ତାରେ ବେଶି ଆଗ୍ରହ ପ୍ରକାଶ କରୁଥିଲା । ତେଣୁ ମୁଁ ତା ବିଷୟରେ ଚିନ୍ତିତ ନଥିଲି ।

Image

 

ଲୁହା ବାକ୍‍ସରେ କଅଣ ଥିଲା ?

 

କାଲି ଲିଓକୁ ପଚିଶ ବର୍ଷ ହେବ । ମୁଁ ତାକୁ ସଙ୍ଗରେ ନେଇ ଲଣ୍ଡନ ଗଲି । ଦୁହେଁ ଯାଇ ବ୍ୟାଙ୍କରୁ ଲୁହା ବାକ୍‍ସଟି ଆଣି କେମ୍ବ୍ରିଜକୁ ଫେରିଆସିଲୁ । ପରଦିନ ଲିଓର ଜନ୍ମଦିନ । ସକାଳେ ଖିଆପିଆ ସାରି ବାକ୍‍ସ ଖୋଲିବୁ ବୋଲି ସ୍ଥିର ହେଲା ।

 

ତତ୍ପରଦିନ ସକାଳେ ଭୋଜନ ପରେ ଆମେ ଦୁହେଁ ବୈଠକ ଖାନାରେ ବସିଲୁ । ଜବ୍ ବାକ୍‍ସଟିକୁ ଟେବୁଲ ଉପରେ ରଖିଦେଇ ବାହାରି ଯାଉଥିଲା । ମୁଁ ତାକୁ ରହିବାକୁ କହିଲି । ଲିଓକୁ କହିଲି, ‘‘ଆଶାକରେ ଜବ୍ ଏଠାରେ ରହିବାରେ ତୁମର କିଛି ଆପତ୍ତି ନାହିଁ । ବିଶେଷତଃ ବାକ୍‍ସ ଖୋଲିଲାବେଳେ ଆମ ଦୁହିଁଙ୍କ ଛଡ଼ା ଜଣେ ତୃତୀୟ ଲୋକ ଥିବା ଭଲ ।’’ ଏଥିରେ ଲିଓ ମୋ ସହିତ ପୂର୍ଣ୍ଣ ଏକମତ ହେଲା ।

 

ଲିଓଙ୍କ ବାପା ଭିନ୍‍ସି ମୋତେ ତିନୋଟି ଚାବି ଦେଇ ଯାଇଥିଲେ । ମୁଁ ସେଗୁଡ଼ିକୁ ଅତି ସାବଧାନରେ ରଖିଥିଲି । ମୁଁ ସେ ତିନୋଟି ଆଣି ଲିଓକୁ ଦେଖାଇଲି । ସେଥିମଧ୍ୟରୁ ଗୋଟିଏ ଆଧୁନିକ ଧରଣର । ଦ୍ୱିତୀୟଟି ଅତି ପୁରାତନ । ଅନ୍ୟଟି ଆଦୌ ଚାବି ପରି ଦିଶୁନଥିଲା । ଏହା ରୁପାରେ ତିଆରି ଗୋଟିଏ କୃଶ ସଦୃଶ ଓ ଏହାର ସୁକ୍ଷ୍ମ ଧାର ଥିଲା ।

 

ମୁଁ ପ୍ରଥମ ଚାବିଟି ନେଇ ଲୁହା ବାକ୍‍ସ ଖୋଲିଲି । ଏହାର ଉପର ପାଖଟି ଏତେ ଓଜନ ଯେ ଏହାକୁ ଟେକିବାପାଇଁ ଲିଓର ସାହାଯ୍ୟ ଆବଶ୍ୟକ ହେଲା । ଲୁହାବାକ୍‍ସ ଭିତରେ ଆଉ ଗୋଟିଏ ବାକ୍‍ସ ଥିଲା । ଏହା କାଠରେ ତିଆରି ଓ ଏହାର ରଙ୍ଗ କଳା । ଏହାର କେତେକ ଅଂଶ ଗୁଣ୍ଡ ହୋଇ ଯାଇଥିଲା । ସେଥିରୁ ମୁଁ ଅନୁମାନ କଲି ଯେ ଏହା ଅତି ପ୍ରାଚୀନ କାଳର ।

ଦ୍ୱିତୀୟ ଚାବି ସାହାଯ୍ୟରେ ମୁଁ ଏହି କାଠ ବାକ୍‍ସକୁ ଖୋଲିବାରୁ ତାହା ଭିତରେ ଗୋଟିଏ ରୁପାର ବାକ୍‍ସ ଦେଖିବାକୁ ମିଳିଲା ଏହାର ଲମ୍ବ ଓ ଓସାର ପ୍ରାୟ ଏକ ଫୁଟ ଓ ଉଚ୍ଚତା ଆଠ ଇଞ୍ଚ । ଏହା ଉପରେ ଅନେକଗୁଡ଼ିଏ ପ୍ରାଚୀନ ଇଜିପ୍‍ଟୀୟ ଅକ୍ଷର ଖୋଳା ଯାଇଥିଲା । ମୁଁ ଏହାକୁ ବାହାର କରି ରୁପା ଚାବି ସାହାଯ୍ୟରେ ଖୋଲିଲି ।

ଏହା ଭିତରେ ଅନ୍ୟାନ୍ୟ ପଦାର୍ଥ ମଧ୍ୟରେ ଖଣ୍ଡିଏ କାଗଜ ଥିଲା । ସେଥିରେ ମୋର ବନ୍ଧୁ ଭିନ୍‍ସିଙ୍କ ହସ୍ତାକ୍ଷରରେ ଲେଖାଥିଲା– ‘ଏହା ମୋର ପୁତ୍ର ଲିଓକୁ ଦିଆଗଲା ।’ ଏହା ତଳେ ଯେଉଁ କାଗଜଗୁଡ଼ିକ ଥିଲା, ସେଥିରେ ଲେଖାଥିଲା– ‘ପାତ୍ର ଉପରେ ଲେଖାଥିବା ଗ୍ରୀକ୍‍ର ଇଂରାଜୀ ଅନୁବାଦ ।’ ଏହି କାଗଜ ତଳକୁ ଅତି ପୁରୁଣା ହଳଦିଆ କନାରେ ବନ୍ଧା ହୋଇ କୌଣସି ପଦାର୍ଥ ଥିବାର ଦେଖିଲି । ମୁଁ କନାର ଗଣ୍ଠି ଫିଟାଇଲି । ଏହା ଭିତରେ ଥିଲା ଗୋଟିଏ ପାତ୍ରର କେତେକ ଭଗ୍ନ ଅଂଶ । ଭଗ୍ନ ପାତ୍ରର ଭିତର ପାଖେ ଅନେକ ଲେଖାଥିଲା । ଏ ଗୁଡ଼ିକ ଭିନ୍ନ ଭିନ୍ନ ଲୋକଙ୍କ ହାତରେ ଭିନ୍ନ ଭିନ୍ନ ଭାଷାରେ ଓ ବୋଧହୁଏ ଭିନ୍ନ ଭିନ୍ନ ସମୟରେ ଲେଖା ଯାଇଥିଲା । କିନ୍ତୁ ଉପର ପାଖର ଲେଖାଗୁଡ଼ିକ ଖୁବ୍ ଲଗାଲଗି ହୋଇଥିଲା । ଏହା ଗ୍ରୀକ୍ ଭାଷାରେ ଲିଖିତ ବୋଲି ମୁଁ ଜାଣି ପାରିଲି । ଏହି ଭଗ୍ନ ପାତ୍ରଟି କୌଣସି ସମୟରେ ଫାଟି ଦୁଇଖଣ୍ଡ ହୋଇଯାଇଥିଲା । ପରେ ଯୋଡ଼ା ଯାଇଥିବାର ଚିହ୍ନ ଦେଖାଯାଉଥିଲା ।

ବାକ୍‍ସରେ ଆଉ କିଛି ଅଛି କି ନା ଦେଖିବା ପାଇଁ ମୁଁ ହାତ ପୁରାଇ ଅଣ୍ଡାଳିଲି । ଗୋଟିଏ ଛୋଟ ମୁଣି ମିଳିଲା । ମୁଣିକୁ ଫିଟାଇବାରୁ ସେଥିରୁ ଗୋଟିଏ ମୁଦି ବାହାରିଲା । ସେଥିରେ ଖଣ୍ଡିଏ ଧୂସର ବର୍ଣ୍ଣର ପଥର ଖଞ୍ଜା ହୋଇଥିଲା । ପଥର ଉପରେ ପ୍ରାଚୀନ ଇଜିପ୍‍ଟୀୟ ଚିତ୍ର-ଅକ୍ଷରରେ ଯାହା ଖୋଳା ଯାଇଥିଲା, ତାର ଅର୍ଥ ହେଉଛି ‘ସୂର୍ଯ୍ୟଦେବତା ରା’ଙ୍କର ପୁତ୍ର ।’ ଏହାଛଡ଼ା ସେହି ମୁଣିରୁ ଲିଓର ମାଆଙ୍କର ଗୋଟିଏ ଛବି ବାହାରିଲା । ଏହାର ପଛପଟେ ଲେଖାଥିଲା ‘ମୋର ପ୍ରେମମୟୀ ପତ୍ନୀ’ ।

ଏହାଛଡ଼ା ବାକ୍‍ସରେ ଆଉ କିଛି ନଥିଲା ।

ଲିଓ ନିଜ ମାଆଙ୍କର ଛବିଟିକୁ କିଛି ସମୟ ଚାହିଁ ରଖିଦେଲା । ତତ୍ପରେ ଆମେ ସ୍ୱର୍ଗତ ଭିନ୍‍ସିଙ୍କର ଚିଠିଟି ପଢ଼ିବାକୁ ଆରମ୍ଭ କଲୁ । ସେଥିରୁ ଲେଖାଥିଲା–

ସ୍ନେହର ଲିଓ,

ଏ ଚିଠି ଖୋଲିବା ବେଳକୁ ତୋର ବୟସ ପଚିଶ ବର୍ଷ ହୋଇଥିବ । ସେତେବେଳକୁ ମୋର ପରିଚିତ ଲୋକେ ମଧ୍ୟ ମୋର ନାମ ଭୁଲିଯାଇଥିବେ ।

ହୋଲି ତତେ ଆମ ବଂଶର ଇତିହାସ ବିଷୟରେ କିଛି କହିଥିବେ । ଏହି ବାକ୍‍ସରେ ଗୋଟିଏ ପାତ୍ରର ଗୋଟିଏ ଭଗ୍ନ ଅଂଶ ଦେଖିବୁ । ତାହା ଉପରେ ଯେଉଁ ବିବରଣ ଲେଖାଅଛି ତାକୁ ଇଜିପ୍‍ଟର ଜଣେ ରାଜକନ୍ୟା ଲେଖିଯାଇଅଛନ୍ତି । ମୋର ଉଣିଶିବର୍ଷ ବେଳେ ମୋର ବାପା ମୋତେ ଠିକ୍ ସେହି ବର୍ଣ୍ଣନା ଦେଇଥିଲେ । ଏହି ବିବରଣର ସତ୍ୟତା ପରୀକ୍ଷା କରିବା ପାଇଁ ମୁଁ ଆଫ୍ରିକା ମହାଦେଶର ଉପକୂଳରେ ଜାମ୍ବେଜି ନଦୀର ମୁହାଣ ପର୍ଯ୍ୟନ୍ତ ଯାଇଥିଲି । ଏହି ମୁହାଣର ଉତ୍ତର ପାଖଟି ପ୍ରାୟ ଅଜ୍ଞାତ ଓ କେହି ସେ ଅଞ୍ଚଳକୁ ଯାଆନ୍ତି ନାହିଁ । ସେଠାରେ ଗୋଟିଏ ପାହାଡ଼ ଅଛି । ତାର ଆକାର ଠିକ୍ ଆଫ୍ରିକାର ଜଣେ ଅଧିବାସୀର ମୁଣ୍ଡ ପରି । ଭଗ୍ନ ପାତ୍ର ଉପରେ ଏହି ପାହାଡ଼ର ବର୍ଣ୍ଣନା ଲିଖିତ ଅଛି । ମୁଁ ସେଠାରେ ପହଞ୍ଚି ଜଣେ ଲୋକକୁ ଦେଖିଲି । ସେ କୌଣସି ଅପରାଧ କରି ତାର ଜାତିର ଲୋକଙ୍କ ଦ୍ୱାରା ବିତାଡ଼ିତ ହୋଇ ସେଠାରେ ଥିଲା । ସେ ମୋତେ କହିଲା ଯେ ଅଧିକ ଭିତରକୁ ଗଲେ ଗୋଟିଏ ରାଜ୍ୟ ପଡ଼ିବ । ସେଠାରେ ଅନେକ ପର୍ବତ ଓ ଗୋଲାକାର ପର୍ବତ ଗହ୍ୱର ଅଛି । ଏହି ରାଜ୍ୟର ଚତୁର୍ଦ୍ଦିଗରେ ସନ୍ତସନ୍ତିଆ ଜଳାଭୂମି ଅଛି । ଗୋଟିଏ ଦୁଇଟି ପଥ ଛଡ଼ା ଅନ୍ୟ କୌଣସି ଠାରେ ଏ ରାଜ୍ୟରେ ପ୍ରବେଶ କଲେ ମନୁଷ୍ୟର ମୃତ୍ୟୁ ସୁନିଶ୍ଚିତ । ଏହି ପର୍ବତ ଓ ଗହ୍ୱରମାନଙ୍କରେ ଏକ ଜାତିର ଲୋକ ବାସ କରନ୍ତି । ସେମାନଙ୍କର ଭାଷା ଆରବୀ । ସେମାନଙ୍କର ଜଣେ ରାଣୀ ଅଛନ୍ତି । ସେ ଶ୍ଵେତକାୟ । ଲୋକେ ତାଙ୍କୁ କ୍ୱଚିତ୍ ଦେଖିବାକୁ ପାଆନ୍ତି । ତାଙ୍କର କ୍ଷମତା ଅତି ଅଦ୍ଭୁତ । ସେ ରାଜ୍ୟର ଚରାଚର ସବୁ ତାଙ୍କରି ଇଙ୍ଗିତରେ ଚଳେ ।

ଯେଉଁ ଲୋକଟି ମୋତେ ଏହି ସମ୍ବାଦ ଦେଲା ସେ ନିତାନ୍ତ ରୁଗ୍‍ଣ ଥିଲା । ଦୁଇଦିନ ପରେ ତାର ମୃତ୍ୟୁ ଘଟିଲା । ମୁଁ ପୀଡ଼ିତ ହେବାରୁ ଜାହାଜକୁ ଫେରି ଆସିବାକୁ ବାଧ୍ୟ ହେଲି । ପଥ ମଧ୍ୟରେ ମୁଁ ଗ୍ରୀସ୍‍ରେ କିଛି କାଳ ରହିଥିଲି । ସେହିଠାରେ ତୋର ମାଆ ସଙ୍ଗେ ମୋର ସାକ୍ଷାତ ଘଟିଥିଲା ।

ଭଗ୍ନ ପାତ୍ର ଉପରେ ଏହି ଯେଉଁ ବର୍ଣ୍ଣନା ଅଛି ତାହା ସତ୍ୟ ବୋଲି ମୋର ବିଶ୍ୱାସ । ମୋର ଧାରଣା ଜନ୍ମିଛି ଯେ ମନୁଷ୍ୟ ଚିରକାଳ ପାଇଁ ବଞ୍ଚିରହି ଅମର ହେବାର କିଛି ନା କିଛି ଉପାୟ ଅଛି ।

 

ମୁଁ ଯାହା ଲେଖୁଛି ତାହା ଜଣେ ପାଗଳର ପ୍ରଳାପ ବୋଲି ତୁ ମନେକରିପାରୁ । ତୁ ଭାବିପାରୁ, ଏପରି ଅଦ୍ଭୁତ ଶକ୍ତି ଥିଲେ ସୁଦ୍ଧା ତାହା ସହିତ କୌଣସି ପ୍ରକାର ସମ୍ବନ୍ଧ ରଖିବା ଅନୁଚିତ । ଏହା ହିଁ ଯଦି ତୁ ମନେକରୁ, ତେବେ ଏ ଲେଖା, ଏ ଭଗ୍ନପାତ୍ର ପ୍ରଭୃତିକୁ ଏକବାରେ ଧ୍ଵଂସ କରିଦେବୁ । ତାହାହେଲେ ତୋର ପରବର୍ତ୍ତୀ ବଂଶଧରମାନେ ଏ ବ୍ୟାପାର ଘେନି ଚିନ୍ତା କରିବେ ନାହିଁ ।

 

ଏହି ବର୍ଣ୍ଣନାର ସତ୍ୟତା ଜାଣିବାକୁ ଇଚ୍ଛା କରି ମୁଁ ଉଦ୍ୟମ କରିଥିଲି, କିନ୍ତୁ ମୋର ଉଦ୍ୟମ ବିଫଳ ହୋଇଥିଲା । ମୋ ଭଳି ତୁ ଯଦି ଏହାର ସତ୍ୟତା ପରୀକ୍ଷା କରିବାକୁ ଚାହୁଁ, ତେବେ ଚେଷ୍ଟା କରିପାରୁ । ତୋର ଯାହା ଇଚ୍ଛା ।

 

ବିଦାୟ ।

 

ଲେଖାଟି ପଢ଼ି ଲିଓ ଏହା ବିଷୟରେ ମୋର ମତ ପଚାରିବାରୁ ମୁଁ କହିଲି, ‘‘ମୋର ମନେ ହୁଏ, ତୁମ ପିତାଙ୍କର ମସ୍ତିଷ୍କ-ବିକୃତି ଘଟିଥିଲା । କୋଡ଼ିଏବର୍ଷ ତଳେ ଯେଉଁଦିନ ତୁମ ବାପା ଏହି ବାକ୍‍ସଟି ମୋ ପାଖକୁ ନେଇ ଆସିଥିଲେ ସେଦିନ ମଧ୍ୟ ମୋର ଧାରଣା ହୋଇଥିଲା ଯେ ସେ ପ୍ରକୃତିସ୍ଥ ନ ଥିଲେ ।

 

ଜବ୍ ମୋର ମତକୁ ସମର୍ଥନ କଲା ।

 

ଭଗ୍ନପାତ୍ର ଉପରେ କଣ ଲେଖାଯାଇଛି, ତାହା ଜାଣିବା ପାଇଁ ଲିଓ ଇଂରାଜି ଅନୁବାଦଟି ପଢ଼ିବାକୁ ଆରମ୍ଭ କଲା । ସେଥିରେ ଲେଖାଥିଲା–

 

ପ୍ରସିଦ୍ଧ ଫାରାଓ ରାଜପରିବାରର ମୋର ଜନ୍ମ । ମୋର ନାମ ହେଉଛି, ଅମେନାର୍ତ୍ତସୁ । କାଲିକ୍ରେଟସ ହେଉଛନ୍ତି ମୋର ସ୍ୱାମୀ । ମୋର ପୁତ୍ର ଆଭେଞ୍ଜର ଉଦ୍ଦେଶ୍ୟରେ ମୁଁ ଏହା ଲେଖି ଯାଉଛି । ଅଳ୍ପକାଳ ପରେ ମୋର ମୃତ୍ୟୁ ହେବ, ତେଣୁ ଏହା ଲେଖିଗଲି । ହେ ବତ୍ସ, ତୋର ପିତା ଓ ମୁଁ ଇଜିପ୍‍ଟରୁ ଗୋଟିଏ ଜାହାଜରେ ବସି ପଳାଇବାବେଳେ ଆମେ ଆଫ୍ରିକାର ପୂର୍ବ ଉପକୂଳରେ ପହଞ୍ଚିଲୁ । ପ୍ରବଳ ଝଡ଼ ହେବାରୁ ଆମ ଜାହାଜଟି କୂଳରେ ପିଟି ହୋଇ ଭାଙ୍ଗିଗଲା । ସେହି ସ୍ଥାନର ନିକଟରେ ଗୋଟିଏ ପାହାଡ଼ ଥିଲା । ତାର ଆକାର ଠିକ୍ ଜଣେ ଆଫ୍ରିକାର ଅଧିବାସୀର ମସ୍ତକ ପରି । ଆମ ଦୁହିଁଙ୍କ ଛଡ଼ା ଆଉ ସମସ୍ତେ ଏହିଠାରେ ପ୍ରାଣ ହରାଇଲେ । ଏ ସ୍ଥାନର ବନ୍ୟ ଅଧିବାସୀମାନେ ଆମକୁ ନେଇ ଚାଲିଲେ । ଦଶଦିନ ପରେ ଆମେ ଗୋଟିଏ ପର୍ବତରେ ପହଞ୍ଚିଲୁ । ଶୁଣିଲୁ ଯେ ଅତି ପ୍ରାଚୀନ କାଳରେ ଏଠାରେ ଗୋଟିଏ ପ୍ରକାଣ୍ଡ ସହର ଥିଲା; କିନ୍ତୁ ଅନେକ ଦିନୁ ଏହି ସହର ଲୁପ୍ତ ହୋଇଅଛି । ଏହି ପର୍ବତରେ ଅନେକ ବୃହଦାକାର ଗହ୍ୱର ଅଛି । ଲୋକେ ଆମ ଦୁହିଁଙ୍କୁ ନେଇ ସେ ରାଜ୍ୟର ରାଣୀଙ୍କ ପାଖରେ ପହଞ୍ଚାଇ ଦେଲେ । କୌଣସି ବିଦେଶୀ ଲୋକ ଏ ରାଜ୍ୟରେ ଦେଖାଗଲେ ସେମାନେ ତାର ମୁଣ୍ଡରେ ଗୋଟିଏ ତତଲା କଡ଼େଇ ଲଦି ମାରିପକାନ୍ତି । ଏହା ସେମାନଙ୍କର ପ୍ରଥା ।

 

ଏହି ରାଣୀ କୁହୁକ ବିଦ୍ୟା ଜାଣନ୍ତି । ଜୀବନର ରହସ୍ୟ, ସୌନ୍ଦର୍ଯ୍ୟର ରହସ୍ୟ ତାଙ୍କୁ ଜଣା । ସେ ଅମର । କାଳିକ୍ରେଟସଙ୍କୁ ଦେଖିଲାକ୍ଷଣି ସେ ତାଙ୍କପ୍ରତି ଆସକ୍ତ ହୋଇପଡ଼ିଲେ ଓ ମୋତେ ମାରିପକାଇବାକୁ ଇଚ୍ଛା କଲେ । ରାଣୀ ଆମ ଦୁହିଁଙ୍କୁ ଭୁଇଁତଳେ ଥିବା ଗୋଟିଏ ଗହ୍ୱରକୁ ନେଇଗଲେ । ସେଠାରେ ପ୍ରବଳ ଅଗ୍ନି ଜଳୁଥିଲା । ଏହା ଜୀବନର ମୂଳ ଆଧାର । ରାଣୀ ଏହି ଅଗ୍ନି ମଧ୍ୟରେ ପ୍ରବେଶ କଲେ । ଆଶ୍ଚର୍ଯ୍ୟର କଥା, ଅଗ୍ନିରେ ତାଙ୍କର କିଛିମାତ୍ର କ୍ଷତି ହେଲାନାହିଁ । ବରଂ ଅଗ୍ନିରୁ ବାହାରିଲା ପରେ ତାଙ୍କର ରୂପ ଆହୁରି ଉଜ୍ଜ୍ଵଳ ଦେଖାଯାଉଥିଲା । ସେ କାଲିକ୍ରେଟସଙ୍କୁ କହିଲେ, ‘‘ତୁମର ଏ ସ୍ତ୍ରୀକୁ ବଧ କରି ମୋ ସହିତ ବାସକର । ମୁଁ ତୁମକୁ ମୋରିଭଳି ଅମର କରିଦେବି । ଆମେ ଚିରଦିନ ସୁଖ ଭୋଗ କରୁଥିବା ।’’ କିନ୍ତୁ କାଲିକ୍ରେଟସ ଏଥିରେ ସ୍ୱୀକୃତ ହେଲେ ନାହିଁ ।

 

ରାଣୀ ବିରକ୍ତ ହୋଇ ତାଙ୍କୁ ହତ୍ୟାକଲେ । ସେ ମୋତେ ମଧ୍ୟ ବଧ କରିବାକୁ ଚେଷ୍ଟା କରିଥିଲେ । ମାତ୍ର ମୁଁ ଆମ ଦେଶର ମନ୍ତ୍ର ଜାଣିଥିବାରୁ ସେ ମୋତେ ମାରି ନପାରି ଗୋଟାଏ ନଦୀର ମୁହାଣକୁ ପଠାଇଦେଲେ । ସେଠାକୁ ଜାହାଜର ଯାତାୟାତ ଥିଲା । ମୁଁ ଗୋଟିଏ ଜାହାଜରେ ବସି ଗ୍ରୀସ୍‍ର ଏଥେନ୍‍ସ ସହରକୁ ଚାଲିଆସିଲି ।

 

ହେ ବତ୍ସ, ତୁ ଏହି ରାଣୀକୁ ଖୋଜି ତା’ଠାରୁ ଜୀବନର ରହସ୍ୟ ବାହାର କରିବୁ ଓ ତାକୁ ବଧ କରିବୁ । ଯିଏ ତୋର ପିତାଙ୍କୁ ବଧ କରିଛି, ତାକୁ ବଧ କରିବା ତୋର କର୍ତ୍ତବ୍ୟ । ତୁ ଏହି କାର୍ଯ୍ୟ କରି ନ ପାରିଲେ, ତୋର ପୁତ୍ରକୁ ସେହି ଭାର ଦେବୁ । ସେ ନ ପାରିଲେ ତାର ପୁତ୍ର ସେହି କାର୍ଯ୍ୟ କରିବ । ଏହିପରି ଆମ ବଂଶର କେହିହେଲେ ଜଣେ ଆମ ବଂଶର ଚିରଶତ୍ରୁ ସେହି ରାଣୀକୁ ବିନାଶ କରିବ ବୋଲି ମୋର ଆଶା ଅଛି ।’’

 

ପତ୍ରପାଠ ଶେଷ ହେଲା । ମୁଁ ପଚାରିଲି, ‘‘ଲିଓ, ଏବେ ତୁମେ କଅଣ କରିବ, ନିଜେ ସ୍ଥିରକର । ଏ ବିଷୟରେ ମୋର ମତ ହେଉଛି, ଏହି ପାତ୍ର ଓ ତା ଉପରର ଲେଖାରେ କିଛି ସନ୍ଦେହ ନାହିଁ । ଏହା ପ୍ରାଚୀନ ଗ୍ରୀକ୍ ଭାଷାରେ ଲିଖିତ । କିନ୍ତୁ ମୋର ବିଶ୍ୱାସ ଏହି ରାଜକନ୍ୟା ନାନା ଦୁଃଖ ଭୋଗି ସ୍ୱାମୀଙ୍କର ମୃତ୍ୟୁରେ ପାଗଳିନୀ ହୋଇ ଯାଇଥିଲେ । ଏହି ପତ୍ରଟି ଲେଖିଲାବେଳକୁ ତାଙ୍କର ମସ୍ତିଷ୍କ ଠିକ୍ ନଥିଲା । ଜବ୍, ତୁମେ କଅଣ ଭାବୁଛ ?’’

 

ଜବ୍ ଉତ୍ତର କଲା, ‘‘ଏ ଲେଖାରେ କିଛି ସତ୍ୟ ଅଛି ବୋଲି ମୋର ବିଶ୍ୱାସ ଆସୁନାହିଁ । ମୋ ମତରେ ଲିଓ ଏସବୁ ବିଷୟରେ ଚିନ୍ତା କରିବା ଅନାବଶ୍ୟକ । ଏଥିରେ କିଛି ଫଳ ନାହିଁ ।’’

 

ଲିଓ ଧୀର ସ୍ଥିର ଭାବରେ କହିଲେ, ‘‘ହୁଏତ ତୁମମାନଙ୍କର ମତ ଠିକ୍ । କିନ୍ତୁ ମୁଁ ଭାବୁଛି, ବିଷୟଟାର ଗୋଟାଏ ମୀମାଂସା ହୋଇଯିବା ଭଲ । ଯଦି ଏ ଲେଖାରେ କିଛି ସତ୍ୟତା ନଥାଏ, ତେବେ ଏସବୁ ନଷ୍ଟ କରିଦେବା ଉଚିତ । ତେଣୁ ମୁଁ ନିଜେ ଯାଇ ପରୀକ୍ଷା କରି ଦେଖିବାକୁ ଚାହେଁ । ଇଚ୍ଛାକଲେ ତୁମେମାନେ ମୋ ସଙ୍ଗରେ ଯାଇପାର । ନଚେତ୍ ମୁଁ ଏକୁଟିଆ ଯିବି ।’’

 

ମୁଁ କହିଲି, ‘‘ତୁମ ସଙ୍ଗରେ ଯିବାକୁ ମୁଁ ପ୍ରସ୍ତୁତ ।’’

 

ତିନି ମାସ ମଧ୍ୟରେ ଆମର ଯିବାପାଇଁ ସମସ୍ତ ବ୍ୟବସ୍ଥା ହୋଇଗଲା ।

Image

 

ଝଡ଼

 

ଆମେ ଗୋଟିଏ ପାଲଟଣା ଆରବୀୟ ଜାହାଜ ଯୋଗାଡ଼ କଲୁ । ଏହା ସହିତ ଗୋଟିଏ ବୋଟ୍ ସଂଯୁକ୍ତ ଥିଲା । ବୋଟ୍‍ଟି ଇଂଲଣ୍ଡରେ ତିଆରି । ଏହାର କେତେକ ବିଶେଷତ୍ୱ ଥିଲା । ଏଥିରେ ବାୟୁସଞ୍ଚିତ ରହିବାର ବ୍ୟବସ୍ଥା ଥିବାରୁ ଏହା କେବେ ବୁଡ଼ିଯିବାର ଆଶଙ୍କା ନଥିଲା । ତାହାଛଡ଼ା ଖାଦ୍ୟ ପ୍ରଭୃତି ରଖିବାପାଇଁ ଏଥିରେ କେତେକ ବାକ୍‍ସ ଥିଲା ।

ଆମେ ଆଫ୍ରିକାର ପୂର୍ବ ଉପକୂଳ ବାଟେ ଦକ୍ଷିଣ ଦିଗକୁ ଅଗ୍ରସର ହେଲୁ । ଆଫ୍ରିକାର ତଟଦେଶ ଆମର ଦକ୍ଷିଣ ପାର୍ଶ୍ଵରେ ରହିଥାଏ । ସମୁଦ୍ର ଶାନ୍ତ ଥିଲା ଓ ଧୀର ପବନ ଯୋଗେ ଜାହାଜଟି ଗତି କରୁଥିଲା । ଚାରିଆଡ଼ ନୀରବ । ଆକାଶରେ ଚନ୍ଦ୍ର ଉଜ୍ଜ୍ଵଳ କିରଣ ଦେଉଥିଲା । ହଠାତ୍ ଜାହାଜର ମଙ୍ଗୁଆଳ ମହମ୍ମଦ କହି ଉଠିଲା, ‘‘ଏ କି ଶବ୍ଦ ଶୁଣନ୍ତୁ !’’ ଆମେ କାନ ଡେରି ଗୋଟାଏ ଗମ୍ଭୀର ଶବ୍ଦ ଶୁଣିପାରି ସ୍ତମ୍ଭୀଭୂତ ହୋଇଗଲୁ ।

ମହମ୍ମଦ କହିଲା, ‘‘ଏ ହେଉଛି ସିଂହର ଗର୍ଜ୍ଜନ ।’’

ମୁଁ କହିଲି, ‘‘ସେଥିରେ କିଛି ଯାଏ ଆସେନାହିଁ । କ୍ୟାପ୍‍ଟେନ କହୁଛନ୍ତି ଯେ କାଲି ସକାଳ ଦଶଟା ବେଳକୁ ଆମେ ମଣିଷମୁଣ୍ଡ ପରି ଦିଶୁଥିବା ପାହାଡ଼ ଦେଖିପାରିବା ।’’

ଲିଓ କହିଲେ, ‘‘ମୁଁ ତାଙ୍କ ସଙ୍ଗରେ ଆରବୀ ଭାଷାରେ କଥାବାର୍ତ୍ତା କରିଛି । ଆଫ୍ରିକାର ଏହି ଅଞ୍ଚଳ ସହିତ ସେ ଅନେକ ବର୍ଷ ହେଲା ବାଣିଜ୍ୟ କାରବାର କରୁଛନ୍ତି । ମୁଁ ତାଙ୍କୁ ସେହି ଲୁପ୍ତ ନଗରୀ ଓ ଗହ୍ୱର ବିଷୟରେ ପଚାରିଥିଲି ।’’

ଏହା ଶୁଣିଲାକ୍ଷଣି ମୁଁ ଆଗ୍ରହାନ୍ୱିତ ହୋଇ ପଚାରିଲି, ‘‘ସେ କଅଣ କହିଲେ ?’’

‘‘ସେ କହିଲେ ଯେ, କୌଣସି ଲୁପ୍ତ ନଗରୀ ବା ଗହ୍ୱର ବିଷୟରେ ତାଙ୍କୁ କିଛି ଜଣାନାହିଁ-। ସେ ଏତିକିମାତ୍ର ଜାଣନ୍ତି ଯେ ସମୁଦ୍ରକୂଳଠାରୁ କିଛି ଦୂରରେ ଥିବା ଭୂଭାଗ ନିତାନ୍ତ ନିମ୍ନ ଓ ଆର୍ଦ୍ର । ସେ ସ୍ଥାନର ଜଳବାୟୁ ଅସ୍ୱାସ୍ଥ୍ୟକର । ଏହି ଜଳାଭୂମିରେ ଅନେକ ସାପ ଦେଖାଯାନ୍ତି ।’’

 

ହଠାତ୍ ଚନ୍ଦ୍ର ଲୁଚିଗଲେ । ଆକାଶର ପ୍ରାନ୍ତଭାଗ ଘନ ଅନ୍ଧକାରମୟ ଦେଖାଗଲା । ଲିଓ ମହମ୍ମଦକୁ ପଚାରିଲେ, ‘‘ଏଇଟା କଅଣ ଦେଖାଯାଉଅଛି ?’’

 

ମହମ୍ମଦ ଉତ୍ତରକଲା, ‘‘ଏହା ଗୋଟିଏ ମେଘଖଣ୍ଡ । ଝଡ଼ ଆସୁଛି । ଏହି ଝଡ଼ ସେତେ ମାରାତ୍ମକ ନୁହେଁ । ଏହା ଆମମାନଙ୍କୁ ଅତିକ୍ରମ କରି ଚାଲିଯିବ । ସେଭଳି ବିପଦର ଆଶଙ୍କା ନାହିଁ-।’’

 

ଏହି ସମୟରେ ଜବ୍ ଆସି ଆମକୁ କହିଲା, ‘‘ବୋଟ୍‍ରେ ନଦୀରେ ଯିବାପାଇଁ ମୁଁ ବନ୍ଦୋବସ୍ତ କରି ସାରିଛି । ଖାଦ୍ୟ, ଜଳ ଓ ବନ୍ଧୁକ ଯଥାସ୍ଥାନରେ ରଖିଛି । କାପ୍‍ଟେନଙ୍କଠାରୁ ଜାଣିଲି ଯେ କାଲି ସକାଳକୁ ଆମେ ନଦୀମୁହାଣ ନିକଟରେ ପହଞ୍ଚିଯିବା । କିନ୍ତୁ ଆରବର ଏ ଲୋକମାନଙ୍କୁ ବିଶ୍ୱାସ କରାଯାଇ ନପାରେ । ମୁଁ ଆଜି ରାତିରେ ନିଜେ ବୋଟ୍‍ରେ ଶୋଇବି ବୋଲି ଭାବୁଛି ।’’

 

ମୁଁ କହିଲି, ‘‘ତୁମ କଥା ଠିକ୍ । ତୁମେ ବୋଟ୍‍ରେ ଶୁଅ । ଆମେ ଦୁହେଁ ଜାହାଜରେ ଶୋଉଛୁ ।’’

 

ରାତି ବେଶୀ ହୋଇ ଯାଇଥିଲା । ମୁଁ ଓ ଲିଓ ଜାହାଜରେ ଶୋଇଲୁ । ଜବ୍ ବୋଟ୍‍ରେ ଶୋଇବାକୁ ଗଲା ।

 

ପବନର ଭୟାନକ ସୁ ସୁ ଗର୍ଜ୍ଜନ ଓ ଜାହାଜର ଲୋକମାନଙ୍କ ଚିତ୍କାରରେ ମୋର ନିଦ ଭାଙ୍ଗିଗଲା । ମୁଁ ହତବୁଦ୍ଧି ହୋଇ ଗୋଟାଏ ଦଉଡ଼ିକୁ ଧରି ପକାଇଲି । ମଥା ଉପରେ ଘନ କୃଷ୍ଣମେଘ; କିନ୍ତୁ ଦିଗ୍‍ବଳୟରେ ଚନ୍ଦ୍ର ଦେଖାଯାଉଥିଲା । ମୁଁ ଦେଖିଲି; ପ୍ରାୟ କୋଡ଼ିଏ ଫୁଟ ଉଚ୍ଚ ଗୋଟିଏ ବିରାଟ ଲହରୀ ଆମ ଜାହାଜ ଆଡ଼କୁ ମାଡ଼ି ଆସୁଛି । ଲହରୀ ଜାହାଜ ଉପରେ ଚାଲିଗଲା । ମୁଁ ପାଣିରୁ ଉଠିଲି । ଜାହାଜର ପାଲ ଖଣ୍ଡେ ମେଘ ପରି ମୋ ଆଗରେ ଭାସି ଯାଉଥିଲା । ଜବ୍ ଚିତ୍କାର କଲା-ଶୀଘ୍ର ବୋଟ୍‍କୁ ଚାଲି ଆସନ୍ତୁ । ଜାହାଜ ଜଳପୂର୍ଣ୍ଣ ହୋଇ ବୁଡ଼ିବାକୁ ଲାଗିଥାଏ । ମହମ୍ମଦ ଓ ତାପରେ ମୁଁ ବୋଟ୍‍କୁ ଡେଇଁପଡ଼ିଲୁ । ଜବ୍ ମୋତେ ତା ପାଖକୁ ଟାଣିନେଲା ଓ ମହମ୍ମଦ ଦଉଡ଼ିଟି କାଟିଦେଇ ବୋଟ୍‍କୁ ଜାହାଜଠାରୁ ବିଚ୍ଛିନ୍ନ କରିଦେଲା । ଚାହୁଁ ଚାହୁଁ ଜାହାଜ ବିଶାଳ ସମୁଦ୍ର ଗର୍ଭରେ ଉଭେଇଗଲା ।

 

ମୁଁ ଚିତ୍କାର କରି ଉଠିଲି, ‘‘ଜବ୍, ଲିଓ କାହିଁ ?’’

 

ଜବ୍ କହିଲା, ‘‘ଲିଓ ଭାସି ଯାଇଥିବେ । ତାଙ୍କୁ ପାଇବାର ଆଶା ନାହିଁ । ଦେଖନ୍ତୁ, ଆଉ ଗୋଟାଏ ଲହରୀ ଆସୁଛି ।’’

 

ଆଉ ଗୋଟିଏ ଲହରୀ ମାଡ଼ି ଆସୁଥିଲା । କ୍ଷୀଣ ଚନ୍ଦ୍ରଲୋକରେ ମୁଁ ସେହି ଲହରୀରେ ଗୋଟିଏ କଳା ପଦାର୍ଥ ଦେଖି ପାରିଲି । ଲହରୀ ସଙ୍ଗେ ସେହି କଳା ପଦାର୍ଥଟି ଠିକ୍ ମୋରି ଆଡ଼କୁ ଆସିଲା । ମୋ ଦେହରେ ତାହା ଆଘାତ କରିବା ଭୟରେ ମୁଁ ହାତ ବଢ଼ାଇଲା ମାତ୍ରେ ଆଉ ଗୋଟିଏ ହାତ ମୋ ହାତକୁ ଦୃଢ଼ ଭାବରେ ଧରିଲା । ଲହରୀ ଚାଲିଗଲା । ଚନ୍ଦ୍ର କିରଣର କ୍ଷୀଣ ଆଲୋକରେ ଦେଖିଲି, ଏ ହାତଟି ଲିଓଙ୍କର । ମୁଁ ତାଙ୍କୁ ବୋଟ୍ ଉପରକୁ ନେଇ ଆସିଲି । ଏବେ ଜାଣିପାରିଲି ପ୍ରଥମ ଲହରୀ ତାଙ୍କୁ ଭସାଇ ନେଇଥିଲା । ଦ୍ୱିତୀୟ ଲହରୀ ତାଙ୍କୁ ଫେରାଇ ଦେଇଗଲା ।

 

ତାଙ୍କର ଅବସ୍ଥା ଦେଖିବାକୁ ସମୟ ନଥିଲା । ଜବ୍ ଓ ମହମ୍ମଦ ବୋଟ୍‍ରୁ ପାଣି ବାହାର କରି ଫିଙ୍ଗୁଥିଲେ । ମୁଁ ସେ ଦୁହିଁଙ୍କୁ ସଙ୍ଗେ ଯୋଗାଦେଲି । ଝଡ଼ ଚାଲିଥାଏ । ଉପରୁ ବର୍ଷାପାଣି ଛାଟୁଥାଏ । ଦୂରରୁ ଲହରୀ ପାହାଡ଼ ଉପରେ ଭାଙ୍ଗୁଥିବାର ଶବ୍ଦ ଶୁଣାଯାଉଥାଏ ।

 

ଆମର ସମ୍ମୁଖରେ ପ୍ରାୟ ଅଧମାଇଲ ପର୍ଯ୍ୟନ୍ତ ଜଳର ରଙ୍ଗ ଟିକିଏ ଧଳା ଦେଖାଯାଉଥିବାରୁ ସେଠାରେ ଜଳର ଗଭୀରତା ଉଣା ମନେକରି ମୁଁ ସେହି ଆଡ଼କୁ ବୋଟ୍ ଚଳାଇବାପାଇଁ ମହମ୍ମଦକୁ କହିଲି ।

 

ଜବ୍ ଓ ମୁଁ ଆହୁଲା ମାରିଲୁ । ମହମ୍ମଦ ମଙ୍ଗ ଧରିଥାଏ । ପବନ ଆମର ଅନୁକୂଳ ଥିଲା-। ତେଣୁ ଅଳ୍ପସମୟ ମଧ୍ୟରେ ଆମେ ଏହି ଅଂଶରେ ପହଞ୍ଚିଗଲୁ । ଲହରୀ ପରେ ଲହରୀ ଆସି ଆମ ବୋଟ୍‍କୁ ଜଳରେ ପୂର୍ଣ୍ଣ କରି ଦେଉଥିଲା । ଆମେ ସମସ୍ତ ଶକ୍ତି ଲଗାଇ ତାହାକୁ ବାହାର କରି ଦେଉଥିଲୁ ।

 

ଏଥିମଧ୍ୟରେ ଝଡ଼ର ବେଗ କମି ଆସିଲା । ବୋଟ୍‍ରେ ପାଣି ନଥିଲା । ମୁଁ ଲିଓଙ୍କୁ ଦେଖିଲି । ସେ ବିସ୍ମିତ ଭାବରେ ମୋତେ ଚାହିଁଲେ ।

 

ଆମ ବୋଟ୍ ଗୋଟିଏ ଧାଡ଼ି ପାହାଡ଼ ଆଡ଼କୁ ଭାସିଯିବାକୁ ଲାଗିଲା । ବୋଟ୍ ଆମ ଆୟତ୍ତରେ ରହିପାରୁ ନଥିଲା । ମହମ୍ମଦ ଭୟରେ ଚିତ୍କାର କରିଉଠିଲା । ଜବ୍ ପ୍ରାର୍ଥନା କରିବାକୁ ଲାଗିଲା । ମୋର ଦେହ ଅବଶ ହୋଇଆସିଥିଲା । ବୋଟ୍‍କୁ କୌଣସି ଦିଗରେ ଚଳାଇବାକୁ ମୋର ଶକ୍ତି ନଥିଲା । ଆମେ ସମସ୍ତେ ଦୈବ ଉପରେ ନିର୍ଭର କରିବାଛଡ଼ା ଅନ୍ୟ ଉପାୟ ନଥିଲା ।

 

କିଛି ସମୟ ପରେ ଝଡ଼ ଏକବାରେ ବନ୍ଦ ହୋଇଗଲା । ଆକାଶରେ ଖଣ୍ଡିଏ ସୁଦ୍ଧା ମେଘ ନଥିଲା । ଚନ୍ଦ୍ରକିରଣରେ ସବୁଆଡ଼ ସ୍ପଷ୍ଟ ଦେଖି ହେଉଥିଲା । ସମ୍ମୁଖକୁ ଚାହିଁ ମୁଁ ଦେଖିଲି ଏକ ବିରାଟ ପ୍ରସ୍ତର । ଏହାର ଆକାର ଠିକ୍ ଜଣେ ମନୁଷ୍ୟର ମୁଣ୍ଡ ପରି ।

Image

 

ଲେଖାର ବର୍ଣ୍ଣନା ସହିତ କେତେକ ମେଳ

 

ବୋଟ୍‍ର ଗତି ବନ୍ଦ ହୋଇଯାଇଥିଲା । ମୁଁ ନିସ୍ପନ୍ଦଭାବରେ ବସି ଜଳକଲ୍ଲୋଳର ମର୍ମର ଧ୍ଵନି ଶୁଣୁଥିଲି । ମୋ ଚକ୍ଷୁ ଦୁଇଟି ଥାଏ ସେହି ମସ୍ତକାକାର ପାହାଡ଼ ଉପରେ ।

 

ସୂର୍ଯ୍ୟ ଉଦିତ ହେଲେ । ପାହାଡ଼ଟି ସୂର୍ଯ୍ୟକିରଣରେ ସ୍ପଷ୍ଟ ଦେଖାଗଲା । ଏହା ଯେ ଠିକ୍ ଏକ ମନୁଷ୍ୟର ମସ୍ତକ ସଦୃଶ ଏଥିରେ ଲବମାତ୍ର ସନ୍ଦେହ ନଥିଲା । ଯଥାସ୍ଥାନରେ ନାକ, ଆଖି ତୁଣ୍ଡ, କାନ ରହିଅଛି । ଏହା ମନୁଷ୍ୟର ହାତରେ ତିଆରି କି ପ୍ରକୃତି ତାକୁ ଏପରି ଗଢ଼ିଛି, ଏହା ମୁଁ ସ୍ଥିର କରି ପାରିଲି ନାହିଁ । କିନ୍ତୁ ଇଜିପ୍‍ଟର ରାଜକନ୍ୟା ଅମେନାର୍ତ୍ତସ୍ ଦୁଇହଜାର ବର୍ଷତଳେ ଏହାକୁ ଯେପରି ଦେଖି ବର୍ଣ୍ଣନା କରିଥିଲେ, ଆମେ ମଧ୍ୟ ଠିକ୍ ତାହା ହିଁ ଦେଖିଲୁ ।

 

ମୁଁ ଜବ୍‍କୁ ଡାକି ତାକୁ ଏହି ପାହାଡ଼ଟି ଦେଖାଇଦେଲି ଓ ଲିଓଙ୍କୁ ଉଠାଇଲି ।

 

ଏଥିମଧ୍ୟରେ ଯେ କେତେ କଥା ଘଟିଯାଇଥିଲା, ଲିଓ ସେସବୁ କିଛି ଜାଣିପାରି ନଥିଲେ-। ଉଠିବାପରେ ତାଙ୍କର ପ୍ରଶ୍ନ ହେଲା, ‘‘ଆମ ଜାହାଜ କୁଆଡ଼େ ଗଲା ?’’

 

ମୁଁ ଉତ୍ତର କଲି, ‘‘ଝଡ଼ରେ ଜାହାଜ ଧ୍ଵଂସ ପାଇଅଛି । ତୁମେ ପ୍ରବଳ ଲହରୀରେ ଭାସିଯାଇଥିଲ । ଦୈବାତ୍ ଅନ୍ୟ ଏକ ଲହରୀ ତୁମକୁ ଆଣି ଆମ ହାତରେ ଫେରାଇଦେଲା । ତୁମର ରକ୍ଷାପାଇବା ଏକ ଆଶ୍ଚର୍ଯ୍ୟଜନକ ବ୍ୟାପାର । ଯାହାହେଉ, ଏଇ ପାହାଡ଼କୁ ଚାହିଁଲ ।’’

 

ଲିଓ ଆନନ୍ଦିତ ହୋଇ କହିଲେ, ‘‘ଏ ତ ସେହି ମସ୍ତକାକାର ପାହାଡ଼ । ଆଫ୍ରିକାର ଅଧିବାସୀମାନଙ୍କର ମସ୍ତକ ଏହିପରି ହୋଇଥାଏ । ତେଣୁ ଲେଖାରେ ଯାହାସବୁ ବର୍ଣ୍ଣନା କରା ଯାଇଅଛି, ସେ ସବୁ ସତ୍ୟ । ଏହା ପାଗଳର ପ୍ରଳାପ ହୋଇ ନପାରେ ।’’

 

ମୁଁ ତାଙ୍କ ସହିତ ଏକମତ ନ ହୋଇ କହିଲି, ‘‘ମସ୍ତକାକାର ଏହି ପାହାଡ଼ଟି ଏଠାରେ ଥିବା ବିଷୟ ନିଃସନ୍ଦେହ । ଆମେ ଏହାକୁ ଦେଖୁଥାଇଁ, ତୁମର ପିତା ଏହାକୁ ଦେଖିଥିଲେ । କିନ୍ତୁ ପାତ୍ରର ଲେଖାରେ ଯେଉଁ ମସ୍ତକାକାର ପାହାଡ଼ର ଉଲ୍ଲେଖ ଅଛି, ଏହା ଯେ ଠିକ୍ ସେହି ପାହାଡ଼ ତାର ପ୍ରମାଣ କଅଣ ? ଏହାକୁ ଅମେନାର୍ତ୍ତସଙ୍କ ବର୍ଣ୍ଣିତ ପାହାଡ଼ ବୋଲି ଧରିନେଲେ ମଧ୍ୟ ଲେଖାର ଅନ୍ୟାନ୍ୟ ବିଷୟ ସତ୍ୟ ବୋଲି କିପରି ପ୍ରମାଣିତ ହେଲା ?’’

 

ଲିଓ ସଂକ୍ଷେପରେ ମନ୍ତବ୍ୟ ପ୍ରକାଶ କଲେ, ‘‘ତୁମେ ବଡ଼ ସନ୍ଦେହୀ; କିଛି ବିଶ୍ୱାସ କରିବାକୁ ପ୍ରସ୍ତୁତ ନୁହଁ ।’’

 

ମୁଁ କହିଲି, ‘‘ମୁଁ ଯେ ସନ୍ଦେହୀ ସେ କଥା ସତ । କିନ୍ତୁ ଏଣେ ଦେଖ, ଆମ ବୋଟ୍ ନଦୀ ମୁହାଣ ପାଖରେ ଥିବା ଏକ ଚଡ଼ାଆଡ଼କୁ ଯାଉଛି । ବର୍ତ୍ତମାନ କୌଣସି ସ୍ଥଳଭାଗ ଦେଖି ଓହ୍ଲାଇବା ଦରକାର । ସେହି ଲକ୍ଷ୍ୟରେ ବୋଟ୍ ଚଳାଇବାକୁ ହେବ ।’’

 

ଆମ ଆଗରେ ଗୋଟିଏ ଲମ୍ବ ଓ ଅଣଓସାରିଆ ଉଚ୍ଚ ବନ୍ଧ ଦେଖାଯାଉଥିଲା । ଆମେ ସେହି ଆଡ଼କୁ ବୋଟ୍ ଚଳାଇ ବନ୍ଧ ଉପରେ ଓହ୍ଳାଇଲୁ । ଏହିଠାରେ ପୋଷାକ ଶୁଖାଇଦେଲୁ ଓ କିଛି ଖାଇଲୁ । ଏହାପରେ ଆମେ ଏହି ସ୍ଥାନର ଚତୁଷ୍ପାର୍ଶ୍ଵ ଆଡ଼କୁ ଦୃଷ୍ଟି ପକାଇଲୁ । ଏହି ଉଚ୍ଚ ବନ୍ଧଟି ଲମ୍ବରେ ପ୍ରାୟ ପାଞ୍ଚଶହ ଗଜ ଓ ଓସାରରେ ପ୍ରାୟ ଶହେ ଗଜ ହେବ । ନିକଟସ୍ଥ ନିମ୍ନଭୂମିଠାରୁ ଏହା ପ୍ରାୟ ପଚିଶ ଫୁଟ ଉଚ୍ଚ । ଏହାର ଦୁଇପାଖ ତୀଖ ।

 

ଲିଓ କହିଲେ, ‘‘ଏହି ବନ୍ଧଟି ପ୍ରାକୃତିକ ନୁହେ । ଏକ ସମୟରେ ଜାହାଜ ଏ ପର୍ଯ୍ୟନ୍ତ ଆସୁଥିଲା ଓ ଜାହାଜରୁ ମାଲ ଖଲାସ କରିବା ଓ ମାଲ ଲଦିବା ପାଇଁ ଏହା ନିର୍ମିତ ହୋଇଥିଲା ।’’

 

ମୁଁ ବାଧାଦେଇ କହିଲି, ‘‘ତୁମର କଳ୍ପନା ଅତି ଅଦ୍ଭୁତ । ଏପରି ଜଳାଭୂମିରେ ବନ୍ଧ ତିଆରି କରିବାକୁ କିଏ ଆସନ୍ତା ? ପୁଣି ଏ ଅଞ୍ଚଳ ନିର୍ଜନ । ଯଦି କୌଣସି ବନ୍ୟଜାତିର ଲୋକ କେଉଁଠାରେ ଥିବେ, ସେମାନଙ୍କର ଜାହାଜ କାରବାର ସହିତ କି ସମ୍ବନ୍ଧ ଥାଇପାରେ ?’’

 

ଲିଓ ପ୍ରତିବାଦ କରି କହିଲେ, ‘‘ତୁମେ ଭୁଲିଯାଉଛ ଯେ ଏହା ବର୍ତ୍ତମାନ ନିର୍ଜନ ଜଳାଭୂମି ବୋଲି ଯେ ଚିରକାଳ ଏହିପରି ଥିଲା, ଏପରି ଭାବିବାର କାରଣ ନାହିଁ । ହୁଏତ ଏହା ଏକ ସମୟରେ ଶୁଷ୍କଭୂମି ଥିଲା ଓ ଏଠାରେ ବହୁସଂଖ୍ୟକ ଲୋକ ବାସ କରୁଥିଲେ ।’’

 

ଲିଓ ଏହି ସମୟରେ ଗୋଟିଏ ଗଛ ଉପୁଡ଼ି ପଡ଼ିଥିବାର ଲକ୍ଷ୍ୟକରି କହିଲେ,’’ ଏହି ଗଛଟି ଉପୁଡ଼ିଥିବାରୁ ତାହାର ମୂଳରେ ଗୋଟାଏ ପ୍ରକାଣ୍ଡ ଗାତ ହୋଇଯାଇଅଛି ।’’

 

ଏହା କହି ସେ ଗାତ ପାଖକୁ ଗଲେ ଓ ଭିତରକୁ ପ୍ରବେଶ କରି କହିଲେ, ‘‘ଏଠାରେ ଯେ ପୂର୍ବେ ସଭ୍ୟଜାତିର ଲୋକେ ବାସ କରୁଥିଲେ, ଏଥିରେ ସନ୍ଦେହ ନାହିଁ । ଗାତ ଭିତରେ ଅନେକ ପଥର ଦେଖାଯାଉଛି । ସେଗୁଡ଼ିକ ହଣା ହୋଇ ଖଞ୍ଜା ଯାଇଅଛି । ହଁ, ଆଉ ଗୋଟିଏ ଜିନିଷ ଦେଖୁଛି । ଗୋଟିଏ ପଥରରେ ପ୍ରାୟ ଫୁଟେ ବ୍ୟାସବିଶିଷ୍ଟ ଗୋଟିଏ ଲୁହାର କଡ଼ା ଲାଗିଛି । ଏହି କଡ଼ାର ମୋଟା ତିନିଇଞ୍ଚ ହେବ । ମୋର ବିଶ୍ୱାସ, ଖୁବ୍ ବଡ଼ ବଡ଼ ଜାହାଜ ଏଠାକୁ ଆସୁଥିଲା-।’’

 

ମୁଁ ଏହା ଦେଖି କିଛି ପ୍ରତିବାଦ କରିପାରିଲି ନାହିଁ । ଏଠାରେ ଏକ ସମୟରେ ଗୋଟିଏ ପ୍ରକାଣ୍ଡ ସହର ଥିଲା ବୋଲି ମୋର ମଧ୍ୟ ଧାରଣା ଜନ୍ମିଲା । ଲିଓ ପୁଣି କହିଲେ, ‘‘ଲେଖାରେ ଯାହା ବର୍ଣ୍ଣନା କରାଯାଇଅଛି, ତାହା ନିଶ୍ଚୟ ସତ୍ୟ ହୋଇଥିବ ।’’

 

ମୁଁ କହିଲି, ‘‘ସେ ଯାହା ହେଉ, ମୁଁ ଦେଖୁଛି, ଆମେ ଏ ଜଳାଭୂମିକୁ ପାର ହୋଇ ଯାଇପାରିବା ନାହିଁ । ଏଠାରେ ରହିବା ମଧ୍ୟ ସମ୍ଭବପର ନୁହେଁ । ରହିଲେ ମାଲେରିଆରେ ପ୍ରାଣ ଯିବ ।

 

ତେଣୁ ବୋଟ୍‍କୁ ଫେରିଯାଇ ଅନ୍ୟ କୌଣସି ସ୍ଥାନରେ ଓହ୍ଲାଇବାର ଚେଷ୍ଟା କରିବା ଉଚିତ । ନଚେତ୍ ନଦୀରେ ଆହୁରି ଭିତରକୁ ଯାଇ ନିଜର ଭାଗ୍ୟ ଅନ୍ୱେଷଣ କରିବାକୁ ହେବ ।’’

 

ଲିଓ କହିଲେ, ‘‘ତୁମେ ତିନୋଟି ଉପାୟ ଚିନ୍ତା କରୁଛ । କିନ୍ତୁ ମୁଁ ଗୋଟିଏ ସିଦ୍ଧାନ୍ତ ସ୍ଥିର କରିସାରିଛି । ନଦୀରେ ଆହୁରି ଦୁରକୁ ଯିବା । କଅଣ ଆମ ଭାଗ୍ୟରେ ଅଛି, ଦେଖାଯିବ ।’’

 

ଜବ୍ ଓ ମହମ୍ମଦ କୌଣସି ମତ ନ ଦେଇ କେବଳ କହିଲେ, ‘‘ଭଗବାନ ଆମର ସହାୟ ହୁଅନ୍ତୁ ।’’

Image

 

ନଦୀ ପଥରେ ଯାତ୍ରା

 

ଆମେ ବୋଟ୍‍ରେ ପାଲ ଟାଣି ଯାତ୍ରା ଆରମ୍ଭ କଲୁ । ସମୁଦ୍ର ଆଡ଼ୁ ପବନ ବହୁଥିବାରୁ ବୋଟ୍ ବେଗରେ ସ୍ରୋତର ପ୍ରତିକୂଳରେ ଚାଲିଲା । ବାଟରେ ଅନେକ କୁମ୍ଭୀର ଦେଖିବାକୁ ମିଳିଲେ-। କେତେକ ନଦୀପଠାରେ ଶୋଇଥିଲେ; ଆଉ କେତେକ ନଦୀରେ ଭାସୁଥିଲେ । ପ୍ରାୟ ଦୁଇପ୍ରହର ବେଳକୁ ପବନ ବନ୍ଦ ହୋଇଗଲା ଓ ସୂର୍ଯ୍ୟକିରଣ ପ୍ରଖର ହେଲା । ଅସହ୍ୟ ଗରମ ହେତୁ ଆମେ ବୋଟ୍‍ରୁ ଓହ୍ଲାଇ ଗୋଟିଏ ଗଛମୂଳରେ ବିଶ୍ରାମ ନେଲୁ । ସନ୍ଧ୍ୟା ହୋଇ ଆସିବାରୁ ଆମେ ବୋଟ୍‍କୁ ଫେରି ଆସି ଆହୁଲା ସାହାଯ୍ୟରେ କିଛି ଦୂର ଗଲୁ । ନଦୀ ମଧ୍ୟରେ ଗୋଟିଏ ପ୍ରଶସ୍ତ ଜଳଭାଗ ଦେଖି ସେହିଠାରେ ବୋଟ୍‍ରେ ରାତ୍ରି କଟାଇବାର ସ୍ଥିର ହେଲା ।

 

ସନ୍ଧ୍ୟା ପରେ ପରେ ଗୋଟିଏ ଶମ୍ବର ପାଣି ପିଇବା ପାଇଁ ନଦୀକୁ ଗଡ଼ିଲା । ସେ ପାଣିରେ ମୁହଁ ଲଗାଇଲା କ୍ଷଣି ଲିଓ ବନ୍ଧୁକ ନେଇ ଗୁଳି ମାରିଲେ । କିନ୍ତୁ ଗୁଳିଟି ଶମ୍ବର ଦେହରେ ବାଜିଲା ନାହିଁ । ସେ ବୁଲିପଡ଼ି ପଳାଇବାକୁ ବସିଲା । ମୁଁ ମଧ୍ୟ ବନ୍ଧୁକ ଧରି ପ୍ରସ୍ତୁତ ଥିଲି । ସଙ୍ଗେ ସଙ୍ଗେ ମୁଁ ଶମ୍ବରକୁ ଲକ୍ଷ୍ୟ କରି ଗୁଳି ମାରିଲି । ଶମ୍ବରଟି ମରି ପଡ଼ିଗଲା ।

 

ଆମେମାନେ ବୋଟ୍‍ରୁ ଓହ୍ଲାଇ ଶମ୍ବରକୁ କାଟି ଯଥେଚ୍ଛା ମାଂସ ବୋହି ଆଣିଲୁ । କୁଳଠାରୁ ଦୁଇଶ ହାତ ଦୂରରେ ବୋଟ୍‍କୁ ରଖି ଆମେ ଭୋଜନର ବ୍ୟବସ୍ଥା କଲୁ । କିନ୍ତୁ ଆମ ପକ୍ଷରେ ଶୋଇବା ଅସମ୍ଭବ ବୋଧ ହେଲା । ମଶା, ଡାଉଁଶ ଓ ଅନ୍ୟାନ୍ୟ କୀଟ ପତଙ୍ଗ ଆମକୁ ଅସ୍ତବ୍ୟସ୍ତ କରିପକାଇଲେ । ଦେହରେ ଏପରି କି ମୁହଁରେ ମଧ୍ୟ ଲୁଗା ଘୋଡ଼ାଇ ଶୋଇବାର ଚେଷ୍ଟା କଲୁ । କିନ୍ତୁ ସେମାନେ ଶୁଣ୍ଡରେ ଲୁଗାକୁ ଭେଦକରି ଆମକୁ କାମୁଡ଼ିବାକୁ ଲାଗିଲେ ।

 

ଏହିପରି ଅଶାନ୍ତିରେ କେତେକ ଘଣ୍ଟା କଟାଇବା ପରେ ଆମେ ଗୋଟିଏ ସିଂହର ଗର୍ଜନ ଶୁଣିପାରିଲୁ । କିଛି ସମୟ ପରେ ଅନ୍ୟ ଏକ ସିଂହର ଗର୍ଜନ ଶୁଣାଗଲା ।

 

ଆମ ବୋଟ୍‍ରେ ଶମ୍ବରର ମାଂସ ଥିଲା । ତଟକା ମାଂସର ଗନ୍ଧରେ ସେମାନେ ଆମ ଆଡ଼କୁ ଆକୃଷ୍ଟ ହୋଇଥିବା ବିଷୟରେ କାହାରି ସନ୍ଦେହ ରହିଲା ନାହିଁ । ଲିଓ କହିଲେ, ‘‘ଆମ ଭାଗ୍ୟ ଭଲ ଯେ ଆମେ ନଈ ମଝିରେ ଥାଏଁ ।’’

 

ଜବ୍ ମୋ କାନପାଖରେ କହିଲା, ‘‘ଦେଖ, ଦେଖ, ସିଂହଦୁଇଟା ପାଣିରେ ପଶି ଆମଆଡ଼କୁ ଆସୁଅଛନ୍ତି ।’’

 

ଆମ ବୋଟ୍‍ଠାରୁ ମୋଟେ ଦଶ ପନ୍ଦର ହାତ ଦୂରରେ ଗୋଟିଏ ଚଡ଼ା ଥିଲା । ଏହା ଉପରେ ତିନି ଚାରି ଇଞ୍ଚରୁ ବେଶୀ ପାଣି ନଥିଲା । ଗୋଟିଏ ସିଂହ ଚାଲି ଆସି ସେହି ଚଡ଼ା ଉପରେ ଛିଡ଼ା ହୋଇ ଆମ ଆଡ଼କୁ ଚାହିଁଲା । ଲିଓ ଗୋଟିଏ ଗୁଳିରେ ତାକୁ ବଧ କଲେ । ଅନ୍ୟ ସିଂହଟି ମୃତ ସିଂହର ପଛରେ ଆସୁଥିଲା । ହଠାତ୍ ଗୋଟାଏ କୁମ୍ଭୀର ତାର ପଛ ଗୋଡ଼କୁ ଧରି ପାଣି ଭିତରକୁ ଟାଣିଲା । କିଛି ସମୟ ପର୍ଯ୍ୟନ୍ତ କୁମ୍ଭୀର ଓ ସିଂହ ମଧ୍ୟରେ ଟଣାଟଣି ଲାଗିଲା । ସିଂହ ଚଡ଼ା ଉପରକୁ ଉଠିବାକୁ ଚେଷ୍ଟା କରୁଥାଏ ଓ କୁମ୍ଭୀର ତାକୁ ପାଣି ଭିତରକୁ ଟାଣୁଥାଏ । ଆମେ ବନ୍ଧୁକ ଧରି ଅପେକ୍ଷା କରିଥାଉଁ । ସୌଭାଗ୍ୟବଶତଃ କୁମ୍ଭୀରର ଜୟ ହେଲା । ସିଂହ ପାଣିରେ ବୁଡ଼ିଗଲା । ଆମେମାନେ ଗୋଟିଏ ବିପଦରୁ ରକ୍ଷା ପାଇଗଲୁ ।

 

ଏହିପରି ନଦୀରେ ପାଞ୍ଚଦିନ ଯାତ୍ରା କରି ଆମେମାନେ ସମୁଦ୍ର କୁଳଠାରୁ ଦେଢ଼ଶହ ମାଇଲ ଦୂର ପର୍ଯ୍ୟନ୍ତ ଗଲୁ । ସେଦିନ ସକାଳ ଓଳି ଏଗାରଟା ବେଳକୁ ପବନ ବନ୍ଦ ହୋଇଗଲା । କିଛି ସମୟ ପର୍ଯ୍ୟନ୍ତ ଆହୁଲା ସାହାଯ୍ୟରେ ବୋଟ୍ ଚଳାଇବା ପରେ ଦେଖିଲୁ, ସେଠାରେ ନଦୀଟି ଦୁଇ ଶାଖାରେ ବିଭକ୍ତ ହୋଇଯାଇଅଛି । ଆମେ ବୋଟ୍‍ରୁ ଓହ୍ଲାଇ ଦକ୍ଷିଣ ପାଖ ଶାଖାର ଧାରରେ ଚାଲିଲୁ । ଏହି ଶାଖାର ଗଭୀରତା କଳନା କରିବା ଆମର ଉଦ୍ଦେଶ୍ୟ ଥିଲା । ଶହେ ଦେଢ଼ଶ ହାତ ଯିବା ପରେ ଜଣା ପଡ଼ିଲା ଯେ ଏଥିରେ ବୋଟ୍ ଚଳାଇ ବେଶି ଦୂର ଯିବା ଅସମ୍ଭବ; କାରଣ ଆମେ ଯେତିକି ଆଗକୁ ଗଲୁ ଗଭୀରତା ସେତେ କମ୍ ଜଣାଗଲା । ତେଣୁ ଆମେ ଫେରିଯାଇ ବାମପାଖ ନଦୀର ଧାରରେ ଚାଲିଲୁ ।

 

ଏହି ଶାଖାନଦୀକୁ ଦେଖି ଆମେ ବୁଝିଲୁ ଯେ ଏହା ପ୍ରାକୃତିକ ନଦୀ ନୁହେଁ; ଏହା ମନୁଷ୍ୟକୃତ ଏକ ଗଭୀର କେନାଲ । ଏହାର ଗତିପଥ ଏକ ସରଳରେଖାରେ ଅବସ୍ଥିତ । ଏହାକୁ ଖୋଳିବାରେ ବାହାରିଥିବା ମାଟି ପଡ଼ି ଏହାର ଧାର ଉଚ୍ଚ ହୋଇଅଛି । ଏଥିରେ ସ୍ରୋତ ଆଦୌ ନ ଥିଲା । ବଦ୍ଧ ଜଳ ଉପରେ ନାନାପ୍ରକାରର ଶିଉଳି ଓ ଦଳ ମାଡ଼ି ଯାଇଥିଲା ! ଅନେକ ସ୍ଥଳରେ ଦଳର ଆଧିକ୍ୟ ହେତୁ ପାଣି ଆଦୌ ଦେଖା ଯାଉନଥିଲା ।

 

ଲିଓ କହିଲେ, ‘‘ଆମେ ଏଥିରେ ବୋଟ୍ ଚଳାଇ ଅଗ୍ରସର ହେବା । ମୋର ମନେହୁଏ, ଏହି ରାଜ୍ୟରେ ପୂର୍ବକାଳରେ କୌଣସିଠାରେ ଏକ ନଗର ଥିଲା । ଜାହାଜସବୁ ସେ ପର୍ଯ୍ୟନ୍ତ ଯିବାପାଇଁ ଏହି ଜଳପଥ ଖୋଳା ହୋଇଥିଲା ।’’

 

ମୁଁ କହିଲି,’’ହଁ, ତା ହୋଇପାରେ, କିନ୍ତୁ ଆମେ ଯେଉଁଠାରେ ପହଞ୍ଚି ଥାଏଁ ସେଠାରେ ରହିଲେ ମଶା ଡାଉଁଶଙ୍କ ହାତରେ ପ୍ରାଣ ଯିବ । ତେଣୁ ହୁଏତ ଆମକୁ ଆଗେଇ ଯିବାକୁ ହେବ; ନଚେତ୍ ସମୁଦ୍ରକୁ ଫେରି ଯିବାକୁ ହେବ । କିନ୍ତୁ ଏଠାରେ ରହିବା ଅସମ୍ଭବ ।’’

Image

 

ସେ ଦେଶର ଲୋକ

 

ସୂର୍ଯ୍ୟକିରଣ କମି ଆସିବାରୁ ଆମେ ବୋଟ୍ ଚଳାଇବାକୁ ଲାଗିଲୁ । ପବନର ବେଗ ନ ଥିଲା, ତେଣୁ ଆମକୁ ଆହୁଲା ପକାଇବାକୁ ପଡ଼ୁଥିଲା । ପ୍ରାୟ ଘଣ୍ଟାଏ କାଳ ଏହିପରି ଯିବାପରେ ଏତେଦଳ ଦେଖାଗଲା ଯେ ଆହୁଲା ପକାଇବା ଅସମ୍ଭବ ହେଲା । ସେ ଦେଶର ଲୋକ ଅଗତ୍ୟା ଦୁଇଜଣ ଦଉଡ଼ି ସାହାଯ୍ୟରେ ବୋଟ୍‍କୁ କୂଳେ କୂଳେ ଟାଣିଲେ । ଜଣେ ମଙ୍ଗ ଧରିଥାଏ ଓ ଅନ୍ୟ ଜଣକ ଆଗର ଦଳକୁ ପାଖକୁ ଠେଲୁଥାଏ ।

 

ଏହିପରି ଆହୁରି ଚାରିଦିନଯାଏ ଅଗ୍ରସର ହେଲୁ । ଏ ଚାରୋଟି ଦିନ ଆମକୁ କଠୋର ପରିଶ୍ରମ କରିବାକୁ ପଡ଼ିଥିଲା । କେବଳ ପରିଶ୍ରମ କରିବାକୁ ହୋଇଥିଲେ ଦୁଃଖ ନ ଥାନ୍ତା । କିନ୍ତୁ ପରିଶ୍ରମ ସାଥିକୁ ପ୍ରବଳ ଗରମ ଓ ମଶାଡାଉଁଶଙ୍କର ଅତ୍ୟାଚାର ସହିବାକୁ ପଡ଼ୁଥିଲା । ଯାହାହେଉ ଶେଷଦିନ ରାତ୍ରିରେ ଗୋଟିଏ ପାହାଡ଼ ଆମ ଦୃଷ୍ଟିପଥରେ ପଡ଼ିଲା ।

 

ପରଦିନ ସକାଳେ ପାହାଡ଼ଟି ଭଲରୂପେ ଦେଖି ପାରିଲୁ । ଏହାର ଆକାର ଗୋଲ ଓ ଏହା ଆମଠାରୁ ତିରିଶ ମାଇଲ ଦୂରରେ ଅବସ୍ଥିତ ବୋଲି ଅନୁମାନ କଲୁ । କିନ୍ତୁ ସେତେବେଳକୁ ଆମେ ସମସ୍ତେ ନିତାନ୍ତ ଅବଶ ହୋଇ ପଡ଼ିଥିଲୁ । କାହାରି ଦେହରେ ବଳ ନଥିଲା । ବୋଟ୍‍କୁ ଟାଣି ଚାଲିବା ଦୂରର କଥା, ପାହୁଣ୍ଡେ ଚାଲିବା ପାଇଁ କାହାରି ଶକ୍ତି ନଥିଲା । ଏହି ସୁଦୂର ନିର୍ଜନ ରାଜ୍ୟରେ ଆମର ମୃତ୍ୟୁ ନିଶ୍ଚିତ ବୋଲି ମନେ ହେଲା । ମୁଁ ବୋଟ୍ ଉପରେ ପଡ଼ିଗଲି । କେତେବେଳେ ନିଦ ଆସିଗଲା, ଜାଣି ପାରିଲି ନାହିଁ । ମୁଁ ସ୍ଵପ୍ନରେ ଦେଖିଲି, ଆମ ବୋଟ୍‍ରେ ପାଣି ପଶିଯାଇଛି । ସେଥିରେ ଚାରି ଜଣଙ୍କର ମୃତ ଦେହ ରହିଛି ।

 

ହଠାତ୍ ଏହି ଦୁଃସ୍ୱପ୍ନ ଦେଖି ମୋର ନିଦ ଭାଙ୍ଗିଗଲା । କିନ୍ତୁ ଏହାପରେ ଜାଗ୍ରତ ଅବସ୍ଥାରେ ଯାହା ଦେଖିଲି ତାହା ସେ ସ୍ଵପ୍ନଠାରୁ ଆହୁରି ଭୟଙ୍କର । ଗାଢ଼ ଅନ୍ଧକାର ମଧ୍ୟରେ ଦୁଇଟି ଆଖି ମୋତେ ଚାହିଁ ରହିଥିଲା । ମୋର ଦେହ ଭୟରେ ଥରି ଉଠି । ମୁଁ ବସିପଡ଼ି ଚିତ୍କାର କଲି । ଅନ୍ୟ ତିନିଜଣ ହଠାତ୍ ଉଠି ପଡ଼ିଲେ । ସେମାନେ ମୋର ଚିତ୍କାରର କାରଣ ଜାଣିପାରି ନଥିଲେ ହେଁ ଭୟ ପାଇ ଯାଇଥିଲେ ।

 

ପରିଷ୍କାର ଚନ୍ଦ୍ର କିରଣରେ ଦେଖିପାରିଲି, ଜଣେ ଲୋକ ଗୋଟାଏ ବର୍ଚ୍ଛା ମୋ ଛାତିକୁ ଲଗାଇ ଧରିଥିଲା । ବର୍ଚ୍ଛାର ଅଗ ଚକ୍ ଚକ୍ ହେଉଥାଏ । ଲୋକଟି ଆରବୀ ଭାଷାରେ ମୋତେ ପଚାରିଲା, ‘‘ତୁମେ କିଏ ? ଆମ ନଈକୁ ଆସିଛ କାହିଁକି ? ଶୀଘ୍ର କହ, ନୋହିଲେ ତୁମର ପ୍ରାଣ ନେବି ।’’ ତାର ଭାଷା ଆରବୀୟ ହେଲେହେଁ, ସେ ଯେପରି କହୁଥିଲା, ସେଥିରୁ ତାର ଅର୍ଥ ବୁଝିବା ମୋ ପକ୍ଷରେ କଷ୍ଟକର ହୋଇଥିଲା ।

 

ମୋର ଆରବୀୟ ଭାଷାରେ ଯାହା ଜ୍ଞାନ ଥିଲା, ତାହା ପ୍ରୟୋଗ କରି ଉତ୍ତର ଦେଲି, ‘‘ଆମେମାନେ ଭ୍ରମଣକାରୀ । ଦୈବାତ୍ ଏଠାକୁ ଆସି ଯାଇଛୁ ।’’

 

ଲୋକଟା ବୁଲିପଡ଼ି ତାର ପଛପଟେ ଥିବା ଜଣେ ଡେଙ୍ଗା ଲୋକକୁ ପଚାରିଲା, ‘‘ବାପା, ଏମାନଙ୍କୁ କଣ ମାରିଦେବା ?’’

 

ବୟସ୍କ ଲୋକଟି କହିଲା, ‘‘ସେମାନେ କିଏ ?’’

 

ଉତ୍ତର ମିଳିଲା, ‘‘ତିନିଜଣ ଗୋରା ଓ ଜଣେ କଳା ଲୋକ ।’’

 

ପ୍ରୌଢ଼ ପୁଣି କହିଲା,’’ନା, ସେମାନଙ୍କୁ ମାରି ଦେ ନା । ଚାରିଦିନ ତଳେ ଶ୍ରୀ ମୋତେ ହୁକୁମ ଦେଇଛନ୍ତି ଯେ ଯଦି କୌଣସି ଗୋରାଲୋକ ଆସନ୍ତି, ସେମାନଙ୍କୁ ନ ମାରି ଜିନିଷପତ୍ର ସହିତ ତାଙ୍କ ପ୍ରାସାଦକୁ ନେଇ ଯିବାକୁ ହେବ ।’’

 

ଏହା ଶୁଣି ବର୍ଚ୍ଛାଧାରୀ ଲୋକଟି ମୋତେ କହିଲା,, ‘‘ମୋ ସାଥିରେ ଚାଲ ।’’

 

ଆମକୁ ନୌକାରୁ ବାହାରକୁ ଅଣାଗଲା । ନଦୀକୂଳରେ ପ୍ରାୟ ପଚାଶ ଜଣ ଲୋକ ଥିଲେ । ପ୍ରତ୍ୟେକଙ୍କ ହାତରେ ଗୋଟିଏ ଲେଖାଏଁ ବର୍ଚ୍ଛା ଥିଲା । ସେମାନେ ସମସ୍ତେ ଡେଙ୍ଗା, ବଳୁଆ ବୋଲି ମନେ ହେଉଥିଲେ । କେହି କୌଣସି ପୋଷାକ ପିନ୍ଧି ନଥିଲେ, କେବଳ ଅଣ୍ଟାରେ ଗୋଟିଏ ଲେଖାଏଁ ସିଂହ ଚମଡ଼ା ଗୁଡ଼ାଇ ଦେଇଥିଲେ ।

 

ଡେଙ୍ଗା ଲୋକଟି ହୁକୁମ ଦେଲା, ‘‘ଚଉକି ନେଇଆସ ।’’

 

ମୁହୂର୍ତ୍ତକ ଭିତରେ ଗୁଡ଼ାଏ ଲୋକ କେତୋଟି ଚଉକି ଧରି ଦଉଡ଼ି ଆସିଲେ । ପ୍ରତ୍ୟେକ ଚଉକିକୁ ଚାରିଜଣ ଲୋକ ବୋହୁଥିଲେ । ଏମାନଙ୍କ ଛଡ଼ା ଆଉ ଦୁଇଜଣ ଲୋକ ଅଧିକା ଥିଲେ । ବୋଧହୁଏ କାହାରି ବିଶ୍ରାମ ଦରକାର ହେଲେ ଏମାନେ ତାହା ସ୍ଥାନରେ କାର୍ଯ୍ୟ କରିବେ ବୋଲି ସେମାନଙ୍କୁ ରଖାଯାଇ ଥିଲା ।

 

ଲିଓ ପରିହାସ କରି କହିଲେ, ‘‘ଏତେବେଳଯାଏ ଆମେ କଷ୍ଟ ସହି ଚାଲୁଥିଲେ । ଏବେ ଆମକୁ ବୋହିନେବା ପାଇଁ ଲୋକ ମିଳିଗଲେ । ଆମ ଭାଗ୍ୟ ଖୁବ୍ ଭଲ ।’’

 

ଆମେ ଚଉକିରେ ବସିଲାମାତ୍ରେ ଲୋକମାନେ ଚଉକିକୁ କାନ୍ଧରେ ରଖି ଚାଲିଲେ । ଗଲାବେଳେ ସେମାନେ ପାଦର ଗତି ସଙ୍ଗେ ତାଳ ରଖି ଗୀତ ଗାଉଥାନ୍ତି । ଗୀତର ସ୍ଵର ଓ ଲୋକ ମାନଙ୍କର ପାଦଧ୍ଵନି ଶୁଣୁଶୁଣୁ ମୁଁ ଶୋଇ ପଡ଼ିଲି । ମୋର ନିଦ ଭାଜିଲା ବେଳକୁ ଦୁଇପ୍ରହର ହୋଇ ଯାଇଥିଲା । ଆମେ ଘଣ୍ଟାରେ ଚାରି ମାଇଲ ବେଗରେ ଯାଇଥିଲୁ । ଏଣିକି ଆଉ ଜଳାଭୂମି ଦେଖାଯାଉ ନଥିଲା । ଆମେମାନେ ଗୋଟିଏ ପ୍ରାନ୍ତର ଉପରେ ଯାଇଥିଲୁ । ସେଥିରେ ବଡ଼ ବଡ଼ ଘାସ ପୂର୍ଣ୍ଣ ଥିଲା । ଆଗରେ ଗୋଟିଏ ପାହାଡ଼ ଦେଖାଯାଉଥିଲା ।

 

ଯେଉଁମାନେ ଆମକୁ ଚଉକିରେ ବସାଇ ବୋହି ନେଉଥିଲେ ସେମାନଙ୍କ ଦେହର ଗଠନ ସୁନ୍ଦର, କିନ୍ତୁ ସେମାନଙ୍କର ମୁହଁରୁ କୃରତାର ପରିଚୟ ମିଳୁଥିଲା । କାହାରି ମୁହଁରେ ହସ ନଥିଲା ସେମାନଙ୍କୁ ଦେଖି ମୋ ମନରେ ଭୟ ହେଉଥିଲା ।

 

ଏମାନେ କିଏ ? କେଉଁଠାରୁ ଆସିଅଛନ୍ତି ? ଏମାନଙ୍କର ଉଦ୍ଦେଶ୍ୟ କଅଣ ? ଏହିସବୁ ବିଷୟ ମୁଁ ଚିନ୍ତା କରୁଥିବା ବେଳେ ମୋ ପାଖରେ ଅନ୍ୟ ଏକ ଚଉକି ବୁହା ହୋଇ ଯାଉଥିବାର ଦେଖିଲି । ଏଥିରେ ଜଣେ ବୁଦ୍ଧ ଲୋକ ବସିଥିଲେ । ଲୋକଟି ଦେଖିବାକୁ ସୁନ୍ଦର । ମୁହଁରେ ଲମ୍ବ ଦାଢ଼ି ଥିଲା । ସେ ଅନ୍ୟମାନଙ୍କ ପରି ସିଂହ ଚମ ନ ପିନ୍ଧି ହଳଦିଆ ଲୁଗା ପିନ୍ଧିଥିଲେ । ଏହି ଲୁଗା ସହିତ ଲୁହା ବାକ୍‍ସରେ ଥିବା ହଳଦିଆ କନାର ଯଥେଷ୍ଟ ସାଦୃଶ୍ୟ ଥିଲା । ମୁଁ ଅନୁମାନ କଲି, ଆମ ବୋଟ୍ ଉପରେ ଯୁବକଟି ଯାହାଙ୍କୁ ‘ବାପା’ ବୋଲି ଡାକୁଥିଲା ଏ ସେହି ଲୋକ ।

 

ସେ ମୋ ପାଖକୁ ଆସିଲାକ୍ଷଣି କହିଲେ, ‘‘ଏତେବେଳକୁ ତୁମ ନିଦ ଭାଜିଲା ?’’

 

ମୁଁ ଅତି ନମ୍ର ଭାବରେ ମୋର ଖଣ୍ଡଖଣ୍ଡିଆ ଆରବୀ ଭାଷାରେ ଉତ୍ତର କଲି, ‘‘ହଁ, ମହାଶୟ ! ମୋର ପ୍ରଣାମ ଗ୍ରହଣ କରନ୍ତୁ ।’’

 

ସେ ସାମାନ୍ୟ ହସି କହିଲେ, ‘‘ତୁମେ କେଉଁ ଦେଶରୁ ଆସିଛ ମୁଁ ଜାଣେନା, କିନ୍ତୁ ସେ ଦେଶର ଲୋକ ଆମର ଭାଷା ଓ ଭଦ୍ରତା ଜାଣନ୍ତି, ଏତିକି ବୁଝିଛି । ତୁମେ ଏ ଦେଶକୁ ଆସିଛ । କାହିଁକି ? ମୋ ପିଲାଦିନୁ ଆଜି ପର୍ଯ୍ୟନ୍ତ କୌଣସି ବିଦେଶୀ ଏ ରାଜ୍ୟକୁ ଆସିବାର ଦେଖି ନଥିଲି । ତୁମର କଅଣ ଜୀବନକୁ ଲୋଭ ନାହିଁ ?’’

 

ମୁଁ ଉତ୍ତର କଲି, ‘‘ଆମେ ନୂଆ ନୂଆ ଜିନିଷ ଦେଖିବାକୁ ଆସିଛୁ । ପୁରୁଣା ଜିନିଷ ପ୍ରତି ଆମର ଆଦର ନାହିଁ । ଆମେ ସାହସୀ; ମରଣକୁ ଆମର ଭୟ ନାହିଁ । ମରିବା ପୂର୍ବରୁ କୌଣସି ନୂଆ ବିଷୟ ଶିଖିଲେ ଆମେ ନିଜକୁ ଧନ୍ୟ ମନେ କରୁଁ ।’’

 

ବୃଦ୍ଧ କହିଲେ, ‘‘ହଁ,ତା ହୋଇପାରେ । ମୋର ବିଶ୍ୱାସ ଶ୍ରୀ ତୁମର ଏହି ଇଚ୍ଛା ପୁରଣ କରିବେ । ତାଙ୍କର ଆଦେଶ ଅଲଂଘନୀୟ ।’’

 

ମୁଁ ପଚାରିଲି, ‘‘ଶ୍ରୀ କିଏ ?’’

 

ବୃଦ୍ଧ ହସି ଉଠିଲେ । ସେ ହସ ମୋତେ ବିରକ୍ତିକର ବୋଧ ହେଲା । ସେ କହିଲେ, ‘‘ତୁମର ଜୀବନ ଥାଉଁ ଥାଉଁ ଶ୍ରୀ ଯଦି ତୁମକୁ ଦେଖା ଦିଅନ୍ତି, ତେବେ ସେ କିଏ ଜାଣିପାରିବ ।’’

 

ମୁଁ ପଚାରିଲି ‘‘ଆପଣମାନେ କେଉଁ ଜାତିର ଲୋକ ?’’

 

ବୃଦ୍ଧ ଉତ୍ତର କଲେ, ‘‘ଅମହାଗର ଜାତିର । ତାର ଅର୍ଥ ପାହାଡ଼ିଆ ଜାତି ।’’

 

‘‘ଆପଣଙ୍କ ନାମ ଜାଣିପାରେ କି ?’’

 

‘‘ମୋର ନାମ ବିଲେଲି ।’’

 

"ଆମେ କେଉଁଠାକୁ ଯାଉଥାଏଁ ?"

 

‘‘ପରେ ଜାଣି ପାରିବ ।’’

 

ମୋତେ ଏତିକି କହି ବୃଦ୍ଧ ଜବ୍‍ର ଚଉକି ପାଖକୁ ତାଙ୍କୁ ନେବା ପାଇଁ ବେହେରାମାନଙ୍କୁ ଆଦେଶ ଦେଲେ ।

Image

 

ଗହ୍ୱରରେ ବିଶ୍ରାମ

 

ଚଉକିରେ ମୁଁ ପୁଣି ଥରେ ଶୋଇ ପଡ଼ିଲି । ନିଦରୁ ଉଠି ଦେଖିଲି, ଆମ ଦଳ ଦୁଇଟି ପାହାଡ଼ର ମଝିରେ ଥିବା ନିମ୍ନ ଭୂମିରେ ଚାଲିଛନ୍ତି । କିଛିଦୂର ଯିବାପରେ ଆମେ ବାଟ ଭାଙ୍ଗି ଏକ ପାର୍ଶ୍ଵରେ ଗଲୁ । ପ୍ରାୟ ପାଞ୍ଚମାଇଲ ବ୍ୟାପୀ ଏକ ଉପତ୍ୟକା ଆମ ଆଗରେ ଦେଖାଗଲା । ଏହାର ଦୃଶ୍ୟ ଅତି ସୁନ୍ଦର । ଚାରିପାଖେ ତରୁଲତା ଦ୍ୱାରା ଆଚ୍ଛାଦିତ ପାହାଡ଼ । ଉପତ୍ୟକାରେ ତୃଣ ପ୍ରଚୁର ପରିମାଣରେ ଥିଲେହେଁ ସ୍ଥାନେ ସ୍ଥାନେ ବୃକ୍ଷର ଅଭାବ ନଥିଲା । ତୃଣରାଶି ମଧ୍ୟରେ କେତୋଟି କ୍ଷୁଦ୍ର ଜଳସ୍ରୋତ ପ୍ରବାହିତ ହେଉଥିଲା । ଏହି ତୃଣାଚ୍ଛାଦିତ ପ୍ରାନ୍ତରରେ ବହୁ ସଂଖ୍ୟକ ଗୋମେଷାଦି ବିଚରଣ କରୁଥିଲେ । ଏମାନଙ୍କ ମଧ୍ୟରେ କେତେକ ଲୋକ ଯିବାଆସିବା କରୁଥିବାରୁ ନିକଟରେ ଲୋକାଳୟ ଥିବ ବୋଲି ମୁଁ ଆଶା କରିଥିଲି, କିନ୍ତୁ ଗୋଟିଏ ସୁଦ୍ଧା ଘର ମୋର ଆଖିରେ ପଡ଼ି ନଥିଲା ।

 

ଏହାପରେ ଆମେମାନେ ବାମ ଦିଗକୁ ଯାଇ ଉପତ୍ୟକାର ଏକପ୍ରାନ୍ତକୁ ଆସି ପ୍ରାୟ ଅଧମାଇଲ ପର୍ଯ୍ୟନ୍ତ ଏହାର ଧାରେ ଧାରେ ଗଲୁ । ଏହିଠାରେ ସମସ୍ତେ ବିଶ୍ରାମ ନେଲେ । ବିଲେଲି ତାଙ୍କର ଚଉକିରୁ ଓହ୍ଲାଇଲେ । ମୁଁ ମଧ୍ୟ ଓହ୍ଲାଇ ପଡ଼ିଲି । ମୁଁ ଦେଖିଲି ମହମଦ ବିଚାରା ଚାଲି ଚାଲି ଆସିଛି । ଆମ ତିନିଜଣଙ୍କୁ ଚଉକିରେ ଅଣା ଯାଇଥିଲା । କିନ୍ତୁ ତାକୁ ଅନ୍ୟମାନଙ୍କ ସହିତ ଚାଲି ଚାଲି ଆସିବାକୁ ହୋଇଥିଲା ।

 

ଆମେମାନେ ଯେଉଁଠାରେ ବିଶ୍ରାମ ନେଉଥିଲୁ ତାହା ଗୋଟିଏ ଗହ୍ୱରର ସମ୍ମୁଖଭାଗ । ଆମ ବୋଟ୍‍ରେ ଥିବା ସମସ୍ତ ଜିନିଷ ଅଣାଯାଇ ଏହି ଗହ୍ୱରରେ ରଖା ଯାଇଥିଲା । ଆମ ଚାରିପାଖେ ଚଉକି ବୋହି ଆଣିଥିବା ଲୋକମାନଙ୍କ ଛଡ଼ା ଆହୁରି ଅନେକ ପୁରୁଷ ଓ ସ୍ତ୍ରୀ ଥିଲେ । ସ୍ତ୍ରୀମାନେ ପୁରୁଷମାନଙ୍କ ପରି ସିଂହଚର୍ମ ପିନ୍ଧି ନଥିଲେ । ସେମାନଙ୍କର ପରିଧାନ ଥିଲା ଶମ୍ବର ଚର୍ମ-। ଅଳ୍ପ କେତେଜଣ ସ୍ତ୍ରୀଲୋକ ହଳଦିଆ ଲୁଗା ପିନ୍ଧିଥିଲେ । ମୁଁ ବୁଝିପାରି ଥିଲି ଯେ ଏ ଦେଶରେ କେବଳ ଉଚ୍ଚକୁଳର ନରନାରୀ ହଳଦିଆ ଲୁଗା ପିନ୍ଧିବାର ଅଧିକାରୀ ।

 

ଲିଓ ଚଉକିରୁ ଓହ୍ଳାଇପଡ଼ି ମୁଣ୍ଡରୁ ଟୋପି କାଢ଼ିଦେଲେ । ଏବେ ସମସ୍ତଙ୍କର ଦୃଷ୍ଟି ତାଙ୍କରି ଉପରେ । ଲୋକମାନଙ୍କ ମଧ୍ୟରେ ଜଣେ ସୁନ୍ଦରୀ ମହିଳା ଥିଲେ । ତାଙ୍କର ହଳଦିଆ ଲୁଗା ଉଚ୍ଚ କୁଳର ପରିଚୟ ଦେଉଥିଲା । ତାଙ୍କ ଦେହର ବର୍ଣ୍ଣ ସୁନାପରି ଓ ବାଳର ରଙ୍ଗ ଈଷତ୍ ହଳଦିଆ-। ସେ କିଛିସମୟ ଯାଏ ଲିଓଙ୍କୁ ଚାହିଁ ରହିଲେ । ତତ୍ପରେ ହଠାତ୍ ଆଗେଇ ଆସି ସେ ଲିଓଙ୍କ ଗଳାରେ ହାତ ଛନ୍ଦିଦେଲେ ଓ ତାଙ୍କର ହସ୍ତକୁ ଚୁମ୍ବନ କଲେ ।

 

ମୋର ଆଶଙ୍କା ହେଲା ଏ ଅସଭ୍ୟ ଜାତିର ଲୋକେ ଲିଓଙ୍କର ପ୍ରାଣ ନେବେ । ଜବ୍ କହିଲା,’’ଓଃ ଏ ସ୍ତ୍ରୀଟାର ଟିକିଏ ହେଲେ ଲଜ୍ଜା ନାହିଁ ।’’

 

ଲିଓ ବିସ୍ମିତ ହୋଇଗଲେ । ସେ କଅଣ କରିବେ ହଠାତ୍ ସ୍ଥିରକରି ପାରିଲେ ନାହିଁ । ସେ ଭାବିଲେ, ଗଳାକୁ ଧରି ହସ୍ତଚୁମ୍ବନ କରିବା ଏଦେଶର ବିଧି ହୋଇଥିବ । ତେଣୁ ସେ ମଧ୍ୟ ଉକ୍ତ ରମଣୀଙ୍କର ଗଳାରେ ହାତ ଛନ୍ଦି ତାଙ୍କର ହସ୍ତକୁ ଚୁମ୍ବନ କଲେ ।

 

ଏହା ଦେଖି ମୋର ଆଶଙ୍କା ହେଲା ଯେ ଲିଓଙ୍କର ଏହି ଆଚରଣର ପରିଣାମ ଭୟାବହ ହେବ । କିନ୍ତୁ ସେପରି କିଛି ଘଟିଲା ନାହିଁ । ବେଶୀ ବୟସର ସ୍ତ୍ରୀମାନେ ହସି ଆନନ୍ଦପ୍ରକାଶ କଲେ । ଅଳ୍ପ କେତେଜଣ ଯୁବତୀଙ୍କର ମୁଖରେ ବିରକ୍ତି ଦେଖାଗଲା । ପରେ ମୁଁ ବୁଝିଲି ଯେ ରମଣୀଟି ଗଳାରେ ହାତଛନ୍ଦି ତାଙ୍କ ହାତକୁ ଚୁମ୍ବନ ଦେବାଦ୍ୱାରା ତାଙ୍କୁ ବିବାହ କରିବାର ଇଚ୍ଛା ଜଣାଇଥିଲା । ଲିଓ ଠିକ୍‍ ସେହିପରି କରିବାଦ୍ଵାରା ତାଙ୍କୁ ପତ୍ନୀରୂପେ ଗ୍ରହଣ କରିଥିବା ଜଣାଗଲା ବୋଲି ସେମାନେ ବୁଝିଥିଲେ । ଅବଶ୍ୟ ଲିଓଙ୍କର ସେପରି ଅଭିପ୍ରାୟ ମୋଟେ ନଥିଲା । ଯାହାହେଉ ପାର୍ବତୀୟ ଜାତିର ଲୋକେ ଧରିନେଲେ ଯେ ଏ ଦୁହେଁ ପତି ପତ୍ନୀ ହୋଇଗଲେ ।

 

ଏହି ମହିଳାଙ୍କର ନାମ ଉସ୍ତେନ । ସେ ହେଲେ ଲିଓଙ୍କର ପତ୍ନୀ ।

 

ଆଉ ଜଣେ ସ୍ତ୍ରୀଲୋକ ଜବ୍ ଆଡ଼କୁ ଆସୁଥିଲା । ତାହାର ବୟସ ଜବ୍‍ଠାରୁ ଅନେକ ବେଶୀ ହେବ । ତାକୁ ଆଗେଇବାର ଦେଖି ଜବ୍‍ର ଭୟ ହେଲା । ଠିକ୍ ଏହି ସମୟରେ ବିଲେଲି ଆସି ଆମକୁ ଗହ୍ୱର ଭିତରକୁ ନେଇଯିବାରୁ ଜବ୍ ରକ୍ଷା ପାଇଗଲା ।

 

ଗହ୍ୱରଟି ପ୍ରାୟ ଶହେଫୁଟ ଲମ୍ବ ଓ ପଚାଶଫୁଟ ଚଉଡ଼ା । ଏଥିରେ ବିଭିନ୍ନ ଦିଗକୁ ଯିବାର ବାଟ ଥିଲା । ଏହାକୁ ଦେଖିଲେ ସ୍ପଷ୍ଟ ଜଣା ପଡ଼ୁଥିଲା ଯେ ଏହା ପ୍ରାକୃତିକ ଗହ୍ୱର ନୁହେଁ । ଅନ୍ତତଃ ଏହାର କେତେକ ଅଂଶ ମନୁଷ୍ୟଦ୍ୱାରା ଖୋଦିତ ହୋଇ ଥିଲା ।

 

ମେଜିଆର ମଝିରେ ନିଆଁ ଜଳୁଥିଲା । ତାହା ଚାରିପାଖରେ କେତୋଟି ଆସନ ପଡ଼ିଥିଲା । ବିଲେଲି ଆମମାନଙ୍କୁ ସେହି ଚମଡ଼ାର ଆସନମାନଙ୍କ ଉପରେ ବସାଇଦେଲେ । କେତେକ ଯୁବତୀ ଆମମାନଙ୍କୁ ପରଷି ଦେଲେ ଓ ଆମେମାନେ ଖାଇ ତୃପ୍ତ ହେଲୁ । ଖାଦ୍ୟ ମଧ୍ୟରେ ମାଂସ, ଦୁଧ ଓ ଯଅ ପ୍ରଧାନ ଥିଲା ।

 

ଭୋଜନପରେ ବିଲେଲି ଆମମାନଙ୍କୁ ଲକ୍ଷ୍ୟକରି କହିଲେ, ‘‘ଆମ ଦେଶରେ ଗୋଟିଏ ନୂଆକଥା ଘଟିଛି । ଏଦେଶକୁ କେବେ କୌଣସି ଶ୍ଵେତାଙ୍ଗ ଆସି ନଥିଲେ । ଅନ୍ୟ ଜାତିର ଯେଉଁ କେତେ ଜଣ କେବେ କେବେ ଆସିଥିଲେ, ସେ ସମସ୍ତଙ୍କୁ ହତ୍ୟା କରାଯାଇ ଅଛି । ତୁମେମାନେ ଆମର ପ୍ରାଚୀନ କେନାଲରେ ନୌକା ନେଇ ଆସୁଥିଲା । ତୁମମାନଙ୍କୁ ଦେଖି ହତ୍ୟା କରିବାପାଇଁ ମୁଁ ଆଦେଶ ଦେଇଥିଲି । କିନ୍ତୁ ଏହି ସମୟରେ ଶ୍ରୀଙ୍କର ଆଦେଶ ପହଞ୍ଚିଲା ।’’

 

ମୁଁ ହଠାତ୍ ପଚାରିଦେଲି, ‘‘ଶ୍ରୀ କିଏ ?’’

 

ବିଲେଲି ଉତ୍ତର କଲେ, ‘‘ସେ ଆମ ଦେଶର ରାଣୀ । ଏଦେଶର ମନୁଷ୍ୟ ପଶୁପକ୍ଷୀ କୀଟପତଙ୍ଗ ଏପରିକି ପାହାଡ଼ ପର୍ବତ, ବୃକ୍ଷଲତା ସଭିଙ୍କ ଉପରେ ତାଙ୍କର ଅଧିକାର ଅଛି । ସମସ୍ତେ ତାଙ୍କରି ଆଦେଶରେ ଚାଳିତ । ତାଙ୍କରି ଆଦେଶକୁ କେହି ଲଙ୍ଘନ କରି ନପାରେ । ମୁଁ ତାଙ୍କ ପାଖକୁ ଯାଉଛି । ତାଙ୍କର ଆଦେଶ ଅନୁସାରେ ତୁମମାନଙ୍କ ପ୍ରତି ଯାହା କରିବାର କଥା କରାଯିବ ।’’

 

‘‘ତୁମେ କେବେ ଫେରିବ ?’’

 

‘‘ଆଜିଠାରୁ ପାଞ୍ଚଦିନ ପରେ ଆସିବି ।’’

 

‘‘ତେବେ ସେ ଯେଉଁଠାରେ ରହନ୍ତି, ତାହା ଏଠାରୁ ଅଢ଼େଇଦିନର ବାଟ । ଆମେ ଆସିଛୁ ବୋଲି ସେ କିପରି ଜାଣିଲେ ?’’

 

ବିଲେଲି ହସି ଦେଇ କହିଲେ, ‘‘ମନୁଷ୍ୟ ଆଖି ନ ଥାଇ ଦେଖିପାରେ, କାନ ନ ଥାଇ ଶୁଣିପାରେ । ତୁମ ଦେଶରେ କଣ ସେପରି ଲୋକ ନାହାନ୍ତି ? ଆଉ ସେଭଳି ପ୍ରଶ୍ନ ପଚାର ନାହିଁ । ମୁଁ ଏତିକି କହିପାରେଁ, ସେ ତୁମର ଆସିବା ବିଷୟ ଜାଣି ପାରିଥିଲେ । ମୋର ଅନୁପସ୍ଥିତିରେ ତୁମର କିଛି ଅସୁବିଧା ହେବ ନାହିଁ । ମୋର ବିଶ୍ୱାସ, ଶ୍ରୀ ତୁମମାନଙ୍କ ପ୍ରତି ଦୟା ଦେଖାଇବେ । ମୁଁ ତୁମମାନଙ୍କୁ ଭଲପାଏଁ ଓ ତୁମମାନଙ୍କ ପାଇଁ ଶ୍ରୀଙ୍କୁ କହିବି । କିନ୍ତୁ ମୁଁ କୌଣସି ନିର୍ଭର ପ୍ରତିଶ୍ରୁତି ଦେଇପାରିବି ନାହିଁ । ମୋ ଅମଳରେ, ମୋର ପିତା, ପିତାମହ, ପ୍ରପିତାମହ, ବୁଦ୍ଧପ୍ରପିତାମହ ପ୍ରଭୃତିଙ୍କ ଅମଳରେ ଯେତେ ବିଦେଶୀ ଏ ଦେଶକୁ ଆସିଅଛନ୍ତି, ସେ ସମସ୍ତଙ୍କୁ ଶ୍ରୀଙ୍କ ଆଦେଶରେ ହତ୍ୟା କରାଯାଇଅଛି, ତାହା ପ୍ରକାଶ କରିବା ଦରକାର ନାହିଁ ।’’

 

ମୁଁ କହିଲି, ‘‘ମୁଁ ଗୋଟିଏ ସନ୍ଦେହରେ ପଡ଼ିଛି । ତୁମର ପିତାମହ, ପ୍ରପିତାମହଙ୍କ ଅମଳରେ ମଧ୍ୟ ଶ୍ରୀଙ୍କ ଆଦେଶରେ ସେମାନଙ୍କୁ କିପରି ହତ୍ୟା କରାଯାଇଥିଲା ? ସେତେବେଳେ କଅଣ ଶ୍ରୀ ଥିଲେ ?’’

 

ବିଲେଲି କୌଣସି ଉତ୍ତର ନ ଦେଇ କେବଳ ହସି ହସି ଚାଲିଗଲେ ।

Image

 

ଗହ୍ୱରରେ ଚାରୋଟି ଦିନ

 

ଯେଉଁ ଲୋକଟି ଆମର ତତ୍ତ୍ୱ ନେବାକୁ ଥିଲା, ତାର ଚେହେରା କୁତ୍ସିତ । ତାର ବୟସ ପ୍ରାୟ ଚାଳିଶ ବର୍ଷ ହେବ । ଆମେମାନେ ଗାଧୋଇବାକୁ ଚାହିଁବାରୁ ସେ ଆମମାନଙ୍କୁ ଗୋଟିଏ ଝରଣା ପାଖକୁ ନେଇଗଲା । ଗାଧୋଇ ଫେରିବା ବେଳକୁ ସନ୍ଧ୍ୟା ହୋଇଥିଲା । ଆମେ ଆସି ଦେଖିଲୁ, ଗହ୍ୱରରେ ଅନେକ ସ୍ଥାନରେ ନିଆଁ ଜଳୁଛି ଓ ନିଆଁ ଚାରିପାଖେ ବସି ଲୋକେ ଖାଉଅଛନ୍ତି-। କାହାରି ତୁଣ୍ଡରେ କଥା ନାହିଁ ।

 

ଆମେମାନେ କିଛି ସମୟ ବସି ସେମାନଙ୍କର ଖାଇବା ଦେଖିଲୁ । କିନ୍ତୁ ସମସ୍ତ ପରିବେଶ ଏତେ ବିରକ୍ତିକର ବୋଧ ହେଲା ଯେ ଶୋଇବାକୁ ଯିବାପାଇଁ ବାହାରିଲୁ ।

 

ଆମର ତତ୍ତ୍ୱାବଧାରକ ଗୋଟିଏ ଦୀପ ଧରି ମୋତେ ଗୋଟିଏ ଗଳି ବାଟରେ କିଛି ଦୂର ନେଇଗଲା । ଦଶ ପନ୍ଦର ହାତ ଯିବାପରେ ଏକ ଛୋଟ କୋଠରିରେ ପହଞ୍ଚିଲୁ । ଏହି କୋଠରିର ଏକ ପାଖରେ ପଥରର ଗୋଟିଏ ବେଦୀ ଥିଲା । ଏହାର ଲମ୍ବ ଚାରିହାତ ଓ ଓସାର ଦେଢ଼ ହାତ ହେବ । ସେ ମୋତେ ଏହି ବେଦୀ ଉପରେ ଶୋଇବାକୁ କହି ଚାଲିଗଲା । କୋଠରି ଭିତରେ ଝରକା ବା ପବନ ଯିବା ଆସିବାର ବାଟ ନଥିଲା । ଟେବୁଲ, ଚୌକି ବା ଅନ୍ୟ କିଛି ଉପକରଣ ନଥିଲା । ଏହାକୁ ଦେଖି ମୋର ମନେ ହେଲା, ଏହା ଉପରେ କୌଣସି ମନୁଷ୍ୟ ଶୋଇ ନପାରେ ।

 

ହୁଏ ତ ଏହା ମଡ଼ା ନିମନ୍ତେ ନିର୍ମିତ ହୋଇଥିଲା । କିନ୍ତୁ ମୋତେ କୌଣସିଠାରେ ଶୋଇବାକୁ ହେବ । ଅଗତ୍ୟା ମୁଁ ମୋର ଜିନିଷପତ୍ର ଥିବା ଥାଳୀ ଆଣିବା ପାଇଁ ଗହ୍ୱର ଭିତରକୁ ଗଲି । ସେଠାରେ ଜବ୍ ସାଙ୍ଗରେ ଦେଖାହେଲା । ତାହାଠାରୁ ଶୁଣିଲି ଯେ ତାକୁ ମଧ୍ୟ ସେହିପରି ଗୋଟିଏ ବେଦୀରେ ଶୋଇବାକୁ କୁହାଯାଇଅଛି । ସେ କହିଲା, ‘‘ସେ ତ ଶୋଇବା ଘର ନୁହେଁ; ଗୋଟିଏ କବର ମୁଁ ସେଠାରେ ଶୋଇ ପାରିଲି ନାହିଁ । ମୁଁ ଆପଣଙ୍କ କୋଠରିରେ ବରଂ ତଳେ ଶୋଇବି । ସେ କୋଠରିରେ ଏକୁଟିଆ ଶୋଇପାରିବି ନାହିଁ ।’’

 

ରାତି କୌଣସିମତେ ପାହିଲା । ସକାଳେ ଗୋଟାଏ ଢୋଲ ବାଜିବାରୁ ଆମେ ଉଠିପଡ଼ିଲୁ । ଝରଣାରେ ଗାଧୋଇ ଆସିବା ପରେ ଆମମାନଙ୍କୁ ଖାଇବାକୁ ଦିଆଗଲା । ଆମେ ଖାଇବାକୁ ଯାଉଛୁ, ଏହି ସମୟରେ ଜଣେ ସ୍ତ୍ରୀଲୋକ ଜବ୍ ନିକଟକୁ ଚାଲିଆସି ତାକୁ ଚୁମ୍ବନ କରିବାକୁ ବାହାରିଲା । ଜବ୍ ନିତାନ୍ତ ବିରକ୍ତ ହୋଇ କହିଲା, ‘‘ଯାଆ, ବାହାରିଯାଆ ।’’ ତାହାପରେ ଆମମାନଙ୍କୁ ଲକ୍ଷ୍ୟକରି କହିଲା, ‘‘ଏ ସ୍ତ୍ରୀ ଲୋକଟା କିଏ ମୁଁ ଜାଣେନା; ଏହାକୁ ଏଥିପୂର୍ବରୁ ଦେଖିଛି ବୋଲି ମୋର ସ୍ମରଣ ହେଉନାହିଁ । ମି.ହୋଲି, ଦେଖନ୍ତୁ ସେ ପୁଣି ମୋ ଆଡ଼କୁ ଆସୁଛି । ତାକୁ ବାହାର କରିଦିଅନ୍ତୁ ।’’

 

ପାହାଡ଼ିଆ ଲୋକମାନେ ହସୁଥିଲେ । କିନ୍ତୁ ସେହି ସ୍ତ୍ରୀଲୋକଟି କ୍ରୋଧରେ କମ୍ପି ଯାଉଥିଲା । ମୁଁ ଭାବିଲି, ଜବ୍ ନିଜର ମର୍ଯ୍ୟାଦା ପ୍ରତି ବେଶୀ ଦୃଷ୍ଟି ଦେଇ ସ୍ତ୍ରୀଲୋକଟିର ମନୋଭାବ ପ୍ରତି ଆଦୌ ଲକ୍ଷ୍ୟ ରଖିନାହିଁ । ମୋର ଆଶଙ୍କା ହେଲା ଯେ ଏହାର ପରିଣାମ ସ୍ଵରୂପ ଆମମାନଙ୍କର ଜୀବନ ବିପନ୍ନ ହୋଇପାରେ । ମୁଁ କହିଲି, ‘‘ଆପଣମାନେ ଏହି ଯୁବକକୁ କ୍ଷମା କରିବେ । ଭଦ୍ରଲୋକ ବିବାହିତ ତାର ସ୍ତ୍ରୀ ଭୀଷଣ ପ୍ରକୃତିର ଲୋକ । ତା ଉପରେ ନାନା ଅତ୍ୟାଚାର କରେ । ତେଣୁ ସ୍ତ୍ରୀଜାତି ପ୍ରତି ତାର ଗୋଟାଏ ଭୟ । କାହାରିକୁ ଅପମାନ ଦେବା ତାର ଉଦ୍ଦେଶ୍ୟ ନୁହେଁ ।’’

 

ସେମାନେ ନୀରବରେ ମୋର କଥା ଶୁଣିଲେ । କିନ୍ତୁ ଜବ୍‍ର ଆଚରଣରେ ସେମାନଙ୍କ ଅଭିମାନ ଉପରେ ଆଘାତ ଆସିଥିଲା । ତେଣୁ ସେମାନେ ନିତାନ୍ତ କ୍ରୁଦ୍ଧ ହୋଇଥିଲେ ।

 

ଖାଇ ସାରିବାପରେ ଆମେ ବସି ଲୋକମାନେ କ୍ଷେତରେ କାମ କରୁଥିବାର ଦେଖିଲୁ । ଲିଓର ଭାବୀ ପତ୍ନୀ ଉସ୍ତେନ ଆସି ଆମ ସହିତ ବସିଲା । ଏହି ଅବସରରେ ମୁଁ ଉସ୍ତେନଠାରୁ କେତେକ ସମ୍ବାଦ ପାଇବା ଆଶାରେ ପଚାରିଲି, ‘‘ତୁମର ଏଇ ଲୋକମାନେ କେଉଁଠାରୁ ଆସିଛନ୍ତି-?’’

 

‘‘ମୁଁ ଜାଣେନା । ଆମର ରାଣୀ ଶ୍ରୀ ଯେଉଁଠାରେ ରହନ୍ତି, ସେଠାରେ ଗୋଟିଏ ପ୍ରାଚୀନ ନଗରୀର ଅନେକ ଧ୍ଵଂସାବଶେଷ ଅଛି । ଏହି ନଗରୀର ନାମ ଥିଲା, କୋର୍ । ଏହି ଧ୍ଵଂସାବଶେଷ ଦେଖିବାକୁ କେହି ଯାଆନ୍ତି ନାହିଁ । ସେଥିରେ କେବଳ ପ୍ରେତ ପୁରୁଷମାନେ ରହନ୍ତି । ଆମ ଦେଶରେ ଅନେକ ଉଚ୍ଚ ସ୍ଥାନ ଅଛି । ସେସବୁ ପ୍ରାଚୀନ ଗ୍ରାମ ଓ ସହରର ଧ୍ଵଂସାବଶେଷ । ଏଠାରେ ଯେପରି ଗହ୍ୱର ଦେଖୁଛ, ସେସବୁରେ ମଧ୍ୟ ସେହିପରି ଗହ୍ୱର ଖୋଳା ଯାଇଥିଲା ଓ ସେଥିରେ ପ୍ରାଚୀନ ଯୁଗର ଲୋକେ ବାସ କରୁଥିଲେ ।’’

 

‘‘ତୁମ ଦେଶରେ କିଛି ଆଇନ ଅଛି ?’’

 

‘‘ଆମର କେତେକ ବିଧି ପରମ୍ପରା ଅଛି । ଯିଏ ତାହା ଆମାନ୍ୟକରେ ତାକୁ ଦଣ୍ଡଦିଆଯାଏ । ଦଣ୍ଡର ଅର୍ଥ ମୃତ୍ୟୁଦଣ୍ଡ ।’’

 

‘‘ସେମାନଙ୍କୁ କିପରି ବଧ କରାଯାଏ ?’’

 

ଏହାର କୌଣସି ଉତ୍ତର ନ ଦେଇ ଉସ୍ତେନ ଟିକିଏ ହସି ଦେଲା । କିଛି ସମୟ ପରେ କହିଲା, ‘‘ନିକଟରେ ତୁମେ ତାହା ଦେଖି ପାରିବ ।’’

 

‘‘ତୁମର କେହି ଶାସକ ଅଛନ୍ତି ?’’

 

‘‘ହଁ, ଆମର ରାଣୀ ଆମକୁ ଶାସନ କରନ୍ତି । କିନ୍ତୁ ତାଙ୍କୁ ଦେଖିବା ସହଜ ନୁହେଁ । ଦୁଇ ତିନି ବର୍ଷରେ କେବେ କାହାରିକୁ ପ୍ରାଣଦଣ୍ଡ ଦେବା ଦରକାର ପଡ଼ିଲେ ସେ ଦେଖା ଦିଅନ୍ତି ।’’

 

‘‘ତା’ଙ୍କର ରୂପ କିପରି ?’’

 

‘‘ମୁଁ ତା କହି ପାରିବି ନାହିଁ । ସେ ବାହାରକୁ ଆସିଲା ବେଳେ ମଧ୍ୟ ମୁଣ୍ଡଠାରୁ ପାଦ ପର୍ଯ୍ୟନ୍ତ ପୋଷାକରେ ଘୋଡ଼ାଇଥାନ୍ତି । କେହି ତାଙ୍କର ମୁହଁ ଦେଖି ନାହାନ୍ତି । ଶୁଣାଯାଏ ଯେ ସେ ଅପୂର୍ବ ସୁନ୍ଦରୀ ସବୁ ପଦାର୍ଥ ଉପରେ ତାଙ୍କର ଅଧିକାର ଅଛି । ଆଉ ଗୋଟିଏ କଥା, ସେ ଚିରଞ୍ଜୀବୀ । ତାଙ୍କର ମରଣ ନାହିଁ ।’’

 

ଏହିପରି ଚାରିଦିନ ଗଲା । ଏଥି ମଧ୍ୟରେ ଆମେ ଉସ୍ତେନଠାରୁ ଓ ଅନ୍ୟ କେତେ ଜଣଙ୍କଠାରୁ ବିବରଣ ସଂଗ୍ରହ କରୁଥାଉଁ । ସେଥିରୁ ଜଣାଗଲା, ଏଦେଶର ଲୋକେ ପୃଥିବୀର ଅନ୍ୟାନ୍ୟ ଦେଶର ଲୋକଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଏମାନଙ୍କର ଅନ୍ୟ ଦେଶର ଲୋକଙ୍କ ସହିତ କୌଣସି ସଂସ୍ରବ ନାହିଁ । ଶତଶତ ବର୍ଷ ଧରି କୌଣସି ଇଉରୋପୀୟ ଆମ ପୂର୍ବରୁ ଏ ଦେଶକୁ ଆସି ନ ଥିଲେ । ଯେଉଁ କେତେ ଜଣ ଅନ୍ୟ ଦେଶୀୟ ଲୋକ କେବେ କେବେ ଆସୁଥିଲେ, ସେମାନଙ୍କୁ ହତ୍ୟା କରାଯାଉଥିଲା । ଏ ଦେଶକୁ ଯେଉଁ ଜଳାଭୂମି ବେଢ଼ି ରହିଛି, ସେଥିରେ ଗୋଟିଏ ଦୁଇଟି ସଂକୀର୍ଣ୍ଣ ପଥ ଅଛି, କିନ୍ତୁ ତାହା ପ୍ରାୟ କାହାରିକୁ ଜଣା ନାହିଁ । ତେଣୁ ଏ ଦେଶର ଯେଉଁମାନେ ବାହାରକୁ ଯିବାକୁ ଉଦ୍ୟମ କରିଥିଲେ, ସେମାନେ ପ୍ରାଣ ହରାଇ ଅଛନ୍ତି ।

 

ଲୁହା ବାକ୍‍ସରୁ ଯେଉଁ ବିବରଣ ମିଳିଥିଲା, ତାହାର ଆଂଶିକ ସତ୍ୟତା ଦେଖି ଲିଓ ଆନନ୍ଦିତ ହୋଇଥିଲେ । ଜବ୍ ବିସ୍ମୟରେ ଅଭିଭୂତ ହୋଇ ଚିନ୍ତାଶକ୍ତି ହରାଇ ଥିଲା ପରି ମନେ ହେଲା । ମହମ୍ମଦ ନିତାନ୍ତ ଭୟଗ୍ରସ୍ତ ହୋଇ ପଡ଼ିଥିଲା । ପାହାଡ଼ିଆ ଜାତିର ଲୋକେ ତାହାପ୍ରତି ଭଦ୍ରତା ଦେଖାଉ ଥିଲେ ସତ; କିନ୍ତୁ ତାହାପ୍ରତି ସେମାନଙ୍କର ଆଦୌ ସହାନୁଭୂତି ନ ଥିଲା । ତାର ଭୟର କାରଣ ମୁଁ ବୁଝି ପାରୁନଥିଲି । ମୁଁ ପଚାରିଲେ ସେ କହୁଥିଲା, ‘‘ଏମାନେ ମନୁଷ୍ୟ ନୁହନ୍ତି; ସଇତାନର ବଂଶଧର ।’’

Image

 

ବିଚିତ୍ର ଭୋଜି

 

ବିଲେଲି ଆମକୁ ରଖାଇ ଯିବାର ଚତୁର୍ଥ ଦିନ । ସେଦିନ ସନ୍ଧ୍ୟାରେ ଗୋଟାଏ ବିଶେଷ ଘଟନା ଘଟିଲା । ମୁଁ, ଲିଓ, ଜବ୍ ଓ ଉସ୍ତେନ ନିଆଁ ପାଖେ ବସିଥିଲୁ । ଉସ୍ତେନ ନିମ୍ନ ସ୍ଵରରେ ଗୋଟିଏ ଗୀତ ଗାଉଥିଲେ । ସେଥିରୁ ମୁଁ ସାମାନ୍ୟ ବୁଝି ପାରୁଥିଲି । କେବଳ ଏତିକି ଜାଣିଲି ଯେ ଏହା ଗୋଟିଏ ପ୍ରେମ କବିତା ।

 

ଗୀତ ଗାଉ ଗାଉ ହଠାତ୍ ତାଙ୍କର ସ୍ଵର ବନ୍ଦ ହୋଇଗଲା । ସେ ଅନ୍ଧାର ଆଡ଼କୁ ଏକ ଦୃଷ୍ଟିରେ ଚାହିଁ କୌଣସି ପଦାର୍ଥ ଆଡ଼କୁ ହାତ ଦେଖାଇଲେ । କିନ୍ତୁ ଆମେ କିଛି ଦେଖି ପାରିଲୁ ନାହିଁ-। ଲିଓ ପଚାରିଲେ, ‘‘ଉସ୍ତେନ, କଥା କଅଣ ? କାହାକୁ ଏପରି ଚାହିଁ ରହିଛ-?’’

 

ସେ ହସି ଦେଇ କହିଲେ, ‘‘ନା, ସେ କିଛି ନୁହେଁ । ତୁମକୁ ବୃଥା କଷ୍ଟ ଦେବାରେ କି ଲାଭ ? ତେବେ ମୋର ଏକାନ୍ତ ଅନୁରୋଧ, ମୋ ଅନ୍ତେ ମୋତେ ମନେ ରଖିଥିବ ।’’

 

ଉସ୍ତେନଙ୍କର ଏହି କଥାର ଉଦ୍ଦେଶ୍ୟ ବୁଝି ହେଲାନାହିଁ । ସବୁ ରହସ୍ୟମୟ ବୋଧ ହେଲା ।

 

ପରଦିନ ସକାଳେ ଆମର ତତ୍ତ୍ୱାବଧାରକ ଆସି ମୋତେ କହିଲା, ‘‘ଆଜି ତୁମମାନଙ୍କ ପାଇଁ ଏକ ସ୍ଵତନ୍ତ୍ର ଭୋଜିର ବ୍ୟବସ୍ଥା ହେଉଅଛି ।’’ ଉସ୍ତେନ ଆମ ପାଖରେ ଥିଲେ । ଏହି ଭୋଜିର ସମ୍ବାଦ ଶୁଣିବା ମାତ୍ରେ ସେ ଭୟରେ ତଟସ୍ଥ ହୋଇଗଲେ । ତାଙ୍କର ମୁହଁ କଳା ପଡ଼ିଗଲା । ସେ ସେହି ଲୋକଟିର ହାତ ଧରି କିଛି କହିଲେ; କିନ୍ତୁ ତାର ଉତ୍ତରରେ ବିରକ୍ତି ପୁରି ରହିଥିଲା । ଉସ୍ତେନ ଯେ ଦୁଃଖିତ ଓ ଚିନ୍ତାଗ୍ରସ୍ତ ତାହା ସ୍ପଷ୍ଟ ଜଣା ଯାଉଥିଲା । ଏକ ଅଜ୍ଞାତ ଆଶଙ୍କାରେ ମୁଁ ଭୋଜିକୁ ନ ଯିବାପାଇଁ ସ୍ଥିର କରି କହିଲି, ‘‘ଆମେ ଏକ ଶାନ୍ତିପ୍ରିୟ ଜାତିର ଲୋକ । ଭୋଜି ପ୍ରଭୃତି ଆମକୁ ଭଲ ଲାଗେ ନାହିଁ ।’’ ମୋ କଥାର କିଛି ଉତ୍ତର ମିଳିଲା ନାହିଁ ।

 

ସନ୍ଧ୍ୟାପୂର୍ବରୁ ଆମକୁ ଜଣାଇ ଦିଆଗଲା ଯେ ଭୋଜି ପ୍ରସ୍ତୁତ ହୋଇ ସାରିଛି । ଅନିଚ୍ଛା ସତ୍ତ୍ୱେ ଆମେମାନେ ଗହ୍ୱର ଭିତରକୁ ଗଲୁ ।

 

ଗହ୍ୱର ଭିତରେ ଚୁଲିରେ ନିଆଁ ଜଳୁଥିଲା । ଏହା ଚାରି ପାଖେ ପଞ୍ଚତ୍ରିଶ ଜଣ ପୁରୁଷ ଓ ଦୁଇ ଜଣ ସ୍ତ୍ରୀ ଥିଲେ । ମହମ୍ମଦ ଏହି ପୁରୁଷମାନଙ୍କ ଭିତରେ ଥିଲା । ସ୍ତ୍ରୀ ଦୁଇଜଣ ମଧ୍ୟରୁ ଜଣେ ହେଉଛି ଉସ୍ତେନ ଓ ଅନ୍ୟ ଜଣକ ହେଉଛି, ଜବ୍‍କୁ ଚୁମ୍ବନ ଦେବାକୁ ଉଦ୍ୟମ କରୁଥିବା ସ୍ତ୍ରୀ ଲୋକଟି-

 

ଜବ୍ ମୋତେ କହିଲା, ‘‘ଦେଖନ୍ତୁ, ସେ ସ୍ତ୍ରୀ ଲୋକଟା ମହମଦକୁ କଅଣ କହୁଛି । ଭାଗ୍ୟକୁ ସେ ମୋ ପାଖକୁ ଆସି ନାହିଁ ।’’

 

ମହମଦ ଗହ୍ୱରର ଗୋଟାଏ କୋଣରେ ବସିଥିଲା । ସ୍ତ୍ରୀ ଲୋକଟି ତାହାକୁ ଧରି ମଝିକୁ ନେଇ ଆସିଲା । ମହମଦ ଯେ ନିତାନ୍ତ ଭୟବିହ୍ଵଳ ହୋଇ ଯାଇଥିଲା ଏଥିରେ ସନ୍ଦେହ ନାହିଁ ।

 

ମୁଁ ଜବ୍‍କୁ କହିଲି, ‘‘ମୁଁ ଏମାନଙ୍କର ଉଦ୍ଦେଶ୍ୟରେ ଘୋର ସନ୍ଦିହାନ । ତୁମ ପାଖରେ ପିସ୍ତଲ ଅଛିତ ? ଯେ କୌଣସି ଅବସ୍ଥା ପାଇଁ ଆମର ପ୍ରସ୍ତୁତ ରହିବା ଉଚିତ ।’’

 

ମୋ ପାଖରେ ଓ ଜବ୍ ପାଖରେ ପିସ୍ତଲ ଥିଲା । କିନ୍ତୁ ଲିଓଙ୍କ ପାଖରେ ଗୋଟିଏ ଛୁରୀ ଛଡ଼ା ଆଉ କିଛି ନ ଥିଲା ।

 

ପୁରୁଷମାନେ ବସି ମଦ ଖାଉଥିଲେ । ଖାଇବା ଜିନିଷ କିଛି ଦେଖା ନ ଥିଲା । କେବଳ ଚୁଲି ଉପରେ ଗୋଟାଏ ବଡ଼ ଲୁହା କଡ଼େଇ ବସିଥିଲା । ଏହାକୁ ଉଠାଇବା ପାଇଁ ଏହାର ଦୁଇ ପାଖେ ଗୋଟିଏ ଲେଖାଏଁ କଡ଼ା ଲାଗିଥିଲା ।

 

କିଛି ସମୟ ପରେ ଗୀତ ଆରମ୍ଭ ହେଲା । ଜଣେ ଗୀତ ବୋଲି ପ୍ରଶ୍ନ କରୁଥିଲା । ଅନ୍ୟମାନେ ସେହିପରି ଗୀତରେ ତାର ଉତ୍ତର ଦେଉଥିଲେ । ସେମାନଙ୍କ ପ୍ରଶ୍ନ ଓ ଉତ୍ତରର ମର୍ମ ଏହିପରି ଥିଲା–

 

‘‘ଆମେ ଖାଇବାକୁ ବସିଲୁ; କିନ୍ତୁ ମାଂସ କାହିଁ ?’’

 

‘‘ମାଂସ ଆସି ପହଞ୍ଚିଯିବ ।’’

 

‘‘ମାଂସ କାହୁଁ ଆସିବ ?’’

 

‘‘ଆମେ ତାକୁ ମାରି ମାଂସ ଆଣିବୁ ।’’

 

‘‘ମାଂସ ରନ୍ଧା ହେବାକୁ କଟା ହୋଇଛି ?’’

 

‘‘ହଁ, କଟା ହୋଇଛି ।’’

 

‘‘କଡ଼େଇ ତାତି ପାଚିଲାଣି ?’’

 

‘‘ହଁ, ତାତି ଲାଲ ହେଲାଣି ।’’

 

ଏହା ଶୁଣି ଲିଓ ମୋତେ କହିଲେ, ‘‘ହୋଲି, ବାକ୍‍ସର ଲେଖାରେ କଅଣ ଥିଲା ମନେପଡ଼ୁଛି ? ‘ଏଠାର ଲୋକେ ବିଦେଶୀମାନଙ୍କ ମୁଣ୍ଡରେ କଡ଼େଇ ରଖନ୍ତି ।’’

 

ଏହି ସମୟରେ ଦୁଇ ଜଣ ଲୋକ ଉଠିଯାଇ ଚୁଲୀ ଉପରୁ କଡ଼େଇଟାକୁ ଟେକି ଆଣିଲେ । ଏଣେ ଯେଉଁ ସ୍ତ୍ରୀଟି ମହମଦ ପାଖରେ ଥିଲା, ସେ ଖଣ୍ଡିଏ ଦଉଡ଼ି ବାହାର କରି ସେଥିରେ ତାର ଦୁଇ ବାହୁ ସହିତ ଛାତିକୁ ବାନ୍ଧି ପକାଇଲା । ମହମଦ ସେ ବନ୍ଧନରୁ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ସେ ଦୁଇଜଣ ଲୋକ ଲୁହା କଡ଼େଇଟିକୁ ତା ପାଖକୁ ଆଣି ତଳେ ରଖିଦେଲେ । ଏହାକୁ ସେମାନେ ମହମଦର ମୁଣ୍ଡ ଉପରେ ରଖିବେ; ଏ ବିଷୟରେ ଆମର ଲବ ମାତ୍ର ସନ୍ଦେହ ରହିଲା ନାହିଁ । ଜବ୍ ଏହି ସ୍ତ୍ରୀ ଲୋକଟିର ଅପମାନ କରିଥିଲା । ତାହାର ପ୍ରତିଶୋଧ ପାଇଁ ଏ ପ୍ରକାର ବ୍ୟବସ୍ଥା କରାଯାଇଥିଲା ।

 

ସେ ଦୁଷ୍ଟ ସ୍ତ୍ରୀ ମହମଦକୁ ଧରିଥିଲା ଓ ଲୋକ ଦୁହେଁ କଡ଼େଇକୁ ଉଠାଇବାକୁ ଯାଉଥିଲେ । ମୁଁ ଦେଖିଲି, ଆଉ ଡେରି କଲେ ଚଳିବ ନାହିଁ । ମୁଁ ସେ ସ୍ତ୍ରୀକୁ ଲକ୍ଷ୍ୟ କରି ଗୁଳି ମାରିଲି ।

 

କିନ୍ତୁ ସେ ମହମଦକୁ ଧରି ରହିଥିବାରୁ ମୋର ଗୁଳିଟି ସ୍ତ୍ରୀ ଲୋକର ଦେହ ଭେଦ କରି ମହମଦର ଦେହକୁ ମଧ୍ୟ ଭେଦି ଗଲା । ଦୁହେଁ ମରି ତଳେ ପଡ଼ିଗଲେ । ମହମଦକୁ ରକ୍ଷା କରିବାକୁ ଯାଇ ମୁଁ ତାର ମୃତ୍ୟୁର କାରଣ ହେଲି ।

 

ମୋ ପାଖରେ ଥିବା ଲୋକଟି ତାର ବର୍ଚ୍ଛା ବାହାର କଲା । ତାହା ଦେଖି ମୁଁ ଲିଓ ଓ ଜବ୍‍ଙ୍କୁ ପଳାଇବା ପାଇଁ କହିଲି ଓ ନିଜେ ଗହ୍ୱର ଭିତରକୁ ଦଉଡ଼ି ଗଲି । ସେ ଦୁହେଁ ମଧ୍ୟ ମୋ ସଙ୍ଗେ ଦୌଡ଼ିଲେ । ଗହ୍ୱରର ଏକ ପ୍ରାନ୍ତରେ ଆଠଫୁଟ ଲମ୍ବ ଓସାର ଓ ତିନି ଫୁଟ ଉଚ୍ଚ ଗୋଟିଏ ପଥର ବେଦୀ ଥିଲା । ଆମେ ତିନିହେଁ ଯାକ ତାହା ଉପରକୁ ଚଢ଼ିଯାଇ ଲୋକମାନଙ୍କ ସହିତ ଯୁଦ୍ଧ କରିବାକୁ ପ୍ରସ୍ତୁତ ହୋଇଗଲୁ ।

 

ଲିଓ ମୋତେ କହିଲେ, ‘‘ଏତେଲୋକଙ୍କ ବିରୁଦ୍ଧରେ ଯୁଦ୍ଧକରି ଜୀବନରକ୍ଷାର ଆଶା କରାଯାଇ ନପାରେ । ସେମାନେ ଆମକୁ ମାରି ଆମର ମାଂସ ଖାଇବେ । ତୁମେ ଦୁହେଁ ମୋ ପାଇଁ ଏ ଦୁଃଖ ବରଣ କରିଅଛି । ସେଥିପାଇଁ ମୋତେ କ୍ଷମା କରିବ । ଏବେ ବିଦାୟ ।’’

 

ଜବ୍ ପିସ୍ତଲରେ ଗୁଳି ମାରିଲା । ସଙ୍ଗେ ସଙ୍ଗେ ଲୋକମାନେ ଆମ ଆଡ଼କୁ ମାଡ଼ି ଆସିଲେ । ଜଣେ ବେଦୀ ଉପରକୁ ଉଠିଆସିଲାକ୍ଷଣି ଲିଓ ତା ଛାତିରେ ଛୁରୀ ଭୁଷିଦେଲେ । ମୁଁ ଗୁଳି ମାରିବାକୁ ଲାଗିଲି । ପିସ୍ତଲର ଗୁଳି ଶେଷ ହୋଇ ଯିବାରୁ ମୁଁ ମଧ୍ୟ ଛୁରୀ ସାହାଯ୍ୟରେ ଆକ୍ରମଣ ଚଳାଇଲି । ଜବ୍ କଅଣ କରୁଥିଲା ମୁଁ ଭଲରୂପେ ଲକ୍ଷ୍ୟକରି ପାରି ନଥିଲି । ବୋଧହୁଏ ସେ ବେଦୀ ଉପରେ ମଲାପରି ପଡ଼ି ରହିଥିଲା । ଜଣେ ଲୋକକୁ ମୁଁ ଏତେ ଜୋରରେ ଛୁରା ମାରିଲି ଯେ ଛୁରାଟା ମୋ ହାତରୁ ଖସିଗଲା । ଏହି ସମୟରେ ଦୁଇଜଣ ମୋ ଉପରକୁ ମାଡ଼ି ଆସିଲେ । ମୁଁ ସେ ଦୁହିଁଙ୍କୁ ଦୁଇହାତରେ ଧରି ପକାଇଲି । ଏହା ଫଳରେ ଆମେ ତିନିଜଣଯାକ ବେଦୀ ଉପରୁ ତଳକୁ ଖସି ପଡ଼ିଲୁ । ଅନେକବେଳଯାଏ ଧରାଧରି ଓ ଗଡ଼ାଗଡ଼ି ପରେ ସେ ଦୁହେଁ ଆଉ ପ୍ରତିରୋଧ କଲେ ନାହିଁ । ବୋଧହୁଏ ଦୁହେଁଯାକ ମରି ଯାଇଥିଲେ ।

 

ମୁହଁ ବୁଲାଇ ମୁଁ ଦେଖିଲି ଯେ ଲିଓ ମଧ୍ୟ ବେଦୀ ଉପରୁ ତଳେ ପଡ଼ି ଯାଇଛନ୍ତି ଓ ତାଙ୍କ ଚାରିପାଖେ ଦଳେ ଲୋକ ବେଢ଼ି ରହିଅଛନ୍ତି । ସେ ଅସୀମ ପରାକ୍ରମ ସହକାରେ ସେମାନଙ୍କ ସହିତ ସଂଘର୍ଷରେ ଲାଗିଥିଲେ । ଏହି ସମୟରେ ତାଙ୍କ ହାତରୁ ଛୁରାଟା ଖସିପଡ଼ିଲା । ମୋର ଆଶଙ୍କା ଜନ୍ମିଲା ଯେ ଲିଓ ଏତେ ଲୋକଙ୍କ ହାତରୁ ରକ୍ଷା ପାଇପାରିବେ ନାହିଁ । କିନ୍ତୁ ସେ ହଠାତ୍ ମରିପଡ଼ିଥିବା ଜଣେ ଲୋକକୁ ମୁଣ୍ଡ ଉପରକୁ ଟେକି ଘୂରାଇ ଘୂରାଇ ଆକ୍ରମଣକାରୀଙ୍କ ଉପରକୁ ଫିଙ୍ଗି ଦେଲେ । ଏହା ଫଳରେ ପାଞ୍ଚଛଅଜଣ ଲୋକ ତଳେ ପଡ଼ିଗଲେ । କିନ୍ତୁ ମୁହୂର୍ତ୍ତକ ପରେ ଜଣକ ଛଡ଼ା ଅନ୍ୟସମସ୍ତେ ଉଠିପଡ଼ି ଲିଓଙ୍କ ଉପରକୁ ଝାମ୍ପି ପଡ଼ିଲେ । ଲିଓ ତଳେ ପଡ଼ିଗଲେ ଓ ସେମାନେ ତାଙ୍କୁ ମାଡ଼ିବସି ତାଙ୍କ ହାତ ଓ ଗୋଡ଼କୁ ଧରି ପକାଇଲେ ।

 

ସେମାନଙ୍କ ଭିତରୁ ଜଣେ ପାଟିକଲା, 'ଗୋଟାଏ ବର୍ଚ୍ଛା ଆଣ । ତାକୁ ଶେଷ କରିଦେବା-। ତାର ରକ୍ତ ରଖିବାପାଇଁ ଗୋଟାଏ କଡ଼େଇ ମଧ୍ୟ ନେଇଆସ ।’’

 

ମୋର ଆଖି ବୁଜି ହୋଇଗଲା । କିଛି ସମୟ ପର୍ଯ୍ୟନ୍ତ ଗୋଳମାଳର ଶବ୍ଦ ଶୁଣିପାରିଲି-। ଆଖି ଖୋଲିଲା ବେଳକୁ ଦେଖିଲି ଉସ୍ତେନ ଲିଓଙ୍କ ଉପରେ ପଡ଼ି ରହି ଶତୃମାନଙ୍କ ଆକ୍ରମଣରୁ ତାଙ୍କୁ ରକ୍ଷା କରୁଅଛନ୍ତି । ଲୋକେ ତାଙ୍କୁ ଲିଓଙ୍କ ପାଖରୁ ଅଲଗା କରି ନେବାକୁ ଚେଷ୍ଟାକଲେ । କିନ୍ତୁ ସେ ଦୁଇ ବାହୁ ଓ ଦୁଇ ପାଦକୁ ଲିଓଙ୍କ ଦେହରେ ଛନ୍ଦି ଦେଇଥିବାରୁ ସେମାନଙ୍କ ଚେଷ୍ଟା ବିଫଳ ହେଲା ।

 

ଜଣେ କେହି ଚିତ୍କାର କଲା,’’ସେ ଦୁହିଁଙ୍କୁ ଏକ ସଙ୍ଗରେ ବର୍ଚ୍ଛାରେ ଶେଷ କରିଦିଅ ।’’

 

ମୁଁ ଦେଖିଲି ଜଣେ ବର୍ଚ୍ଛା ଟେକି ଆଘାତ କରିବାକୁ ଆସୁଛି । ମୋର ଆଖି ବୁଜି ହୋଇଗଲା । ହଠାତ୍ ଶୁଣାଗଲା–'ବନ୍ଦ କର ।’

 

ମୁଁ ଅଚେତ ହୋଇ ପଡ଼ିଗଲି । ଏହାପରେ କଅଣ ହେଲା ଜାଣିପାରିଲି ନାହିଁ ।

Image

 

ସଂଘର୍ଷ ପରେ

 

ମୋର ଚେତା ଫେରି ଆସିଲା । ମୁଁ ଦେଖିଲି, ନିଆଁ ପାଖରେ ଗୋଟିଏ ଚମଡ଼ା ଉପରେ ମୁଁ ଶୋଇଛି । ମୋ ପାଖରେ ଲିଓ ଶୋଇଛନ୍ତି । ତାଙ୍କର ଆଖି ଦୁଇଟି ବନ୍ଦ । ଉସ୍ତେନ ପାଖରେ ବସି ତାଙ୍କର ଘାଆକୁ ଧୋଇ ଦେଉଅଛନ୍ତି । ତାଙ୍କ ପଛରେ ଜବ୍ ଛିଡ଼ା ହୋଇଛି । ଆମର ଆରପାଖେ ଅନେକ ଲୋକଙ୍କର ମୃତ ଦେହ ପଡ଼ିଥିଲା । ମୁଁ ଦେଖିଲି ମୋଟରେ ଚଉଦଟି ମୃତ ଦେହ ପଡ଼ିଛି, ସେଥିରୁ ଗୋଟିଏ ମହମଦର ଓ ଗୋଟିଏ ସେହି ସ୍ତ୍ରୀଲୋକର । ଅନ୍ୟ ଏକ ପାର୍ଶ୍ଵରେ ଆମର ଆକ୍ରମଣକାରୀମାନଙ୍କ ମଧ୍ୟରୁ ବଞ୍ଚିଥିବା ଲୋକମାନଙ୍କୁ କେତେଜଣ ଜଗି ରହିଥିଲେ । ବିଲେଲି ଏହି ଆକ୍ରମଣକାରୀମାନଙ୍କର ହାତକୁ ପଛବୁହା କରି ବାନ୍ଧିବାରେ ଲାଗିଥିଲେ ।

 

ମୁଁ ବସିବାରୁ ସେ ମୋ ପାଖକୁ ଆସି କହିଲେ,’’ତୁମ ଦେହ ଟିକିଏ ଭଲ ଲାଗୁଛି ତ ?" ମୁଁ କହିଲି,’’ଆମମାନଙ୍କର ଜୀବନରକ୍ଷା କରିଥିବାରୁ ଆପଣଙ୍କୁ ଧନ୍ୟବାଦ । ଆପଣ ଆସି ନଥିଲେ ସେମାନେ ଆଉ ମୁହୂର୍ତ୍ତକରେ ଆମ ସମସ୍ତଙ୍କୁ ହତ୍ୟା କରିଥାନ୍ତେ । ଆମର ଚାକରଟିକୁ ସେମାନେ ବଧ କରିଛନ୍ତି ।’’

 

"ଯେଉଁମାନେ ତାକୁ ବଧ କରିଛନ୍ତି, ସେମାନଙ୍କୁ ଉଚିତ ଦଣ୍ଡ ଦେବାପାଇଁ ଶ୍ରୀଙ୍କ ନିକଟକୁ ପଠାଇ ଦିଆଯିବ । ସେମାନେ ନିଜ ଅପକର୍ମର ଫଳ ଅବଶ୍ୟ ଭୋଗିବେ । କାହିଁକି ଏ ସଂଘର୍ଷ ହେଲା ?"

 

ସମସ୍ତ ଘଟଣା ମୋଠାରୁ ଶୁଣି ବିଲେଲି କହିଲେ, ‘‘ଆମ ଦେଶର ପ୍ରଥା ହେଉଛି, କୌଣସି ବିଦେଶୀ ଦେଖାଗଲେ ତା ମୁଣ୍ଡରେ ତତଲା କଡ଼େଇ ରଖି ତାକୁ ବଧ କରାଯାଏ । ମୋର ବ୍ୟକ୍ତିଗତ ମତ ହେଉଛି, ଏ ପ୍ରଥା ନିନ୍ଦନୀୟ । ଶ୍ରୀଙ୍କର ଆଦେଶ ଥିଲା ଯେ ତୁମମାନଙ୍କୁ ବଧ କରାଯିବ ନାହିଁ । କିନ୍ତୁ ଏ ହତଭାଗ୍ୟ ଲୋକଗୁଡ଼ାକ ତୁମମାନଙ୍କୁ ବଧ କରିବାକୁ ବସିଥିଲେ । ତୁମେମାନେ ଏହି ସଂଘର୍ଷରେ ଖୁବ୍ ବୀରତ୍ୱ ଦେଖାଇଅଛ । ତୁମେ ଓ ସେ ଡେଙ୍ଗା ଲୋକଟି ଯେପରି ଏତେ ଲୋକଙ୍କ ବିରୁଦ୍ଧରେ ଯୁଦ୍ଧକଲ, ତାହା ଅତି ଆଶ୍ଚର୍ଯ୍ୟ । ମୁଁ ତୁମର ବୀରତ୍ୱରେ ମୁଗ୍ଧ, ଏବେ ମୁଁ ତୁମର ବନ୍ଧୁ ହୋଇ ରହିବି ।’’

 

ଲିଓଙ୍କର ଚେତା ଆସିଲା । ସେ ଆଖି ଖୋଲିବାରୁ ଜବ୍ ଓ ଉସ୍ତେନ ଦୁହେଁ ମିଶି ତାଙ୍କୁ ଟେକି ନେଇ ଗୋଟିଏ ବିଛଣାରେ ଶୁଆଇଦେଲେ । ମୁଁ ମୋର ଛୋଟ କୋଠରିକୁ ଚାଲିଗଲି ।

 

ସକାଳ ହେଲା । ମୋର ନିଦ ଭାଙ୍ଗିଲେହେଁ ଉଠିବାକୁ ଇଚ୍ଛା ହେଲାନାହିଁ । ମୁଁ ଆଖି ବୁଜି ବିଛଣାରେ ପଡ଼ିରହିଲି । ବିଲେଲି ମୋ ପାଖକୁ ଆସିଲେ, କିନ୍ତୁ ମୁଁ ଶୋଇଛି ବୋଲି ମନେ କରି ଛିଡ଼ା ହୋଇ ରହିଲେ । ସେ ମନକୁ ମନ କହିଲେ,’’ଏ ଲୋକଟି ଗୋଟିଏ ବାନର ପରି ହେଲେହେଁ ବଡ଼ ଭଲ ମଣିଷ । ଶ୍ରୀ ଏହା ଉପରେ ତାଙ୍କର ମ୍ୟାଜିକ ପ୍ରୟୋଗ ନ କଲେ ଭଲ ହେବ ।’’

 

ମୁଁ ଆଖି ଖୋଲି ତାଙ୍କୁ ନମସ୍କାର ଜଣାଇଲି ।

 

ସେ କହିଲେ;’’ତୁମେ କିପରି ଅଛ, ଦେଖିବାକୁ ମୁଁ ଆସିଥିଲି । ଶ୍ରୀ ଆଦେଶ ଦେଇଛନ୍ତି, ତୁମକୁ ଯଥାଶୀଘ୍ର ତାଙ୍କ ପାଖକୁ ନେବାକୁ ହେବ । କିନ୍ତୁ ବର୍ତ୍ତମାନ ତୁମେ ଯାଇ ପାରିବା ବୋଧହୁଏ ସମ୍ଭବ ହେବନାହିଁ ।’’

 

ମୁଁ ଉତ୍ତରକଲି, ‘‘ନା, ବର୍ତ୍ତମାନ କୌଣସିଠାକୁ ଯିବାପାଇଁ ମୁ ଅକ୍ଷମ । କିନ୍ତୁ ଏ ଅନ୍ଧକାରରୁ ମୋତେ ସୂର୍ଯ୍ୟାଲୋକକୁ ନେଇଯିବାର ବ୍ୟବସ୍ଥା କରନ୍ତୁ ।’’

 

ସେ କହିଲେ,’’ହଁ, ଏ ସ୍ଥାନଟି କଦର୍ଯ୍ୟ । ପିଲାଦିନେ ମୁଁ ଏହି ବେଦୀ ଉପରେ ଗୋଟିଏ ସୁନ୍ଦରୀ ସ୍ତ୍ରୀର ଶବ ରହିଥିବାର ଦେଖିଥିଲି । ଅନେକ ସମୟରେ ମୁଁ ଆସି ତାହାକୁ ଦେଖୁଥିଲି । ସେ ଜୀଅନ୍ତା ଥିଲାପରି ଦିଶୁଥିଲା । ତାର ଦେହର ରଙ୍ଗ ଧଳା ଓ ତାର ବାଳଗୁଡ଼ିକ ସୁନେଲି ରଙ୍ଗର । ସେଗୁଡ଼ିକ ଲମ୍ବି ତାର ପାଦତଳେ ପଡ଼ୁଥିଲା । ଦିନେ ମୋର ମାଆ ଜାଣିପାରିଲେ ଯେ ମୁଁ ଏହି ସ୍ତ୍ରୀର ଶବକୁ ଦେଖିବାକୁ ଆସୁଛି । ସେ ଆସି ଶବଟିକୁ କାନ୍ଥରେ ଆଉଜାଇ ଛିଡ଼ା କରିଦେଲେ ଓ ଗୋଟିଏ ଦୀପ ନେଇ ତାର ବାଳରେ ନିଆଁ ଲଗାଇଦେଲେ । ଆମ ଦେଶରେ ଶବକୁ ଚିରଦିନ ରଖିବାପାଇଁ ଉପାୟ ଅଛି; କିନ୍ତୁ ଏହିପରି ତାକୁ ମଧ୍ୟ ପୋଡ଼ି ଦିଆଯାଇପାରେ । ମୁଁ ସେହି ଶବଟିକୁ ଅତ୍ୟନ୍ତ ଭଲପାଉଥିଲି । ମୁଁ ଆସିଲା ବେଳକୁ ତାର ପାଦ ଦୁଇଟି ଛଡ଼ା ସମସ୍ତ ଦେହ ପାଉଁଶ ହୋଇଯାଇଥିଲା । ଏ ପଥର ବେଦୀ ଭିତରେ ସେଥିରୁ ଗୋଟିଏ ପାଦ ଲୁଚାଇ ରଖିଛି ।’’ ମୁଁ ଯେଉଁଠାରେ ଶୋଇଥିଲି ତାରି ପାଖରୁ ଖଣ୍ଡିଏ ପଥର ଘୁଞ୍ଚାଇ ଦେଇ ସେ ପାଦଟିକୁ ବାହାର କରି ମୋ ହାତରେ ଦେଲେ । ଏହାର ଆକାର ବା ବର୍ଣ୍ଣରେ କିଛି ପରିବର୍ତ୍ତନ ଘଟି ନ ଥିଲା । ଏହି ପାଦଟିକୁ ଦେଖି ମୋର ଧାରଣା ହେଲା ଯେ ସେହି ରମଣୀ ନିଶ୍ଚୟ ଏକ ଅପୂର୍ବ ସୁନ୍ଦରୀ ରମଣୀ ଥିଲେ ।

Image

 

କୋର ନଗରୀକୁ ଯାତ୍ରା

 

ଆମମାନଙ୍କର ଯାତ୍ରାର ବ୍ୟବସ୍ଥା ହେଲା । ପାଞ୍ଚୋଟି ଚଉକି ଅଣାଗଲା । ବେହେରାମାନେ ପ୍ରସ୍ତୁତ ଥିଲେ । ଆମମାନଙ୍କ ସହିତ ପଚାଶ ଜଣ ପ୍ରହରୀ ଯିବାର ବ୍ୟବସ୍ଥା ହୋଇଥିଲା ।

ମୁଁ ବିଲେଲିଙ୍କୁ ପଚାରିଲି, ‘‘ଉସ୍ତେନ ଆମ ସାଥିରେ ଯିବେ ତ ?"

ସେ ଉତ୍ତର କଲେ,’’ଯଦି ଉସ୍ତେନ ଇଛା କରନ୍ତି, ସେ ନିଶ୍ଚୟ ଯିବେ । ଆମ ଦେଶର ପ୍ରଥା ଅନୁସାରେ ସେ ବର୍ତ୍ତମାନ ଲିଓଙ୍କର ସ୍ତ୍ରୀ । ସେ ଖୁବ୍ ସାହସ ଦେଖାଇ ଲିଓଙ୍କର ଜୀବନ ରକ୍ଷା କରିଛନ୍ତି । ଲିଓଙ୍କ ସହିତ ଯେ କୌଣସି ସ୍ଥାନକୁ ଯିବାପାଇଁ ତାଙ୍କର ଅଧିକାର ଅଛି । ଅବଶ୍ୟ ସେ ମନା କଲେ, ତାଙ୍କୁ ବାଧ୍ୟ କରି ନିଆଯାଇ ପାରିବ ନାହିଁ ।’’

ଉସ୍ତେନ ଆମ ସାଙ୍ଗରେ ଯିବେ ବୋଲି ସ୍ଥିର ହେଲା ।

ଆମେମାନେ ପାହାଡ଼ର ଧାରେ ଧାରେ ଉଠି ତାଟିଆ ପରି ଅଂଶରେ ପହଞ୍ଚିଲୁ । ଏହାର ମଧ୍ୟ ଭାଗ ପାର ହୋଇ ଆର ପାଖକୁ ଉଠିଲୁ । ଏହାର ଅପର ପାର୍ଶ୍ୱରେ ଗୋଟିଏ ତୃଣାଛାଦିତ ପ୍ରାନ୍ତର ଦେଖାଗଲା । ଏହି ପ୍ରାନ୍ତର ପାର ହୋଇ ଆମେମାନେ ଗୋଟିଏ ଜଳାଭୂମି ନିକଟରେ ପହଞ୍ଚିଲୁ । ଏହିଠାରେ କିଛି ସମୟ ବିଶ୍ରାମ ନେବାକୁ ହେଲା । ଜଳାଭୂମିଟି ଦଳ ଓ ଶିଉଳିରେ ପୂର୍ଣ୍ଣ । ସେଥିରେ ସ୍ଥାନେ ସ୍ଥାନେ ବିଷଧର ସର୍ପ ଯାତାୟାତ କରୁଥିଲେ । ବେଙ୍ଗମାନଙ୍କର କେଁ କାଁ ଓ କୀଟ ପତଙ୍ଗମାନଙ୍କର ଗୁଣୁଗୁଣୁ ଶବ୍ଦ ଛଡ଼ା ଅନ୍ୟ କୌଣସି ଶବ୍ଦ ଶୁଣାଯାଉନଥିଲା । ଆକାଶରେ କେତୋଟା ପକ୍ଷୀ ରାବି ରାବି ଉଡ଼ୁଥିଲେ ।

ସନ୍ଧ୍ୟାବେଳକୁ ଆମେମାନେ ଏହି ଜଳାଭୂମିରେ ଅବସ୍ଥିତ ଗୋଟିଏ ଦ୍ୱୀପରେ ପହଞ୍ଚିଲୁ-। ଦ୍ୱୀପଟି ବେଶ୍ ଉଚ୍ଚ । ଏଠାରେ ଆମମାନଙ୍କ ପାଇଁ ଖାଇବାର ବ୍ୟବସ୍ଥା ହେଲା । କିନ୍ତୁ ବେଙ୍ଗ ଓ କୀଟପତଙ୍ଗମାନଙ୍କ ଉପଦ୍ରବରେ ଆଦୌ ଶୋଇ ହେଲାନାହିଁ ।

ଲିଓ ମୋ ପାଖରେ ଶୋଇଥିଲେ । ତାଙ୍କ ଆଖି ଓ ମୁହଁ ଦେଖି ସେ ମାଲେରିଆରେ ଆକ୍ରାନ୍ତ ହୋଇଥିବାର ଜାଣି ପାରିଲି । ଉସ୍ତେନ ତାଙ୍କୁ ଜଗିବସି ରହିଥିଲେ ।

ପାହାନ୍ତିଆ ବେଳକୁ ମୋତେ ସାମାନ୍ୟ ନିଦ ହୋଇଗଲା । ଉଠିଲା ବେଳକୁ ସୂର୍ଯ୍ୟ ଉଇଁଥିଲେ । ଦେଖିଲି, ଲିଓ ବସି ଦୁଇ ହାତରେ ମୁଣ୍ଡକୁ ଚିପୁଛନ୍ତି ।

ମୁଁ ପଚାରିଲି,’’ଲିଓ, କିପରି ଅଛ ?"

ଲିଓ ଉତ୍ତର କଲେ,’’ମୋତେ ବଡ଼ ଖରାପ ଲାଗୁଛି । ବୋଧହୁଏ, ମୁଁ ବଞ୍ଚିବି ନାହିଁ ।’’ ଜବ୍‍ର ଦେହ ମଧ୍ୟ ଭଲ ନଥିଲା । ଏହି ସମୟରେ ବିଲେଲି ମୋତେ ପଚାରିଲେ,’’ଏ ଦୁହେଁ ଯାଇ ପାରିବେ ?" ମୁଁ କହିଲି,’’ଯିବା ଛଡ଼ା ଅନ୍ୟ ଉପାୟ ନାହିଁ । ଏଠାରେ ରହିଲେ ମରଣ ନିଶ୍ଚିତ ।’’

ଆମେ ପୁଣି ଚାଲିଲୁ । ଏହା ପରେ ଏକ ବିପଜ୍ଜନକ ଅଞ୍ଚଳ ପଡ଼ିଲା । କାଦୁଅରେ ବେହେରାମାନଙ୍କ ଆଣ୍ଠୁ ପର୍ଯ୍ୟନ୍ତ ବୁଡ଼ିଗଲା । ଦୁଇ ଜଣ ଲୋକ ବାଡ଼ିଧରି ପାଣିକୁ ପରୀକ୍ଷା କରିକରି ବାଟ ଦେଖଉଥାନ୍ତି ।

ଦୈବାତ ବିଲେଲିଙ୍କ ଚଉକିକୁ କାନ୍ଧେଇଥିବା ବେହେରାମାନଙ୍କ ମଧ୍ୟରୁ ଜଣେ ଗୋଟାଏ ସାପ ଉପରେ ପାଦ ପକାଇଦେଲା । ସେ ଡେଇଁ ପଡ଼ିଲା ଓ ବିଲେଲିଙ୍କ ସହିତ ତାଙ୍କ ଚଉକି ପାଣିରେ ପଡ଼ିଗଲା । ଲୋକେ ହୋ ହୋ ପାଟି କଲେ । ମୁଁ ସେଠାକୁ ଯାଇ ବେହେରା ବା ବିଲେଲି କାହାରିକୁ ଦେଖିପାରିଲି ନାହିଁ । କେବଳ ଚଉକିର କେତେକ ଅଂଶ ଦିଶୁଥିଲା । ମୁଁ ବୁଝିପାରିଲି ଯେ ଏହି ଚଉକି ତଳେ ବିଲେଲି ବୁଡ଼ି ଯାଇଥିବେ ।

ଲୋକଗୁଡ଼ାକ କେବଳ ପାଟି କରୁଥାନ୍ତି, କିନ୍ତୁ ବିଲେଲିଙ୍କୁ ଉଦ୍ଧାର କରିବାପାଇଁ କିଛିହେଲେ ଚେଷ୍ଟା କରୁନାହାନ୍ତି । ତେଣୁ ମୁଁ ପାଣି ଭିତରକୁ ଡେଇଁପଡ଼ି ବିଲେଲିଙ୍କୁ ଉପରକୁ ନେଇ ଆସିଲି । ସୌଭାଗ୍ୟର କଥା, କେବଳ କାଦୁଅରେ ଲଟପଟ ହେବା ଛଡ଼ା ତାଙ୍କର ଅନ୍ୟ କିଛି କ୍ଷତି ହୋଇ ନଥିଲା ।

 

ଦେହରୁ କାଦୁଅପାଣି ପୋଛି ହୋଇ ବିଲେଲି ତାଙ୍କ ଲୋକମାନଙ୍କୁ କହିଲେ, ‘‘ତୁମେମାନେ କୁକ୍‍କୁର ଠାରୁ ମଧ୍ୟ ହୀନ । ମୁଁ ତୁମ ଜାତିର ପିତା । ଅଥଚ ତୁମେମାନେ ମୋତେ ପାଣିରୁ ଉଦ୍ଧାର କରିବାକୁ ଆଦୌ ଚେଷ୍ଟା କଲନାହିଁ । କିନ୍ତୁ ଏହି ବାନରତୁଲ୍ୟ ବିଦେଶୀ ଲୋକଟି ମୋର ଜୀବନ ରକ୍ଷା କଲା । ସେ ଯଥାର୍ଥରେ ମୋର ପୁଅର କାର୍ଯ୍ୟ କରିଛି । ଆଜିଠାରୁ ସେ ଚିରଦିନ ପାଇଁ ମୋର ବନ୍ଧୁ । ସେ ମୋର ଯେଉଁ ଉପକାର କରିଛି ତାହା ଜୀବନରେ ଭୁଲିବି ନାହିଁ-।’’

Image

 

ଶ୍ରୀଙ୍କର ବାସସ୍ଥାନ

 

ସନ୍ଧ୍ୟା ପୂର୍ବରୁ ଆମେମାନେ ନିମ୍ନଭୂମି ଅତିକ୍ରମ କରି ସମତଳ ଭୂମିରେ ଉପସ୍ଥିତ ହେଲୁ-। ଏହି ସମଭୂମି କ୍ରମଶଃ ଉଚ୍ଚ ସମଭୂମିରେ ପରିଣତ ହୋଇଥିଲା । ରାତ୍ରିରେ କେତେକ ବୃକ୍ଷମୂଳରେ ବିଶ୍ରାମ ନେବାକୁ ହେଲା । ମୁଁ ଓ ଉସ୍ତେନ ସାରାରାତି ଚେଇଁ ରହି ଲିଓଙ୍କର ଶୁଶ୍ରୁଷାରେ ଲାଗିଲୁ । ତାହା ସତ୍ତ୍ୱେ ସକାଳକୁ ତାଙ୍କର ଅବସ୍ଥା ନିତାନ୍ତ ଖରାପ ବୋଧହେଲା ।

 

ସକାଳୁ ପୁଣି ଯାତ୍ରା ଆରମ୍ଭ ହେଲା । ଆମେମାନେ ଗୋଟିଏ ତୃଣାଚ୍ଛାଦିତ ପାହାଡ଼ର ଅଗ୍ରଭାଗରେ ଉପସ୍ଥିତ ହୋଇ ସମ୍ମୁଖରେ ଗୋଟିଏ ବୃକ୍ଷଲତା ପରିପୂର୍ଣ୍ଣ ତୃଣମୟ ପ୍ରାନ୍ତର ଦେଖି ପାରିଲୁ ।

 

ଏହି ପ୍ରାନ୍ତରର ଶେଷରେ ଗୋଟିଏ ବିଚିତ୍ର ପର୍ବତ ଦେଖାଯାଉଥିଲା । ଏହା ସମ୍ପୂର୍ଣ୍ଣ ଗୋଲାକାର ଓ ଏହାର ପାର୍ଶ୍ଵଦେଶ ଅତି ତୀକ୍ଷ୍‍ଣ । ଏହି ପର୍ବତର ଚାରିପାଖ ପ୍ରାୟ ସାତ ମାଇଲ ହେବ ବୋଲି ମୁଁ ଅନୁମାନ କଲି । ଏହାର ଅଗ୍ରଭାଗ ଆକାଶକୁ ସ୍ପର୍ଶ କଲାପରି ମନେ ହେଉଥିଲା ।

 

ମୁଁ ଚଉକିରେ ବସିରହି ଏହି ପର୍ବତ ଆଡ଼କୁ ଚାହିଁଥିଲି । ଏହି ସମୟରେ ବିଲେଲି ମୋ ପାଖକୁ ଲାଗିଆସି କହିଲେ,’’ସେଇ ହେଉଛି ଆମ ଶ୍ରୀଙ୍କର ବାସସ୍ଥାନ ।’’

 

ମୁଁ କହିଲି, ‘‘ସ୍ଥାନଟି ଆଶ୍ଚର୍ଯ୍ୟଜନକ ବୋଧ ହେଉଅଛି । କିନ୍ତୁ ଏ ପାହାଡ଼ ଅତିକ୍ରମ କରିବା ଅତି କଷ୍ଟକର ହେଉଥିବ ।’’

 

ବିଲେଲି, କହିଲେ ‘‘ଆମ ତଳକୁ ଚାହଁ । ସେ ବାଟ ଦେଖି ପାରୁଛ ?"

 

ମୁଁ ଗୋଟିଏ ଜଳସ୍ରୋତର ଶୁଷ୍କ ଶଯ୍ୟା ଦେଖି ପାରିଲି । ଏହି ଜଳସ୍ରୋତ କୌଣସି ପ୍ରାକୃତିକ ନଦୀ କି ମନୁଷ୍ୟ - ନିର୍ମିତ କେନାଲ ଥିଲା, ତାହା ସ୍ଥିର କରିପାରିଲି ନାହିଁ । ବିଲେଲି ମୋତେ ବୁଝାଇବାକୁ ଲାଗିଲେ-

 

"ଏଇ ଯେଉଁ ଗୋଲାକାର ପାହାଡ଼ ଦେଖୁଛ, ତାହାର ଠିକ୍ ମଝିରେ ଗୋଟିଏ ହ୍ରଦ ଥିଲା । ମୁଁ ହଜାର ହଜାର ବର୍ଷ ତଳର କଥା କହୁଛି । ସେହି ହ୍ରଦର ଶଯ୍ୟା ଏ ପ୍ରାନ୍ତରଠାରୁ ଉଚ୍ଚ ଥିଲା । ଯେଉଁ ଲୋକେ କୋର୍ ନଗରୀ ନିର୍ମାଣ କରିଥିଲେ, ସେମାନେ ଏହି ହ୍ରଦର ଶଯ୍ୟାରୁ ପାହାଡ଼ ତଳେ ତଳେ ଗୋଟିଏ ସୁଡ଼ଙ୍ଗ ଖୋଳିଥିଲେ । ଏହା ଫଳରେ ହ୍ରଦର ପାଣି ବହିଯାଇ ଏସବୁ ଭୀଷଣ ଜଳାଭୂମି ସୃଷ୍ଟି କରିଛି । ହ୍ରଦର ପାଣି ସରିଗଲା, କିନ୍ତୁ ସୁଡ଼ଙ୍ଗ ରହିଗଲା । ଲୋକମାନେ ସେହି ସୁଡ଼ଙ୍ଗ ବାଟେ ଯାଇ ଭିତରେ ନଗର ତିଆରି କରିଥିଲେ । ହ୍ରଦର ଏକ ଅଂଶରେ ନଗର ନିର୍ମିତ ହେଲା । ଅବଶିଷ୍ଟ ଅଂଶ ସେମାନେ କୃଷିକ୍ଷେତ୍ର ଓ ଗୋଚାରଣ ଭୂମିରୂପେ ବ୍ୟବହାର କରୁଥିଲେ ।’’

 

ପରିଶେଷରେ ଆମେ ପାହାଡ଼ର ପାଦଦେଶରେ ପହଞ୍ଚିଲୁ । ସେଠାରେ ପାହାଡ଼ରେ ଗୋଟିଏ ଗର୍ତ୍ତ ଦେଖାଗଲା । ଏହି ଗର୍ତ୍ତର ଏକ ଅଂଶରେ ଗୋଟିଏ କ୍ଷୁଦ୍ର ଜଳସ୍ରୋତ ବହି ଯାଉଥିଲା-। ଅବଶିଷ୍ଟ ଅଂଶରେ ଗୋଟାଏ ରାସ୍ତା ଥିଲା । ରାସ୍ତାଟି ଜଳସ୍ରୋତଠାରୁ ଅନେକ ଉଚ୍ଚରେ ଅବସ୍ଥିତ ଥିଲା ।

 

ଏହି ଗର୍ତ୍ତର ମୁଖ ପାଖରେ ଚଉକିଗୁଡ଼ିକ ରଖାଗଲା । ବିଲେଲି ଆମକୁ କହିଲେ ଯେ ଏହିଠାରୁ ଆମର ଚକ୍ଷୁ ବନ୍ଧନ କରି ନିଆଯିବ । ଏହାର କାରଣ ସ୍ୱରୂପ କୁହାଗଲା ଯେ କୌଣସି ବିଦେଶୀ ଲୋକକୁ ଏହି ପ୍ରବେଶ ପଥ ଜାଣିବାକୁ ଦିଆଯାଏ ନାହିଁ । ଆମର ଆପତ୍ତି କରିବାର ଉପାୟ ନଥିଲା । ସମସ୍ତଙ୍କର ଆଖି ବାନ୍ଧି ଦିଆଗଲା । ଆମକୁ କେଉଁବାଟେ ନିଆ ଯାଉଥିଲା, କିଛି ଜଣା ପଡୁ ନଥିଲା । କେବଳ ବେହେରାମାନଙ୍କର ଗୀତ ଓ ଜଳସ୍ରୋତର କଳକଳ ଶବ୍ଦ ଶୁଣା ଯାଉଥିଲା । ସମୟେ ସମୟେ ସେହି ଶବ୍ଦ ପର୍ବତରେ ପ୍ରତିଧ୍ଵନିତ ହେଉଥିଲା ।

 

ପ୍ରାୟ ଅଧାଘଣ୍ଟାକ ପରେ ମୁଁ ଦେହରେ ପବନର ସ୍ପର୍ଶ ଅନୁଭବ କଲି । ଆଖିରେ ବନ୍ଧା ହୋଇଥିବା କନାବାଟେ ସାମାନ୍ୟ ଆଲୋକ ଦେଖାଗଲା । ମୁଁ ଅନୁମାନ କଲି ଯେ ଆମେମାନେ ସୁଡ଼ଙ୍ଗ ଅତିକ୍ରମ କରି ଖୋଲା ଜାଗାରେ ପହଞ୍ଚିଛୁ । ବିଲେଲିଙ୍କ ଆଦେଶରେ ଆମ ଆଖିରୁ ପଟି ଖୋଲି ଦିଆଗଲା ।

 

ମୁଁ ଦେଖିଲି, ପାହାଡ଼ର ଭିତର ପାଖ ବାହାର ପାଖଠାରୁ କମ ଉଚ୍ଚା । ଏଥିରେ ଆଶ୍ଚର୍ଯ୍ୟର କାରଣ ନ ଥିଲା । ହ୍ରଦର ଶଯ୍ୟା ଉଚ୍ଚ ଥିବାରୁ ପାହାଡ଼ର ଭିତର ପାଖର ଉଚ୍ଚତା ଅଧିକ ହେବା ସ୍ୱାଭାବିକ । ଯାହା ଦିନେ ଏକ ହ୍ରଦ ଥିଲା, ତାହାର ମଧ୍ୟ ଭାଗରେ କେତେକ ଧ୍ୱଂସାବଶେଷ ଦେଖାଯାଉଥିଲା । ଅନ୍ୟ ଅଂଶମାନଙ୍କରେ ଶସ୍ୟ କ୍ଷେତ୍ର, ବଗିଚା ପ୍ରଭୁତି ଥିଲା । ଅନେକ ସ୍ଥାନୀୟ ଲୋକ ଆସି ଆମକୁ ବେଢ଼ିଗଲେ । ତେଣୁ ମୁଁ ଏହି ସ୍ଥାନର ଦୃଶ୍ୟ ଭଲରୂପେ ଲକ୍ଷ୍ୟ କରି ପାରିଲି ନାହିଁ ।

 

ହଠାତ୍ ଜଣେ କାପ୍‍ଟେନଙ୍କ ଅଧୀନରେ ଦେଲେ ସଶସ୍ତ୍ର ସୈନିକ ଆସି ପହଞ୍ଚିଲେ । ଏଇଟି ହେଉଛି ଶ୍ରୀଙ୍କର ସ୍ୱତନ୍ତ୍ର ସୈନ୍ୟ ଦଳ । କାପ୍‍ଟେନ ପ୍ରଥମେ ବିଲେଲିଙ୍କ ଅଭିବାଦନ ଜଣାଇଲେ । ଦୁହିଁଙ୍କୁ ଭିତରେ ଅଳ୍ପ କିଛି କଥାବାର୍ତ୍ତା ପରେ ସେମାନେ ପାହାଡ଼ର ଧାରେ ଧାରେ ଚାଲିଲେ । ବେହେରାମାନେ ଆମମାନଙ୍କୁ ଘେନି ସେ ଦୁହିଁଙ୍କ ପଛେ ପଛେ ଗଲେ । ପ୍ରାୟ ଅଧମାଇଲ ଯିବାପରେ ସମସ୍ତେ ଗୋଟିଏ ବଡ଼ ଗହ୍ୱରର ମୁହଁରେ ଅପେକ୍ଷା କଲେ । ଏହି ଗୁହାଟିର ଉଚ୍ଚତା ୬୦ ଫୁଟ ଓ ଓସାର ୮୦ ଫୁଟ ହେବ । ବିଲେଲି ଆମମାନଙ୍କୁ କହିଲେ ଯେ ଏହିଠାରୁ ଚାଲି ଚାଲି ଯିବାକୁ ପଡ଼ିବ । କେବଳ ଲିଓ ଅସୁସ୍ଥ ଥିବାରୁ ତାଙ୍କୁ ଚଉକିରେ ବସାଇ ନିଆଯିବ । ଆମେମାନେ ଚଉକିରୁ ଓହ୍ଲାଇ ଗୁହା ଭିତରକୁ ପଶିଲୁ । ଗୁହା ଭିତରେ କେତେକ ବତୀ ଜଳୁଥିଲା । ସେହି ବତୀର ଆଲୋକରେ ମୁଁ ଲକ୍ଷ୍ୟ କଲି ଯେ ଗୁହାର କାନ୍ଥମାନଙ୍କରେ ଶିକାର ଓ ନୃତ୍ୟର ଅନେକ ଛବି ଖୋଳା ଯାଇଅଛି । କିନ୍ତୁ ଗୋଟାଏ ହେଲେ ଯୁଦ୍ଧର ଛବି ଦେଖି ପାରି ନଥିଲି-। ସେଥିରୁ ମୁଁ ଅନୁମାନ କଲି ଯେ କୌଣସି ଶତ୍ରୁ ସୈନ୍ୟ କେବେହେଲେ ଏହି ରାଜ୍ୟ ଆକ୍ରମଣ କରିବାକୁ ଆସିନାହିଁ । ଚିତ୍ରମାନଙ୍କ ମଝିରେ ମଝିରେ କେତେକ ଅକ୍ଷର ଲେଖାଥିଲା । କିନ୍ତୁ ମୁଁ ସେଗୁଡ଼ିକୁ ପଢ଼ି ପାରିନଥିଲି । ଏହି ସମୟରେ ଜଣେ ଧଳା ପୋଷାକଧାରୀ ଭୃତ୍ୟ ଆସି ଆମମାନଙ୍କୁ ବିନୀତ ଭାବରେ ପ୍ରଣାମ କରି ଛିଡ଼ା ହୋଇ ରହିଲା, କିନ୍ତୁ କିଛି କହିଲା ନାହିଁ । ପରେ ମୁଁ ଜାଣି ପାରିଥିଲି ଯେ ଏହି ଲୋକଟି ମୁକ ଓ ବଧିର ।

 

ଏହି ବଡ଼ ଗୁହାରୁ ଦୁଇ ବିପରୀତ ପାର୍ଶ୍ଵକୁ ଗୋଟିଏ ଲେଖାଏଁ ପଥ ଥିଲା । ବାମ ଦିଗର ପଥଟିକୁ କେତେଜଣ ଜଗୁଆଳି ଜଗି ରହିଥିଲେ । ମୁଁ ଏଥିରୁ ଅନୁମାନ କଲି ଯେ ଶ୍ରୀ ସେହିପାଖେ ରହୁଥିବେ । ଭୃତ୍ୟଟି ଆମମାନଙ୍କୁ ଦକ୍ଷିଣ ପାର୍ଶ୍ଵର ପଥରେ ଯିବାପାଇଁ ସଂକେତ ଦେଲା । ସେ ବାଟେ କିଛି ଦୂର ଯିବା ପରେ ଗୋଟାଏ ପରଦା ଦେଖାଗଲା । ପରଦା ପାର ହୋଇ ଆମେମାନେ ଗୋଟିଏ କୋଠରୀରେ ପ୍ରବେଶ କଲୁ । ଗୋଟିଏ ଛିଦ୍ର ବାଟେ ଏହି କୋଠରୀକୁ କିଛି ଆଲୋକ ଆସୁଥିଲା । ଲିଓ ଓ ଉସ୍ତେନ ଏହି କୋଠରୀରେ ରହିଲେ । ଭୃତ୍ୟଟି ଆମମାନଙ୍କୁ ଗୋଟିଏ କୋଠରୀ ବାଟେ ନେଇଗଲା । ସେହି କୋଠରୀରେ ଜବକୁ ରଖାଗଲା । ଏହାପରେ ଗୋଟିଏ ବଖରାର ମୁଁ ଓ ଅନ୍ୟ ଏକ ବଖରାର ବିଲେଲି ରହିଲୁ ।

 

ପ୍ରତ୍ୟେକ କୋଠରୀରେ ପାଣି ରଖାଯାଇଥିଲା । ଜବ୍‍ ଓ ମୁଁ ଗାଧୋଇ ପୋଷାକ ପିନ୍ଧିଲୁ-। ଏହି ସମୟରେ ଜଣେ ଯୁବତୀ ଦାସୀ ଆସି ଆମ ଦୁହିଁଙ୍କୁ ଇସାରା ଦ୍ୱାରା ଜଣାଇ ଦେଲାଯେ ଆମର ଖାଇବା ପାଇଁ ପାଖ କୋଠରୀରେ ବ୍ୟବସ୍ଥା ହୋଇଅଛି । ଏ ଦାସୀଟି ମଧ୍ୟ ମୁକ ଓ ବଧିର-

 

ଏହି ଖାଇବା ଘରର ପ୍ରତ୍ୟେକ ପାଖରେ ଗୋଟିଏ ଲେଖାଏଁ ବିଚିତ୍ର ଟେବୁଲ ଥିଲା । ପ୍ରତି ଟେବୁଲ ଉପରକୁ ଛିଦ୍ର ବାଟେ ଆଲୋକ ଆସୁଥିଲା ଓ ପ୍ରତି ଟେବୁଲ ଗୋଟିଏ ମନୁଷ୍ୟ ଆକାରରେ ଖୋଳା ଯାଇଥିଲା । ମନୁଷ୍ୟର ମୁଣ୍ଡ, ପିଠି, ପାଦ ଓ ହାତ ଯେଉଁ ଯେଉଁଠାରେ ରହିବାର କଥା, ସେହି ଅନୁସାରେ ସେଠାରେ ଖୋଳା ଯାଇଥିଲା । କାନ୍ଥରେ ଅନେକ ଅଦ୍ଭୁତ ଚିତ୍ର ଖୋଳା ଯାଇଥିଲା ।

 

ପ୍ରଥମ ଚିତ୍ରରେ ଗୋଟିଏ ମନୁଷ୍ୟର ମରଣକାଳୀନ ଦୃଶ୍ୟ ଥିଲା । ତା ପାଖ ଚିତ୍ରରେ ତାକୁ ଟେବୁଲ ଉପରେ ଶୁଣାଇବାର ଦୃଶ୍ୟ ଦେଖାଇ ଦିଆଯାଇଥିଲା । ତା ପାଖରେ ତିନି ଜଣ ଲୋକ ଛିଡ଼ା ହୋଇ ତାର ଛାତିର ଗୋଟିଏ କଣାରେ କୌଣସି ତରଳ ପଦାର୍ଥ ଢାଳୁଥିଲେ । ତୃତୀୟ ଚିତ୍ରରେ ସେହି ଲୋକଟିକୁ କବର ଦିଆଯିବାର ଦୃଶ୍ୟ ପ୍ରଦର୍ଶିତ ହୋଇଥିଲା । ଟେବୁଲଗୁଡ଼ିକର ଆକାର ଓ ଏହି ଛବି ତିନୋଟିରୁ ମୁଁ ନିଶ୍ଚିତ ରୂପେ ଜାଣିପାରିଲି ଯେ ମୃତ ଦେହଗୁଡ଼ିକୁ ଚିରସ୍ଥାୟୀ କରିବା ନିମନ୍ତେ ଏହି କୋଠରିରେ ବ୍ୟବସ୍ଥା କରାଯାଏ ।

 

ମୁଁ ଓ ଜବ୍ ଭୋଜନ କରି ତୃପ୍ତ ହେଲୁ ।

Image

 

ଶ୍ରୀଙ୍କ ସହିତ ସାକ୍ଷାତ

 

ଭୋଜନ ପରେ ଆମେ ଦୁହେଁ ଲିଓଙ୍କ ନିକଟରେ କିଛି ସମୟ କଟାଇଲୁ । ବିଲେଲି ଆସି ଆମକୁ ଜଣାଇଲେ ଯେ ଶ୍ରୀ ଆମମାନଙ୍କ ସହିତ ଦେଖା କରିବାକୁ ଇଛା ପ୍ରକାଶ କରିଅଛନ୍ତି । ଆହୁରି ମଧ୍ୟ ସେ ବୁଝାଇ ଦେଲେ ଯେ ଏହା ଆମମାନଙ୍କ ପ୍ରତି ବିଶେଷ ଅନୁଗ୍ରହ; ଏଥିପୂର୍ବରୁ ସେ କାହାକୁ ଏହି ଅନୁଗ୍ରହ ଦେଖାଇ ନଥିଲେ ।

 

ମୁଁ ବିଲେଲିଙ୍କ ପଛେ ପଛେ ଚାଲିଲି । ଦୁଇତିନି ପାହୁଣ୍ଡ ଯିବାପରେ ଦେଖିଲି ଯେ ଲିଓଙ୍କର ମୁଦିଟି ତଳେ ପଡ଼ିଯାଇ ଅଛି । ଏହି ମୁଦିଟି ଲୁହା ବାକ୍‍ସରୁ ମିଳିଥିଲା ଓ ଏଥିରେ ‘ସୂର୍ଯ୍ୟଙ୍କ ପୁତ୍ର’ ଲେଖାଥିଲା । ମୁଁ ଏହାକୁ ଉଠାଇ ନେଇ ନିରାପଦରେ ରଖିବା ନିମନ୍ତେ ନିଜ ଆଙ୍ଗୁଠିରେ ଗଳାଇ ଦେଲି ।

 

ବାଟରେ ଜଗୁଆଳିମାନେ ଆମକୁ ସମ୍ମାନ ଦେଖାଇଲେ । ଏହାପରେ ଦୁଇଜଣ ଦାସ ଓ ଦୁଇଜଣ ଦାସୀ ଅଭିବାଦନ କଲେ । କିନ୍ତୁ କେହି କିଛି କହିଲେ ନାହିଁ । ଦାସଦାସୀମାନେ ଆମ ସହିତ ଚାଲିଲେ । ଆମେ କେତୋଟି କୋଠରି ଅତିକ୍ରମ କରିଗଲୁ । ସେଥିରେ ପରଦା ଲାଗିଥିବାରୁ ଭିତରର ଦୃଶ୍ୟ ଦେଖି ପାରିଲୁ ନାହିଁ । ଶେଷରେ ଆମେ ଗୋଟିଏ ବଡ଼ କୋଠରିରେ ପହଞ୍ଚିଲୁ । ଆଠ ଦଶ ଜଣ ସ୍ତ୍ରୀ ଲୋକ ବସି ସୂଚୀକାର୍ଯ୍ୟ କରୁଥିଲେ । ସେମାନେ କେବଳ ଆମକୁ ଚାହିଁଲେ । କିନ୍ତୁ କିଛି କହିଲେ ନାହିଁ । ମୁଁ ଜାଣିପାରିଲି ଯେ ଏମାନେ ସମସ୍ତେ ମୁକ ଓ ବଧିର ।

 

ଏହି ବଡ଼ କୋଠରି ଅତିକ୍ରମ କଲାପରେ ଗୋଟିଏ ଦ୍ୱାର ଦେଖାଗଲା । ଦ୍ଵାରରେ ମୋଟା ପରଦା ପଡ଼ିଥିଲା । ଏହାର ଦୁଇ ପାଖରେ ଜଣେ ଲେଖାଏଁ ଯୁବତୀ ଥିଲେ । ସେ ଦୁହେଁ ମୁଣ୍ଡ ନୁଆଇଁ ଆମକୁ ପ୍ରଣାମ କଲେ । ପରଦାଟିକୁ ଟାଣି ନେଲେ । ବିଲେଲି ନିଜେ ଭୂମି ଉପରେ ଶୋଇପଡ଼ି ଘୁଷୁଡ଼ି ଘୁଷୁଡ଼ି ଯିବାକୁ ଆରମ୍ଭ କଲେ ଓ ଆମକୁ ସେହିପରି ଘୁଷୁଡ଼ି ଯିବାକୁ କହିଲେ । ଶ୍ରୀଙ୍କ ନିକଟକୁ ଏହିପରି ଯିବାକୁ ହୁଏ ବୋଲି ସେ ବୁଝାଇଦେଲେ ।

 

କିନ୍ତୁ ମୁଁ ସେପରି ନଯାଇ ବିଲେଲିଙ୍କ ପଛେ ପଛେ ଧୀରେ ଚାଲିଲି । ଏହି କୋଠରିର ଶେଷ ଭାଗରେ ଗୋଟିଏ ଦ୍ୱାର ଥିଲା । ଏଥିରେ ଗୋଟିଏ ପତଳା ଧଳା ପରଦା ଲାଗିଥିଲା । କୋଠରୀ ଭିତରେ ଆଲୁଅ ଥିବାର ଜଣାପଡ଼ି ଯାଉଥିଲା । କୋଠରିରୁ ଏକପ୍ରକାର ଫୁଲର ଗନ୍ଧ ଆସୁଥିଲା । ଏ ପ୍ରକାର ପରିସ୍ଥିତି ମୋତେ ନିତାନ୍ତ ବିବ୍ରତ କରି ପକାଇଲା ।

Image

 

ଶ୍ରୀଙ୍କ ସହିତ କଥାବାର୍ତ୍ତା

 

ପରଦା ପଛପଟେ କେହି ଜଣେ ଥିବାର ମୁଁ ଅନୁଭବ କଲି । ଏହି ସମୟରେ ମୁଁ ଶୁଣିପାରିଲି, ‘‘ହେ ବିଦେଶି ! ତୁମେ ଏପରି ଭୟ କରୁଛ କାହିଁକି ?’’ ଏପରି ମଧୁର ସ୍ଵର ମୁଁ କେବେ ଶୁଣି ନଥିଲି । କୌଣସି ସଙ୍ଗୀତର ମୂର୍ଚ୍ଛନା ଏପରି ମଧୂର ହୋଇ ପରେ ପାରିବ ନାହିଁ । ଗୋଟିଏ ଶୁଭ୍ର ହାତ ପରଦାଟିକୁ ଟାଣି ନେଲା । ଦେଖିଲି, ମୋର ସମ୍ମୁଖରେ ସ୍ୱୟଂ ରାଣୀ ଶ୍ରୀ ।

 

ତାଙ୍କ ମୁଖ ଗୋଟିଏ ସୁକ୍ଷ୍ମ ଶୁଭ୍ର ବସ୍ତ୍ରରେ ଆବୃତ ଥିଲା । ସମଗ୍ର ଦେହ ମଧ୍ୟ ଶୁଭ୍ରବସ୍ତ୍ରାଚ୍ଛାଦିତ । ସ୍ପଷ୍ଟ ଭାବରେ ତାଙ୍କର ଶରୀର ଦେଖିବାର ସୁଯୋଗ ନଥିଲେହେଁ ମୋର ମନେ ହେଲା, ସେ ଜଣେ ଅପୂର୍ବ ସୁନ୍ଦରୀ ଯୁବତୀ । ତାଙ୍କର ଚାଲି ଓ ଅଙ୍ଗଭଙ୍ଗୀରେ ଗୋଟାଏ ଅଦ୍ଭୁତ ସୌନ୍ଦର୍ଯ୍ୟ ଥିଲା । ମୁଁ ଏପରି ଅଭିଭୂତ ହୋଇ ଯାଇଥିଲି ଯେ ମୋ ତୁଣ୍ଡରୁ କଥା ବାହାରିଲା ନାହିଁ ।

 

କିଛି ସମୟ ସେ ପୁଣି କହିଲେ, ‘‘ତୁମେ ଭୟ କରୁଛ କାହିଁକି ?’’ ଏହା କହି ସେ ମୋ ଆଡ଼କୁ ହାତ ବଢ଼ାଇ ଦେଲେ । ମୁଁ ଦେଖିଲି, ତାଙ୍କର ବାଳଗୁଡ଼ିକ ପାଦ ପର୍ଯ୍ୟନ୍ତ ଲୋଟୁଛି । ମୁଁ କହିଲି, ‘‘ମହାରାଣୀ ! ଆପଣଙ୍କ ଅପରୂପ ସୌନ୍ଦର୍ଯ୍ୟରେ ମୁଁ ଭୟଗ୍ରସ୍ତ ହୋଇପଡ଼ିଛି ।’’ ଏହି ସମୟରେ ବିଲେଲି ଚୁପ୍ କରି ମୋତେ କହିଲେ, ‘‘ତଳେ ପଡ଼ିଯାଅ ।’’

 

ଶ୍ରୀ କହିବାକୁ ଲାଗିଲେ, ‘‘ଲୋକେ ଯେ ଭଦ୍ରଭାଷା ଭୁଲିଯାଇ ନାହାନ୍ତି, ଏହା ଦେଖି ମୁଁ ଆନନ୍ଦିତ । ବର୍ତ୍ତମାନ ମୋର କେତୋଟି ପ୍ରଶ୍ନର ଉତ୍ତର ଦିଅ । ତୁମେ କିପରି ଏଠାକୁ ଆସିଲ ? ଏଠାରେ କଅଣ ଦେଖିବା ପାଇଁ ଆସିଛ ? ତୁମେ ଜୀବନ ପ୍ରତି ମମତା ନରଖି କାହିଁକି ମୋ ଉପରେ ନିଜକୁ ସମର୍ପି ଦେଇଛ ? ତୁମେ ମୋର ଭାଷା ଶିଖିଲ କିପରି ? ଏ ଭାଷା ଅତି ପ୍ରାଚୀନ-? ପୃଥିବୀରେ କେଉଁଠାରେ ଏ ଭାଷା ଚଳୁଛି ?’’

 

ଏହି ସମୟରେ ଶ୍ରୀଙ୍କର ଦୃଷ୍ଟି ବିଲେଲିଙ୍କ ଉପରେ ପଡ଼ିଲା । ସେ ତାଙ୍କୁ ପଚାରିଲେ, ‘‘ଓଃ, ତୁମେ ଏଠାରେ ଅଛ ? ଆଚ୍ଛା, ଏମାନଙ୍କ ଉପରେ କାହିଁକି ଆକ୍ରମଣ ହେଲା ? କାହିଁକି କଡ଼େଇରେ ଏମାନଙ୍କୁ ମାରିବାର ଉଦ୍ୟମ ହେଉଥିଲା ?"

 

ବିଲେଲି ପୂର୍ବପରି ଭୁଇଁରେ ପଡ଼ିରହି କହିଲେ, ‘‘ଏମାନଙ୍କ ସଙ୍ଗେ ଜବ୍ ବୋଲି ଜଣେ ଲୋକ ଅଛି । ଆମ ଦେଶର ଜଣେ ସ୍ତ୍ରୀ ଲୋକ ତା ଉପରେ ବିରକ୍ତ ହୋଇ ଲୋକମାନଙ୍କୁ ମତେଇ ଏ କାଣ୍ଡ କରୁଥିଲା । କିନ୍ତୁ ଏହି ବାନରସଦୃଶ ଲୋକଟି ଓ ଲିଓ ବୋଲି ଆଉ ଜଣେ ଖୁବ୍ ସାହସ ଦେଖାଇ ସେ ସ୍ତ୍ରୀ ଲୋକକୁ ବଧ କରିଅଛନ୍ତି । ଯଥାସମୟରେ ମୁଁ ଆସି ଏମାନଙ୍କୁ ଉଦ୍ଧାର କରିଅଛି-। ଅପରାଧୀମାନଙ୍କର ବିଚାର କରି ଦଣ୍ଡଦେବା ନିମନ୍ତେ ସେମାନଙ୍କୁ ଏଠାକୁ ଅଣାଯାଇଅଛି ।’’

 

ଶ୍ରୀ ଉତ୍ତର କଲେ, ‘‘ମୁଁ ସେ କଥା ଜାଣେ । କାଲି ସେମାନଙ୍କର ବିଚାର ହେବ । ତୁମେ ଆଗରୁ ସାବଧାନ ରହିବା ଉଚିତ ଥିଲା । ଯାହାହେଉ, ତୁମକୁ ଏଥର କ୍ଷମା ଦିଆଗଲା ।’’

 

ବିଲେଲି ରାଣୀଙ୍କୁ ପ୍ରଣାମକରି ଘୁଷୁଡ଼ି ଘୁଷୁଡ଼ି ଘରୁ ବାହାରି ଗଲେ । ଘର ଭିତରେ ମୁଁ ଏକାକୀ ଶ୍ରୀଙ୍କ ସହିତ ରହିଲି ।

Image

 

Unknown

ଶ୍ରୀଙ୍କର ସ୍ୱରୂପ

 

ବୃଦ୍ଧ ବିଲେଲି ଚାଲିଯିବା ପରେ ଶ୍ରୀ କହିଲେ, ‘‘ଏଇ ଯେ ବୃଦ୍ଧଲୋକଟା ଗଲା, ତାର ଏପରି ଘୁଷୁଡ଼ି ଘୁଷୁଡ଼ି ଯିବା ଆସିବା ଦେଖିଲେ ମୋର ରାଗ ହୁଏ । ଲୋକମାନଙ୍କର ମୋ ପ୍ରତି ଏପରି ଭୟର କାରଣ ମୁଁ ବୁଝି ପାରେନାହିଁ । ବେଳେ ବେଳେ ମୋର ମନ ହୁଏ, ଜାଦୁବିଦ୍ୟା ବଳରେ ଏମାନଙ୍କୁ ଧ୍ୱଂସ କରିଦିଅନ୍ତି ।’’

 

ଆମେ ଦୁହେଁ ଭିତର କୋଠରିକୁ ଗଲୁ । କୋଠରିଟି ପ୍ରାୟ ବାରଫୁଟ ଲମ୍ବ ଓ ବାରଫୁଟ ଓସାର । ଏଥିରେ କେତୋଟି ବତୀ ଜଳୁଥିଲା; କିନ୍ତୁ ଆଲୋକ ତୀବ୍ର ନ ଥିଲା । ଏକ ପାଖରେ ଟେବୁଲ ଉପରେ କିଛି ଫଳ ଓ ଗୋଟିଏ ଗ୍ଲାସରେ ପାଣି ରଖା ଯାଇଥିଲା । ଟେବୁଲ ପାଖରେ ଗୋଟିଏ ଚୌକି ରହିଥିଲା ।

 

ଶ୍ରୀ କହିଲେ, ‘‘ଏବେ ବସିଯାଅ । ମୋତେ ଭୟ କରିବାର କାରଣ ନାହିଁ । ବର୍ତ୍ତମାନ ମୋ ପ୍ରଶ୍ନର ଉତ୍ତର ଦିଅ । ତୁମେ ମୋର ଭାଷା ଜାଣିଲ କିପରି ?’’

 

"ମୁଁ ପଢ଼ି ଏ ଭାଷା ଶିଖିଛି । ଏବେ ମଧ୍ୟ ଇଜିପ୍‍ଟର ଲୋକେ ଏହି ଭାଷାରେ କଥାବାର୍ତ୍ତା କରନ୍ତି ।’’

 

‘‘ଏବେ କଣ ଇଜିପ୍‍ଟ ଦେଶ ଅଛି ? ତାକୁ କଣ ଏବେ ସେହି ପାରସ୍ୟର ଲୋକେ ଶାସନ କରୁଅଛନ୍ତି ?’’

 

‘‘ହଁ, ଇଜିପ୍‍ଟ ଅଛି; କିନ୍ତୁ ପ୍ରାୟ ଦୁଇହଜାର ବର୍ଷ ହେଲା ପାରସ୍ୟର ଲୋକେ ଇଜିପ୍‍ଟ ଛାଡ଼ି ଚାଲିଗଲେଣି ।’’

 

‘‘ଜେରୁଜେଲମ ସହର ଅଛି କି ? ସେତେବେଳେ ଲୋକେ କହୁଥିଲେ ଯେ ଜଣେ ମହାପୁରୁଷ ଜେରୁଜେଲମରେ ଆବିର୍ଭୁତ ହେବେ । ସେ ଶାନ୍ତି ଓ ପ୍ରେମର ବାଣୀ ପ୍ରଚାର କରିବେ । ସେହି ମହାପୁରୁଷ କଣ ଜନ୍ମହେଲେଣି ?’’

 

‘‘ହଁ, ସେ ହେଉଛନ୍ତି ଯୀଶୁ ଖ୍ରୀଷ୍ଟ । ସେ ପୃଥିବୀରୁ ଚାଲିଗଲେଣି; କିନ୍ତୁ ତାଙ୍କର ପ୍ରଚାରିତ ଧର୍ମ ଅଛି ।’’

 

‘‘ମୁଁ ଥରେ ଜେରୁଜେଲମ ଯାଇଥିଲି । ଲୋକେ ମୋ ଉପରକୁ ପଥର ଫିଙ୍ଗିଥିଲେ । ମୋର ବାହୁରେ ସେ ପଥରମାଡ଼ର ଗୋଟାଏ ଚିହ୍ନ ରହିଯାଇଛି ।’’ ଏହା କହି ସେ ମୁହଁର ଆବରଣ ଖୋଲିଦେଲେ ଓ ବାହୁ ଉପରେ ଥିବା ଚିହ୍ନଟି ଦେଖାଇଦେଲେ ।

 

ସେତେବେଳେ ମୁଁ ଭୟ ଓ ବିସ୍ମୟରେ ଅଭିଭୂତ ହୋଇଯାଇଥିଲି । ମୁଁ ପଚାରିଲି, ‘‘ମହାରାଣି ! ଯୀଶୁ ଖ୍ରୀଷ୍ଟ ଜେରୁଜେଲମରେ ଦୁଇହଜାର ବର୍ଷ ତଳେ ଅବତୀର୍ଣ୍ଣ ହୋଇଥିଲେ । କେହି ଦୁଇହଜାର ବର୍ଷ ବଞ୍ଚି ରହିଥିବା କିପରି ସମ୍ଭବ ହୋଇପାରେ ?’’

 

ସେ ମୋ ଆଡ଼କୁ କିଛିକ୍ଷଣଯାଏ ଏକ ଦୃଷ୍ଟିରେ ଚାହିଁ ରହି କହିଲେ, ‘‘ତୁମେ ଏତେ ନିର୍ବୋଧ ! ତୁମେ କଅଣ ଏବେ ମଧ୍ୟ ବିଶ୍ୱାସ କରୁଛ ଯେ ଜଗତରେ ମୃତ୍ୟୁ ଅଛି ? ମୃତ୍ୟୁ ବୋଲି କିଛି ନାହିଁ; କେବଳ ପରିବର୍ତ୍ତନ ଅଛି । ଘରର ଏହି କାନ୍ଥଗୁଡ଼ିକରେ ଯେଉଁ ଚିତ୍ରଗୁଡ଼ିକ ଦେଖୁଛ, ତାକୁ ଲୋକେ ଛ ହଜାର ବର୍ଷ ତଳେ ଅଙ୍କନ କରିଥିଲେ । ଗୋଟାଏ ମହାମାରୀ ଆସିଲା । ସମସ୍ତେ ମଲେ । ତଥାପି ଏମାନଙ୍କର ମୃତ୍ୟୁ ହୋଇଛି ବୋଲି ମୁଁ କହି ପାରିବି ନାହିଁ । ଏଇ ମୁହୂର୍ତ୍ତରେ ମଧ୍ୟ ସେମାନଙ୍କର ପ୍ରେତାତ୍ମା ଆମ ପାଖରେ ଅଛି । ସମୟ ସମୟରେ ମୁଁ ସେମାନଙ୍କୁ ଦେଖିଲା ପରି ମନେ ହୁଏ ।’’

 

‘‘କିନ୍ତୁ ସାଂସାରିକ ଦୃଷ୍ଟିରୁ ସେମାନେ ମୃତ ବୋଲି ସ୍ୱୀକାର କରିବାକୁ ହେବ ।’’

 

‘‘ସେମାନେ କିଛି କାଳ ପାଇଁ ମୃତ ହୋଇପାରନ୍ତି, କିନ୍ତୁ ସେମାନଙ୍କର ବାରମ୍ବାର ଜନ୍ମ ହେଉଥାଏ । ମୋ ନିଜ କଥା କହୁଛି । ମୋର ପ୍ରକୃତ ନାମ ଆୟେଶା । ମୁଁ ଜଣଙ୍କୁ ପ୍ରେମ କରୁଥିଲି-। ତାଙ୍କର ପୁନର୍ଜନ୍ମକୁ ମୁଁ ଅପେକ୍ଷା କରି ଚାହିଁ ରହିଛି । ସେ ଦୁଇ ହଜାର ବର୍ଷ ହେଲା ମଲେଣି ।’’

 

କିଛି କ୍ଷଣ ରହି ଯାଇ ସେ ପୁଣି କହିଲେ, ‘‘ମୁଁ ଏଡ଼େ ସୁନ୍ଦରୀ ଓ ମୋର କ୍ଷମତା ଅଦ୍ଭୁତ-। ଏହି ପଶୁ ତୁଲ୍ୟ ବନ୍ୟଜାତିର ଲୋକମାନଙ୍କ ମଧ୍ୟରେ ମୁଁ କାହିଁକି ରହିଛି, କହି ପାରିବ ?’’

 

‘‘ନା, ମୁଁ କୌଣସି କାରଣ ଭାବି ପାରୁନାହିଁ ।’’

 

‘‘ତାର କାରଣ ହେଉଛି, ମୁଁ ମୋର ସେହି ପ୍ରେମିକଙ୍କୁ ଚାହିଁ ରହିଛି । ମୁଁ ଜାଣେ, ସେ ଜନ୍ମ ହେଲେ ନିଶ୍ଚୟ ଏଠାକୁ ଆସିବେ ।’’

 

ଆପଣ କହୁଛନ୍ତି ଯେ ମନୁଷ୍ୟ ମରି ବାରମ୍ବାର ଜନ୍ମ ହେଉଥାଏ । ଏହା ଯଦି ଜଗତର ନିୟମ, ତେବେ ଆପଣଙ୍କର ଏତେ ବର୍ଷ ହେଲା ମୃତ୍ୟୁ ହୋଇନାହିଁ କିପରି ?’’

 

‘‘ମୁଁ କେବେ ମରିନାହିଁ କି ମୋର ପୁନର୍ଜନ୍ମ ହୋଇନାହିଁ; ସେ କଥା ସତ୍ୟ । ତାର କାରଣ ହେଉଛି ମୁଁ ଜୀବନ ମରଣର ରହସ୍ୟ ଜାଣେ । ଆହୁରି ଅନେକ ରହସ୍ୟ ମୋତେ ଜଣା ଅଛି । ତୁମେମାନେ ଏ ଦେଶକୁ ଆସୁଛ ବୋଲି ଆଗରୁ ଜାଣିଥିଲି; ଏ ଦେଶର ଲୋକଙ୍କ ହାତରୁ ତୁମମାନଙ୍କୁ ରକ୍ଷା କରିବାର ବ୍ୟବସ୍ଥା କରିଥିଲି । ଏହା କିପରି ସମ୍ଭବ ହେଲା ଭାବୁଛ କି ? ଏଇ ଜଳପାତ୍ରକୁ ଚାହଁ; ବୁଝି ପାରିବ ।’’

 

ମୁଁ ଛିଡ଼ା ହୋଇ ଜଳପାତ୍ରଙ୍କୁ ଅନାଇଲି । ସେଥିରେ ଆମର ବୋଟ୍‍କୁ ଦେଖିଲି । ଲିଓ ମୁଣ୍ଡକୁ ଘୋଡ଼ାଇ ଶୋଇଛନ୍ତି । ଜବ୍ ମହମଦ ଓ ମୁଁ କୂଳେ କୂଳେ ଦଉଡ଼ି ଧରି ବୋଟ୍‍କୁ ଟାଣୁଛୁ ।

 

ମୁଁ ଏକାନ୍ତ ବିସ୍ମିତ ହୋଇ କହି ଉଠିଲି, ‘‘ଏ କଅଣ ? ଜାଦୁ ବିଦ୍ୟା ?’’

 

ଶ୍ରୀ ଉତ୍ତର କଲେ, ‘‘ନା, ଜାଦୁବିଦ୍ୟା ନୁହେ । ମୁଁ ଇଚ୍ଛା କଲେ ଅତୀତ ଓ ବର୍ତ୍ତମାନର ଯେ କୌଣସି ଘଟଣାର ପ୍ରତିଛବି ଏହାଦ୍ୱାରା ଦେଖିପାରେ; କିନ୍ତୁ ଭବିଷ୍ୟତର ଛବି ଦେଖିବା ଶକ୍ତି ମୋର ନାହିଁ । ଏହି ଜଳପାତ୍ରରେ ତୁମମାନଙ୍କର ଛବି ଦେଖି ତୁମମାନଙ୍କୁ ରକ୍ଷା କରିବାର ବ୍ୟବସ୍ଥା କରିଥିଲି । ଯେଉଁ ଲୋକଟି ଶୋଇଥିବାର ଦେଖିଲ, ସେ ଲୋକଟିର ବର୍ତ୍ତମାନ ଅବସ୍ଥା କିପରି ? ମୁଁ ସମ୍ବାଦ ପାଇଥିଲି ଯେ ସେ ଆଘାତ ପାଇ ବେମାର ପଡ଼ିଥିଲେ । ମୁଁ ତାଙ୍କର ସାକ୍ଷାତ ଚାହେଁ ।’’

 

‘‘ସେ ନିତାନ୍ତ ଅସୁସ୍ଥ ହୋଇ ପଡ଼ିଛନ୍ତି । ଆପଣ ତାଙ୍କ ପାଇଁ କିଛି କରିପାରିବେ ନାହିଁ-?’’

 

‘‘ସେ ଆଉ ଦିନଟିଏ ପଡ଼ି ରହନ୍ତୁ । ନିଜ ଶକ୍ତିରେ ସେ ଆରୋଗ୍ୟ ହେବା ଭଲ । ନିତାନ୍ତ ଆବଶ୍ୟକ ପଡ଼ିଲେ ମୁଁ ନିଶ୍ଚୟ ସାହାଯ୍ୟ କରିବି । ଏବେ କିଏ ତାଙ୍କର ସେବା କରୁଛି ?’’

 

‘‘ଆମର ଚାକର ଜବ୍ ଓ ଆପଣଙ୍କ ଜାତିର ଜଣେ ମହିଳା । ତାଙ୍କର ନାମ ଉସ୍ତେନ, ମହାରାଣୀ !’’

 

‘‘ମୋତେ ମହାରାଣୀ ବୋଲି କୁହନାହିଁ । ସେ ଶବ୍ଦଟା ଶୁଣି ଶୁଣି ମୋର ବିରକ୍ତି ଆସିଲାଣି । ମୋର ନାମ ଆୟେଶା । ମୋତେ ସେହି ନାମରେ ଡାକିଲେ ଆନନ୍ଦିତ ହେବି । ଆଉ ସେ ସ୍ତ୍ରୀଲୋକଟା ମୋ ଜାତିର ଲୋକ ନୁହେ । ଏହି ଦାସଦାସୀ କେହି ମୋ ଜାତିର ନୁହନ୍ତି । ହଁ, ସେ ଉସ୍ତେନ ବିଷୟରେ ମୁଁ ଶୁଣିଛି ଯେ ତାହାରି ଯୋଗୁଁ ମୋର ଭୟାନକ ବିପଦ ଘଟିବ । ଆଚ୍ଛା, ଦେଖେଁ ଏ ସେହି ଉସ୍ତେନ କି ଆଉ କିଏ ?’’

 

ଏହା କହି ସେ ଜଳପାତ୍ର ପାଖକୁ ଯାଇ ଭିତରକୁ ଚାହିଁଲେ । ମୋତେ ଡାକି କହିଲେ, ‘‘ତୁମେ ମଧ୍ୟ ଆସି ଦେଖ ।’’

 

ଜଳପାତ୍ର ଭିତରେ ଉସ୍ତେନର ଛବି ଦେଖି ପାରିଲି । ଲିଓ ଶୋଇ ରହିଥିଲେ ଓ ଉସ୍ତେନ ତାଙ୍କୁ ଚାହିଁ ବସିଥିଲା । ମୁଁ ଛବିଟିକୁ ଦେଖାଇ ଲିଓ ଓ ଉସ୍ତେନଙ୍କୁ ଚିହ୍ନାଇ ଦେଲି ।

 

ଆୟେସା ମନକୁ ମନ କହିଲେ, ‘‘ଲିଓ ଅର୍ଥାତ୍ ସିଂହ । ଅଦ୍ଭୁତ କଥା ! ନା, ସେ ହେବା ଅସମ୍ଭବ ।’’ ସେ ଜଳପାତ୍ର ଉପରେ ହାତ ବୁଲାଇଲାକ୍ଷଣି ଛବିଟି ଉଭେଇ ଗଲା ।

 

ଆୟେଶା ମୋତେ କହିବାକୁ ଲାଗିଲେ, ‘‘ଏ ପାର୍ବତୀୟ ଜାତିର ଲୋକେ ହିଂସ୍ର, ଦୁର୍ଦ୍ଦାନ୍ତ-। ସେମାନଙ୍କର ବିଚାର ବୁଦ୍ଧି ନାହିଁ । ମୋର ନିଜର ଦାସଦାସୀ ସମସ୍ତେ ମୁକ ଓ ବଧିର । ତେଣୁ ତୁମର କିଛି ଜାଣିବାର ଇଚ୍ଛା ଥିଲେ, ସ୍ଵଚ୍ଛନ୍ଦରେ ମୋତେ ପଚାରିପାର ।’’

 

‘‘ମୋର ଗୋଟିଏ ଅନୁରୋଧ ଅଛି । ମୁଁ ତୁମର ମୁଖ ଦେଖି ବାକୁ ଚାହେଁ ।’’

 

ସେ ହସି ହସି କହିଲେ, ‘‘ଗ୍ରୀକ୍‍ମାନଙ୍କର ପୁରାଣରେ ଅଛି ଯେ ଜଣେ କିଏ ଅତ୍ୟଧିକ ସୌନ୍ଦର୍ଯ୍ୟରେ ମୋହିତ ହୋଇ ପ୍ରାଣ ହରାଇ ଥିଲା । ମୋର ମୁହଁ ଦେଖିଲେ ତୁମର କିଛି କ୍ଷତି ହେବ ନାହିଁ ତ ?’’

 

‘‘ନା, ସୌନ୍ଦର୍ଯ୍ୟରୁ ମୋର ଭୟର କାରଣ ନାହିଁ । ମୋ ବିଚାରରେ ସୌନ୍ଦର୍ଯ୍ୟର ମୂଲ୍ୟ ନାହିଁ । ଫୁଲ ମଉଳିଗଲା ପରି ସୌନ୍ଦର୍ଯ୍ୟ ମଧ୍ୟ ମଉଳି ଯାଏ ।’’

 

ସେ ମନୋହର ଭଙ୍ଗୀରେ ଦୁଇ ହାତରେ ମୁହଁରୁ ଆବରଣଟି ଖୋଲି ଦେଲେ । ମୁଁ ଯେଉଁ ସୌନ୍ଦର୍ଯ୍ୟ ଦେଖିଲି, ତାହା ଭାଷାରେ ବର୍ଣ୍ଣନା କରାଯାଇ ନ ପାରେ । ତାର ପଟାନ୍ତର ନାହିଁ । କିନ୍ତୁ ଏହି ସୌନ୍ଦର୍ଯ୍ୟର ଯିଏ ଅଧିକାରିଣୀ, ସେ କି ଭୀଷଣ ? ତଥାପି ଏକାଧାରରେ ମୁଁ ଭୀମକାନ୍ତ ମୂର୍ତ୍ତି ଦେଖି ବିସ୍ମିତ ହୋଇଗଲି । ଏହି ସୌନ୍ଦର୍ଯ୍ୟରେ ମୋର ଆଖି ଝଲସି ଗଲା । ମୁଁ ହାତରେ ନିଜ ମୁହଁକୁ ଘୋଡ଼ାଇ ଦେଲି । ଅଙ୍ଗୁଳି ସନ୍ଧିରେ ମୁଁ ତାଙ୍କର ମୁହଁକୁ ଚାହିଁଲି । ତାଙ୍କ ମୁହଁରେ ଗୋଟାଏ ଭୀଷଣ ପରିବର୍ତ୍ତନ ଦେଖାଗଲା ।

 

ସେ ମୋ ଆଙ୍ଗୁଳିରେ ଲିଓଙ୍କର ମୁଦିଟି ଦେଖିପାରି ପଚାରିଲେ, ‘‘ତୁମେ ଏ ମୁଦି କେଉଁଠୁ ପାଇଲ ? ସତ କୁହ, ନ ହେଲେ ତୁମର ମୃତ୍ୟୁ ନିଶ୍ଚିତ ।’’

 

‘‘ତଳେ ପଡ଼ିଥିଲା । ମୁଁ ଗୋଟାଇ ଆଣି ପିନ୍ଧିଛି ।’’

 

‘‘ଆଶ୍ଚର୍ଯ୍ୟର କଥା । ଥରେ ମୁଁ ଏହି ମୁଦିର ପଥର ପରି ଗୋଟିଏ ପଥର ଦେଖିଥିଲି । ସେ ପଥରବସା ମୁଦିଟି କାଲିକ୍ରେଟ୍‍ସ ପିନ୍ଧିଥିଲେ । ମୁହୂର୍ତ୍ତକ ପାଇଁ ସେ ମୁଦିଟିକୁ ହାତରୁ ଅନ୍ତର କରୁ ନଥିଲେ । ଆଶ୍ଚର୍ଯ୍ୟର କଥା ! । ହେଉ, ତୁମେ ଯାଅ ।’’

Image

 

ଆୟେଶାଙ୍କ ଅଭିଶାପ

 

ସେ ଦିନ ରାତିରେ ମୋତେ ଆଦୌ ନିଦ ହେଲା ନାହିଁ । ଅନେକ ସମୟ ଚେଇଁ ରହିବା ପରେ ମୁଁ ଲିଓଙ୍କୁ ଦେଖିବା ପାଇଁ ଧୀରେ ତାଙ୍କ କୋଠରିକୁ ଗଲି ।

 

ସେ ବଡ଼ ଅସ୍ଥିର ହେଉଥିଲେ । ଉସ୍ତେନ ତାଙ୍କ ଡାହାଣ ହାତଟି ଧରି ପାଖରେ ବସିଥିଲା । ଲିଓଙ୍କ ଚେହେରା ଏକବାରେ ବଦଳି ଯାଇଥିଲା । ତାଙ୍କ ମୁହଁ ଲାଲ ପଡ଼ି ଯାଇଥିଲା ଓ ସେ ଅତି କଷ୍ଟରେ ନିଶ୍ୱାସ ନେଉଥିଲେ । ମୋର ଆଶଙ୍କା ହେଲା ତାଙ୍କର ମୃତ୍ୟୁ ନିକଟ ।

 

ମୁଁ ଅତି ଧୀର ପାଦରେ ମୋ କୋଠରିକୁ ଫେରିଗଲି । କିନ୍ତୁ ମୋତେ ନିଦ ଆସିଲା ନାହିଁ । ଘର ଭିତରେ ବୁଲୁ ବୁଲୁ ଗୋଟିଏ ଦ୍ୱାର ଦେଖିଲି । ମୁଁ ଦୀପଟିଏ ଧରି ଦ୍ୱାର ଖୋଲି ଚାଲିଲି-। ଏହା ଗୋଟିଏ ରାସ୍ତାର ଦ୍ୱାର ବୋଲି ଜାଣି ପାରିଲି । ସେହି ରାସ୍ତାରେ ଯାଇ ଗୋଟିଏ ପାହାଚ ପାଖେ ପହଞ୍ଚିଲି । ପାହାଚ ତଳକୁ ପଥର ହଣା ହୋଇ ଗୋଟିଏ ସରୁ ରାସ୍ତା ହୋଇଥିଲା । ମୁଁ ସେହି ରାସ୍ତାରେ ଚାଲିଲି । ଯାଉ ଯାଉ ମୋର ଦୀପଟି ଲିଭିଗଲା । ମୋ ଚାରିପାଖ ଅନ୍ଧାର । ଖୁବ୍ ଦୂରରେ ନିଆଁର ଆଲୁଅ ଦେଖାଗଲା । ସେଠାରେ ପୁଣି ଦୀପ ଲଗାଇବାକୁ ସ୍ଥିର କରି ଗୋଟିଏ ହାତରେ କାନ୍ଥକୁ ଧରି ଧରି ଧୀରେ ଧୀରେ ଚାଲିଲି ।

 

ମୁଁ ଯେଉଁ ଆଲୁଅ ଦେଖିଥିଲି, ତାହା ଆଗରେ ଗୋଟିଏ ପରଦା ଥିଲା । ମୁଁ ପରଦାବାଟେ ଚାହିଁ ଦେଖିଲି, ଗୋଟିଏ ଛୋଟ କୋଠରିର ମଝିରେ ନିଆଁ ଜଳୁଛି । ଏହି ନିଆଁ ଖୁବ୍ ଉଜ୍ଜ୍ଵଳ ଓ ଏଥିରୁ ଧୂଆଁ ଉଠୁନଥିଲା । କୋଠରିଟିର ବାମ ପାଖରେ ଏକ ବେଦୀ ଉପରେ ଜଣେ ମନୁଷ୍ୟର ମୃତ ଦେହ ରହିଥିଲା । ତାହା ଉପରେ ଗୋଟିଏ ଧଳା ଲୁଗା ପଡ଼ିଥିଲା । ନିଆଁ ପାଖରେ ଜଣେ ସ୍ତ୍ରୀଲୋକ ସେହି ମୃତ ଦେହଆଡ଼କୁ ମୁହଁ କରି ବସିଥିଲା । ମୁଁ ସ୍ତ୍ରୀ ଲୋକଟିର ମୁହଁ ଦେଖିପାରିନଥିଲି । କିଛି ସମୟ ପରେ ସେ ଛିଡ଼ା ହୋଇଯିବାରୁ ମୁଁ ତାଙ୍କୁ ଚିହ୍ନି ପାରିଲି । ସେ ହେଉଛନ୍ତି ଶ୍ରୀ । ତାଙ୍କ ଦେହରେ ଧଳା ପୋଷାକ ଥିଲା । ତାଙ୍କ ମୁହଁ ଏକବାରେ ବଦଳି ଯାଇଥିଲା-। କ୍ରୋଧ, ବିରକ୍ତି, ଭୟ, ଦୁଃଖ ତାଙ୍କ ଚେହେରାରେ ପ୍ରକାଶିତ ହେଉଥିଲା । ସେ ଦୁଇ ହାତ ଟେକି ନିମ୍ନ ସ୍ଵରରେ କହିବାକୁ ଲାଗିଲେ–

 

ଇଜିପ୍‍ଟର ସେ ସ୍ତ୍ରୀଲୋକ ଶାପଗ୍ରସ୍ତ ହେଉ । ସେ ଜାଦୁବିଦ୍ୟା ବଳରେ ମୋ ପାଖରୁ ଖସିଗଲା । ସେ ମୋର ପ୍ରେମିକକୁ ମୋ ପାଖରୁ ନେଇଗଲା । ସେଥିପାଇଁ ସେ ମୃତ୍ୟୁଲାଭ କଲେହେଁ ଶାପଗ୍ରସ୍ତ ହେଉ । ସେ ପୁଣି ଜନ୍ମହେଲେ ମଧ୍ୟ ଶାପଗ୍ରସ୍ତ ହୋଇ ଜନ୍ମହେଉ ।’’

 

ସେ ବାରମ୍ବାର ଏହା କହି କାନ୍ଦିବାକୁ ଲାଗିଲେ । କିଛି ସମୟ ପରେ ପୁଣି ବିଳାପ କରି କହିଲେ, ‘‘ଦୁଇ ହଜାର ବର୍ଷ ହେଲା ମୁଁ ମୋର ପ୍ରିୟକୁ ଚାହିଁ ରହିଛି । ପ୍ରେମ ପାଇଁ ମୁଁ ଯେଉଁ ଦୁଷ୍କର୍ମ କରିଥିଲି, ସେଥିଲାଗି ଦୁଇହଜାର ବର୍ଷହେଲା ଯନ୍ତ୍ରଣା ଭୋଗୁଛି । ଏତେବର୍ଷ ଚାଲିଗଲା, ତଥାପି ମୁଁ ମୋର ପ୍ରେମିକକୁ ଭୁଲି ପାରିଲି ନାହିଁ କି ମୋର ପାପ କର୍ମକୁ ଭୁଲି ପାରିଲି ନାହିଁ । ହେ ପ୍ରିୟ, ତୁମକୁ ହତ୍ୟା କରିବା ସଙ୍ଗେ ସଙ୍ଗେ ମୋର ମୃତ୍ୟୁ ନ ହେଲା କାହିଁକି ? ହାୟ ! ମୁଁ ଅମର ହେଲି କାହିଁକି ?’’

 

ଏହାପରେ ସେ ମୃତ ଦେହ ନିକଟକୁ ଯାଇ ତା ପାଖରେ ଆଣ୍ଠେଇ ପଡ଼ି ତାର ଓଷ୍ଠରେ ଚୁମ୍ବନ ଦେଇ କହିଲେ, ‘‘ହାୟ ! କାଲିକ୍ରେଟସ, ମୋତେ ଧିକ୍ !’’

 

ଆୟେଶାଙ୍କ ଆଖିରୁ ଲୋତକଧାର ବହିଯାଉଥିଲା । ମୁଁ ଯେପରି ନିଃଶବ୍ଦରେ କୋଠରିରେ ପ୍ରବେଶ କରିଥିଲି, ସେହିପରି ନିଃଶବ୍ଦରେ ସେଥିରୁ ବାହାରି ଆସିଲି । ନିଜ କୋଠରିକୁ ଫେରିଆସି ମୁଁ ବିଛଣା ଉପରେ ପଡ଼ିଗଲି ।

Image

 

ଆୟେଶାଙ୍କ ବିଚାର

 

ନିଦ ଭାଜିଲା ବେଳକୁ ଦେଖିଲି, ଜବ୍ ମୋ କୋଠରିରେ ପଶି ମୋର ପୋଷାକ ସଜାଡ଼ୁଛି । ମୁଁ ଉଠି ପୋଷାକ ପିନ୍ଧିଲି ଓ କିଛି ଖାଇ ଲିଓଙ୍କୁ ଦେଖିବାକୁ ଗଲି । ସେ ମୋତେ ଚିହ୍ନି ପାରିଲେ ନାହିଁ । ତାଙ୍କର କଥା କହିବାର ଶକ୍ତି ନଥିଲା । ଉସ୍ତେନଙ୍କୁ ଲିଓଙ୍କ ଅବସ୍ଥା ବିଷୟରେ ପଚାରିବାରୁ ସେ କିଛି ଉତ୍ତର ନଦେଇ କେବଳ କାନ୍ଦିବାକୁ ଲାଗିଲେ ।

 

ଏହି ସମୟରେ ବିଲେଲି କୋଠରି ଭିତରକୁ ପଶି ଆସିଲେ । ଲିଓଙ୍କୁ କିଛିକ୍ଷଣ ଚାହିଁ ସେ କହିଲେ, ‘‘ଆଜି ରାତିରେ ଏହାଙ୍କର ମୃତ୍ୟୁ ହେବ ।’’ ଏହାପରେ ସେ ମୋତେ ଆୟେଶାଙ୍କ ନିକଟକୁ ଯିବାପାଇଁ ଆଦେଶ ଦେଲେ ।

 

ମୁଁ ତାଙ୍କ ସହିତ ବଡ଼ ଗୁହା ଭିତରକୁ ଗଲି । ସେଠାରେ ସେ ଦେଶର ଅନେକ ପାର୍ବତୀୟ ଲୋକ ରୁଣ୍ଡ ହୋଇଥିଲେ । ଆମେ ଦୁହେଁ କୋଠରିର ଶେଷଭାଗ ପର୍ଯ୍ୟନ୍ତ ଗଲୁ । ସେଠାରେ ଗୋଟିଏ ଉଚ୍ଚ ସ୍ଥାନ ଥିଲା ଓ ସେଠାରୁ ଦୁଇପାଖକୁ ଯିବାର ପଥ ଥିଲା ।

 

ବିଲେଲି ମୋତେ କହିଲେ ଯେ ଏହି ଦୁଇଟି ପଥରେ କିଛି ଦୂର ଗଲେ ଯେଉଁ ଗୁହାମାନ ଦେଖାଯିବ, ସେଥିରେ କେବଳ ମୃତ ଦେହସବୁ ରଖାଯାଇଅଛି । କହିବାକୁ ଗଲେ ଏ ପର୍ବତଯାକ ମୃତ ଦେହରେ ପୂର୍ଣ୍ଣ । ସେଗୁଡ଼ିକ ଏପରି ରଖାଯାଇଛି ଯେ ପ୍ରାୟ କୌଣସିଟିର କିଛି ବିକୃତ ଘଟିନାହିଁ ।’’

 

ଉଚ୍ଚ ସ୍ଥାନଟିରେ ଗୋଟିଏ ଚୌକି ରହିଥିଲା । ହଠାତ୍ ଲୋକମାନେ ଶ୍ରୀ ଶ୍ରୀ ବୋଲି ଚିତ୍କାର କରି ତଳେ ମୁହଁମାଡ଼ି ପଡ଼ିଗଲେ । ବିଲେଲି ମଧ୍ୟ ସେହିପରି ତଳେ ମୁହଁମାଡ଼ି ପଡ଼ିଲେ । କେବଳ ମୁଁ ଛିଡ଼ା ହୋଇ ରହିଲି । ବାମପାଖର ଗଳି ବାଟରୁ ଅନେକ ଜଗୁଆଳି ବାହାରି ଆସିଲେ । ସେମାନଙ୍କ ପଛକୁ କୋଡ଼ିଏ ଜଣ ଦାସ ଓ ଦାସମାନଙ୍କ ପରେ କୋଡ଼ିଏ ଜଣ ଦାସୀ ଆସିଲେ । ସମସ୍ତଙ୍କ ପଛରେ ଆସିଲେ ଆୟେଶା । ତାଙ୍କର ଆପାଦ ମସ୍ତକ ବସ୍ତ୍ରରେ ଆବୃତ ଥିଲା । ସେ ଚୌକିରେ ବସିଯାଇ ମୋତେ ଗ୍ରୀକ୍ ଭାଷାରେ କହିଲେ, ‘‘ହୋଲି, ତୁମେ ଆସି ମୋ ପାଖରେ ତଳେ ବସ । ଅପରାଧୀମାନଙ୍କର ବିଚାର ଦେଖ । କାଲି ରାତିରେ ତୁମର ଭଲ ନିଦହୋଇଥିଲା ତ-?’’

 

ମୁଁ ଗ୍ରୀକ୍ ଭାଷାରେ ଉତ୍ତର କଲି, ‘‘ନା ଭଲ ନିଦ ହୋଇନାହିଁ ।’’

 

"ମୁଁ ମଧ୍ୟ ଭଲ ଭାବରେ ଶୋଇ ପାରିନାହିଁ । ମୁଁ ଯାହାକୁ ପ୍ରାଣ ଦେଇ ଭଲ ପାଇ ଆସିଛି ଅଥଚ ଯାହାକୁ ଘୃଣା କରି ଆସିଛି, ସ୍ଵପ୍ନରେ ତାଙ୍କୁ ଦେଖିଲି । ତେଣୁ ନିଦ ହେଲା ନାହିଁ ।’’

 

ଏହାପରେ ସେ ଜଗୁଆଳିମାଳଙ୍କୁ ଆରବୀ ଭାଷାରେ ଆଦେଶ ଦେଲେ, ‘‘ଅପରାଧୀମାନଙ୍କୁ ଅଣାଅ ।’’

 

ବନ୍ଦୀମାନଙ୍କୁ ଅଣାଗଲା । ମୋତେ ଆୟେଶା ପଚାରିଲେ, ‘‘ଏମାନଙ୍କୁ ଚିହ୍ନି ପାରୁଛ ? ସମସ୍ତ ଘଟନା କହିଯାଅ ।’’

 

ମୁଁ ସଂକ୍ଷେପରେ ସଂଘର୍ଷର ବର୍ଣ୍ଣନା କରିଗଲି ।

 

ମୋ ପରେ ବିଲେଲି ମଧ୍ୟ ସେହିପରି ସମସ୍ତ ଘଟନା କହିଗଲେ ।

 

ଶେଷରେ ଶ୍ରୀ ବନ୍ଦୀମାନଙ୍କୁ କହିଲେ, ‘‘ତୁମମାନଙ୍କ ବିରୁଦ୍ଧରେ ଯାହା କୁହାଗଲା, ଶୁଣିଲ-। ଏବେ ତୁମର କଅଣ କହିବାକୁ ଅଛି କୁହ ।’’

 

କେହି କିଛି କହିଲେ ନାହିଁ । କେବଳ ଜଣେ ବନ୍ଦୀ କ୍ଷମା ପ୍ରାର୍ଥନା କଲା । ସମସ୍ତେ ନୀରବ ଭାବରେ ରାଣୀଙ୍କର ଆଦେଶ ଶୁଣିବାକୁ ଅପେକ୍ଷା କରି ରହିଲେ । ଶେଷରେ ସେ କହିଲେ, ‘‘ଏମାନଙ୍କୁ ବଧ୍ୟଭୂମିକୁ ନେଇଯାଅ ।’’

 

ଏମାନଙ୍କ ପ୍ରତି ପ୍ରଦର୍ଶନ କରିବାକୁ ମୁଁ ଅନୁରୋଧ କରିବାରୁ ଶ୍ରୀ କହିଲେ, ‘‘ନା, ଏମାନଙ୍କ ପ୍ରତି ଦୟା ଦେଖାଇଲେ ତୁମମାନଙ୍କର ଜୀବନ ବିପନ୍ନ ହେବ । କ୍ୟାପ୍‍ଟେନ, ବନ୍ଦୀମାନଙ୍କୁ ବଧ୍ୟସ୍ଥାନକୁ ନେଇଯାଅ ।’’

Image

 

ମୃତଦେହରେ ପରିପୂର୍ଣ୍ଣ ଗୁହା

 

କାପ୍‍ଟେନ ଓ ଜଗୁଆଳିମାନେ ବନ୍ଦୀମାନଙ୍କୁ ନେଇ ଚାଲିଗଲେ । ଲୋକମାନେ ମଧ୍ୟ ମୁହଁ ମାଡ଼ି ଘୁଷୁଡ଼ି ଘୁଷୁଡ଼ି ଘରୁ ବାହାରି ଗଲେ । ରାଣୀଙ୍କ ପାଖରେ ମୁଁ ଓ ଦୁଇଜଣ ଚାକରଙ୍କ ଛଡ଼ା ଆଉ କେହି ରହିଲେ ନାହିଁ ।

 

ଶ୍ରୀ କହିଲେ, ‘‘ହୋଲି, ମୁଁ ତୁମକୁ ଏଠାର କେତେକ ଆଶ୍ଚର୍ଯ୍ୟଜନକ ପଦାର୍ଥ ଦେଖାଇବାକୁ ଚାହେଁ । ଏହି ଗୁହାଟିକୁ ଭଲକରି ଦେଖ । ଲକ୍ଷ ଲକ୍ଷ ଲୋକ ପରିଶ୍ରମ କରି ଅନେକ ବର୍ଷରେ ଏହାକୁ ତିଆରି କରିଥିଲେ । ପ୍ରାଚୀନ କୋର୍‍ର ଲୋକେ ପ୍ରାଚୀନ ଇଜିପ୍‍ଟର ଲୋକଙ୍କ ପରି ଜୀବିତ ମନୁଷ୍ୟ ଅପେକ୍ଷା ମୃତ ବ୍ୟକ୍ତିର ଶବ ବିଷୟରେ ବେଶି ଚିନ୍ତିତ ଥିଲେ । ଏଇ କାନ୍ଥରେ ଯାହା ଲେଖାଅଛି ଦେଖ ।’’ ଚାକର ଦୁହେଁ ଆଲୁଅ ଦେଖାଇଲେ; ରାଣୀ ସେହି ଲେଖାକୁ ପଢ଼ିଲେ-

 

"କୋର୍‍ନଗରୀ ପ୍ରତିଷ୍ଠିତ ହେବାର ଚାରିହଜାର ଦୁଇଶହ ଅଣଷଠୀ ବର୍ଷ ପରେ ଆଜି କୋର୍‍ର ରାଜା ତିସ୍‍ନୋଙ୍କ ଦ୍ୱାରା ଏହି ଶବ-ଗୃହର ନିର୍ମାଣ କାର୍ଯ୍ୟ ସମାପ୍ତ ହେଲା ।’’

 

ଲେଖା ପଢ଼ିସାରି ଶ୍ରୀ ମୋତେ କହିଲେ; ‘‘ହୋଲି, ମୁଁ ଗତ ଦୁଇହଜାର ବର୍ଷ ହେଲା ଏହି ଗୁହା ଦେଖି ଆସୁଅଛି । ତାହାର ଚାରିହଜାର ବର୍ଷ ପୂର୍ବେ କୋର୍‍ନଗରୀ ନିର୍ମିତ ହୋଇଥିଲା । ଏହି ନଗରୀ କିପରି ଧ୍ଵଂସ ପାଇଲା ତାହା ଅନ୍ୟ ଏକ ସ୍ଥାନରେ ଲିଖିତ ଅଛି । ଆସ, ଦେଖିବ ।’’

 

ଶ୍ରୀ କାନ୍ଥର ଅନ୍ୟ ଏକ ଅଂଶ ନିକଟକୁ ଗଲେ । ଚାକର ଦୁହେଁ ଆଲୁଅ ଦେଖାଇଲେ । ଶ୍ରୀ ପଢ଼ିବାକୁ ଲାଗିଲେ ।

 

‘‘ମୁଁ ହେଉଛି କୋରନଗରୀର ପ୍ରଧାନ ପୁରୋହିତ । ଏହି ନଗରୀ ସ୍ଥାପିତ ହେବାର ଚାରିହଜାର ଆଠଶହ ତିନିବର୍ଷ ପରେ ଏହା ମୁଁ ଲେଖିଯାଉଛି । କୋର୍‍ନଗରୀ ଧ୍ଵଂସ ପାଇଅଛି; ଏ ହେଉଛି ନଗରୀର କବର । ଦୁଇବର୍ଷ ତଳେ କୋର୍‍ର ଆକାଶରେ ଖଣ୍ଡେ ମେଘ ଦେଖା ଦେଲା ଓ ଲୋକେ ମହାମାରୀରେ ପଡ଼ି ମଲେ । ଧନୀ ଦରିଦ୍ର, ଯୁବକ, ଯୁବତୀ, ବୃଦ୍ଧ, ବୃଦ୍ଧା, ଶିଶୁ ସମସ୍ତେ ମୃତ୍ୟୁମୁଖରେ ପଡ଼ିଲେ । ତେଣୁ ଏମାନଙ୍କର ମୃତଦେହକୁ ଆମ ଦେଶର ପ୍ରଥା ଅନୁସାରେ ସୁରକ୍ଷିତ ଅବସ୍ଥାରେ ରଖାଯାଇ ପାରିଲା ନାହିଁ । ଗୋଲାକାର ପଥର ତଳେ ଥିବା ବିରାଟ ଗର୍ତ୍ତ ଭିତରେ ମୃତଦେହଗୁଡ଼ିକ ନିକ୍ଷେପ କରାଗଲା । ଯେଉଁ ଅଳ୍ପ କେତେଜଣ ବଞ୍ଚି ରହିଥିଲେ ସେମାନେ କୂଳକୁ ପକାଇ ଜାହାଜରେ ଉତ୍ତରକୁ ଚାଲିଗଲେ । ଏହି ମହାନଗରୀକୁ ମୁଁ ଶେଷରେ ତ୍ୟାଗ କରିଯିବା ପୂର୍ବରୁ ଏହାକୁ ଲେଖିଗଲି ।’’

ପଢ଼ିସାରି ଶ୍ରୀ କହିଲେ, ‘‘ହୋଲି, ମୋର ମନେହୁଏ, କୋର୍‍ର ଏଇ ଯେଉଁମାନେ ଉତ୍ତରକୁ ଯାଇଥିଲେ, ସେହିମାନେ ଇଜିପ୍‍ଟୀୟମାନଙ୍କର ପ୍ରାଚୀନ ବଂଶଧର । ଆସ, ଏ ଲେଖାରେ ଯେଉଁ ବିରାଟ ଗର୍ତ୍ତର ଉଲ୍ଲେଖ ଅଛି, ତାହାକୁ ଦେଖିବ ।’’

ମୁଁ ଶ୍ରୀଙ୍କ ପଛେ ପଛେ ଚାଲିଲି । କେତେ ଗଳି କନ୍ଦି ରାସ୍ତା ପାରହୋଇ ଓ କେତେକ ପାହାଚ ଅତିକ୍ରମ କରି ଆମେମାନେ ଗୋଟିଏ ବିଶାଳ ଗର୍ତ୍ତର ଧାରରେ ପହଞ୍ଚିଲୁ । ଚାକର ଦୁହେଁ ଆଲୁଅ ଦେଖାଇଲେ । ମୁଁ ଯେଉଁ ଭୀଷଣ ଦୃଶ୍ୟ ଦେଖିଲି ତାହା ମନେ ପଡ଼ିଲେ ଛାତି କମ୍ପି ଉଠୁଛି । ଗର୍ତ୍ତଟି ଏତେ ବୃହତ୍ ଯେ ସେଥିରେ ସେଣ୍ଟପଲ୍ ଗୀର୍ଜାଟି ଲୁଚିଯାଇ ପାରନ୍ତା । ଏହା ଭିତରେ କେବଳ ଅସ୍ଥି କଙ୍କାଳ ପୂର୍ଣ୍ଣ ହୋଇଥିଲା । କୌଣସି କୌଣସି କଙ୍କାଳରେ ଶୁଖିଲା ଚମ ଲାଖି ରହିଥିଲା ।

ଭୟ ଓ ବିସ୍ମୟରେ ମୁଁ ଚିତ୍କାର କରି ଉଠିଲି । ମୋର ସେହି ଚିତ୍କାର ପ୍ରତିଧ୍ଵନିତ ହେଲା । ମୁଁ ଏହି ଭୟାନକ ଦୃଶ୍ୟକୁ ବେଶି ସମୟ ଚାହିଁ ପାରିଲି ନାହିଁ । ମୁଁ ଚାଲିଯିବାର ଇଚ୍ଛାପ୍ରକାଶ କଲି ।

ଆମେ ଫେରିଆସିଲା ବେଳେ ଶ୍ରୀ କହିଲେ, ‘‘ଏହି ମହାମାରୀ ଘଟିବା ପୂର୍ବରୁ କୋର୍‍ର ଲୋକେ ମୃତଦେହକୁ ସୁରକ୍ଷିତ ଅବସ୍ଥାରେ ରଖୁଥିଲେ । ମୁଁ ସେଥିରୁ କେତୋଟି ତୁମକୁ ଦେଖାଇବି-।’’

 

ମୁଁ ତାଙ୍କ ପଛେ ପଛେ ଚାଲିଲି । ଗୋଟିଏ କୋଠରିରେ ପ୍ରବେଶ କରିବାରୁ ଦେଖାଗଲା ଯେ ସେଥିରେ ଦୁଇଟି ବେଦୀ ଅଛି । ପ୍ରତ୍ୟେକରେ ଗୋଟିଏ ଲେଖାଏଁ ମୃତ ଦେହ ଥିଲା । ଗୋଟିକ ଉପରୁ ଆବରଣ ବସ୍ତ୍ର କାଢ଼ି ଦେଇ ଶ୍ରୀ କହିଲେ, ‘‘ଏହି ଶବଟିକୁ ଦେଖ ।’’

 

ଏହି ଶବଟି ଜଣେ ସ୍ତ୍ରୀ ଲୋକର । ବୟସ ପ୍ରାୟ ପଞ୍ଚତ୍ରିଶ ବର୍ଷ ହେବ । ତାର ଛାତି ଉପରେ ମୁହଁ ମାଡ଼ି ଶିଶୁଟିଏ ପଡ଼ିଥିଲା । ଦେଖିଲେ ମନେହେବ ସ୍ତ୍ରୀ ଲୋକଟି ତାର ସନ୍ତାନକୁ ଦୁଧ ଦେଉଅଛି । ମୁଁ ଏହି କରୁଣ ଦୃଶ୍ୟ ଦେଖି ଅଭିଭୂତ ହୋଇଗଲି । ବେଶି ସମୟ ଚାହିଁ ପାରିଲି ନାହିଁ-

 

ଅପର ବେଦୀରେ ଥିଲା ତାର ସ୍ୱାମୀର ଶବ । ଏହାର ବୟସ ଖୁବ୍ ବେଶି । ମୁହଁରେ ପାଚିଲା ଦାଢ଼ି । ବୋଧହୁଏ ସ୍ତ୍ରୀ ଲୋକଟି ମରିବାର ବହୁତ ବର୍ଷ ପରେ ସ୍ୱାମୀର ମୃତ୍ୟୁ ହୋଇଥିଲା-

 

ଆମେମାନେ ଏହିପରି ଅନେକ ଶବଗୃହ ଦେଖିଲୁ । ସବୁ ଶବ ଅତି ଯତ୍ନରେ ରକ୍ଷିତ । ମନେ ହେଉଥିଲା, ଏମାନେ ଶୋଇ ରହିଛନ୍ତି । ଏହାପରେ ରାଜା ତିସ୍‍ନୋଙ୍କ ଶବ ଦେଖିବାପାଇଁ ଶ୍ରୀ ମୋତେ ଅନୁରୋଧ କଲେ । କିନ୍ତୁ ସେତେବେଳକୁ ମୁଁ ଏତେ ବିସ୍ମୟାଭିଭୂତ ହୋଇଯାଇଥିଲି ଯେ ଆଉ କିଛି ଦେଖିବାକୁ ଯିବା ମୋ ପକ୍ଷରେ ଅସମ୍ଭବ ମନେହେଲା । ଅଗତ୍ୟା ମୁଁ ତାଙ୍କ ଅନୁରୋଧ ରକ୍ଷା କରି ପାରିଲି ନାହିଁ ।

 

ଆମେମାନେ ଆୟେଶାଙ୍କ କୋଠରିକୁ ଫେରିଆସିଲୁ ।

Image

 

ଆୟେଶା ଓ ଲିଓ

 

ହଠାତ୍ ଶ୍ରୀ ମୋତେ କହିଲେ, ‘‘ତୁମେ ଯେଉଁ ଲିଓଙ୍କର ପୀଡ଼ା କଥା କହୁଥିଲ, ଚାଲ ତାଙ୍କୁ ଦେଖିବା । ଯଦି ତାଙ୍କର ଅବସ୍ଥା ସାଂଘାତିକ ହୋଇଥାଏ, ତେବେ ତାଙ୍କ ଜୀବନରକ୍ଷାର ଚେଷ୍ଟା କରାଯିବ । ତୁମେ ଆଗ ତାଙ୍କ ପାଖକୁ ଯାଅ । ମୁଁ ଔଷଧ ନେଇ ତୁମ ପଛେ ପଛେ ଯାଉଛି-।’’

 

ମୁଁ ଆସି ଦେଖିଲି ଯେ ଲିଓଙ୍କର ଶେଷ ଅବସ୍ଥା ଉପସ୍ଥିତ । ଜବ୍ ଓ ଉସ୍ତେନ ଦୁଃଖରେ ବସି କାନ୍ଦୁଥିଲେ । ମୋତେ ଦେଖିଲାକ୍ଷଣି ଦୁହେଁ ଏକ ସଙ୍ଗରେ କହି ଉଠିଲେ,’’ଆମେ ତୁମକୁ ଖୋଜି ବୁଲୁଛୁ । ଦେଖ, ଲିଓଙ୍କର ଶେଷ ସମୟ ହେଲାଣି ।’’

 

ମୁଁ ଲକ୍ଷ୍ୟକଲି ଯେ ପ୍ରକୃତରେ ଲିଓଙ୍କର ଜୀବନର ଆଶା ନାହିଁ । ଆଉ ଘଣ୍ଟାକ ମଧ୍ୟରେ ତାଙ୍କର ପ୍ରାଣବାୟୁ ବାହାରି ଯିବ । ତାଙ୍କୁ ଶେଷ ସମୟରେ ଛାଡ଼ି ଯାଇଥିବାରୁ ମୋର ଅନୁତାପ ଆସିଲା ।

 

ଏହି ସମୟରେ ଆୟେଶା ସେହି କୋଠରିରେ ପ୍ରବେଶ କଲେ । ସେ ସମସ୍ତ ଦେହକୁ ଆଚ୍ଛାଦନ କରିଥିଲେ । ଜବ୍ ତାଙ୍କୁ ଏକ ପ୍ରେତମୂର୍ତ୍ତି ମନେକରି ଚିତ୍କାର କରି ଉଠିଲା ଓ କୋଠରିର ଗୋଟିଏ କୋଣରେ ଲୁଚି ବସିଲା ।

 

ମୁଁ କହିଲି, ‘‘ଆୟେଶା, ତୁମେ ଠିକ୍ ଶେଷ ମୁହୂର୍ତ୍ତରେ ପହଞ୍ଚିଛ । ଲିଓଙ୍କର ଜୀବନର ଆଶା ଅତି କ୍ଷୀଣ ।’’

 

‘‘ତାଙ୍କର ମୃତ୍ୟୁ ହୋଇନଥିଲେ ମୁଁ ତାଙ୍କୁ ଆରୋଗ୍ୟ କରି ପାରିବି । ଏ ଦୁଇଜଣଙ୍କୁ ଆଗେ ଏ କୋଠରିରୁ ବାହାର କରିଦିଅ ।’’

 

ଜବ୍ ତତ୍‍କ୍ଷଣାତ୍ କୋଠରିରୁ ବାହାରିଗଲା । କିନ୍ତୁ ଉସ୍ତେନ ଛିଡ଼ା ହୋଇ ରହିଲା ।

 

ସେ କଅଣ କଅଣ ସ୍ଥିର କରି ପାରୁନଥିଲା । ଏକ ପକ୍ଷରେ ରାଣୀଙ୍କ ପ୍ରତି ଭୟ, ଅନ୍ୟ ପକ୍ଷରେ ଲିଓଙ୍କ ପ୍ରତି ପ୍ରଗାଢ଼ ମମତା । ଶେଷରେ ସେ ସାହସ କରି କହିଲା, ‘‘ସ୍ୱାମୀର ବିପଦ ବେଳେ ସ୍ତ୍ରୀ କଅଣ ତା ପାଖରେ ରହି ନପାରେ !’’

 

‘‘ଯାଅ, ଚାଲିଯାଆ ।’’ ଆୟେଶାଙ୍କର ଏ କଠୋର ଆଦେଶ ଶୁଣି ଉସ୍ତେନ ତଳେ ମୁହଁ ମାଡ଼ି ଘୁଷୁଡ଼ି ଘୁଷୁଡ଼ି କୋଠରିରୁ ବାହାରି ଗଲା ।

 

ଆୟେଶା ଲିଓଙ୍କ ବିଛଣା ପାଖକୁ ଆସି ମୁହଁରୁ ଲୁଗାଟା ଟେକି ଦେଲେ । ଲିଓଙ୍କ ମୁହଁକୁ ଦେଖିଲାକ୍ଷଣି ସେ ବିସ୍ମୟରେ ଚିତ୍କାର କରି ତଳେ ପଡ଼ିଗଲେ ।

 

ମୁଁ ପଚାରିଲି, ‘‘କଥା କଅଣ ? ଲିଓଙ୍କର କଣ ମୃତ୍ୟୁ ହୋଇ ଯାଇଅଛି ?’’

 

ସେ ମୋ ଉପରେ କ୍ରୋଧ ପ୍ରକାଶ କରି କହିଲେ, ‘‘ତୁମେ କେଡ଼େ ହତଭାଗା ! ଆଜିଯାଏ ତୁମେ ମୋତେ କହିନାହଁ ଯେ ତୁମ ସଙ୍ଗରେ କାଲିକ୍ରେଟ୍‍ସ, ଆସିଛନ୍ତି । ଏ ସେହି କାଲିକ୍ରେଟ୍‍ସ ଯାହାଙ୍କୁ ମୁଁ ଦୁଇ ହଜାର ବର୍ଷ ହେଲା ଚାହିଁ ରହିଛି । ଯାହାହେଉ, ସେ ମୋ ପାଖକୁ ଆସିଛନ୍ତି ।’’ ସେ ଆନନ୍ଦାତିଶଯ୍ୟରେ କାନ୍ଦି ପକାଇଲେ ।

 

ମୁଁ କହିଲି, ‘‘ଶୀଘ୍ର କିଛି ପ୍ରତିକାର କର । ନୋହିଲେ ତାଙ୍କର ଜୀବନରକ୍ଷା ଅସମ୍ଭବ ହୋଇପଡ଼ିବ ।’’

 

ଆୟେଶା ତାଙ୍କ ପୋଷାକ ଭିତରୁ ଗୋଟିଏ ପାତ୍ର ବାହାର କରି କହିଲେ, ଶୀଘ୍ର ଏହି ଔଷଧକୁ ତାଙ୍କ ପାଟିରେ ଢାଳିଦିଅ ।’’ ଆମେ ଦୁହେଁ ଲିଓଙ୍କ ମୁଣ୍ଡକୁ ଟେକି ଧରି ପାତ୍ରର ଔଷଧ ତାଙ୍କୁ ପିଆଇ ଦେଲୁ ।

 

ଲିଓଙ୍କର ମୁଖ ନୀଳବର୍ଣ୍ଣ ହୋଇଗଲା । ତାଙ୍କର ହୃତ୍‍ପିଣ୍ଡର ସ୍ପନ୍ଦନ ବନ୍ଦ ହୋଇଗଲା ପରି ବୋଧହେଲା । ଆୟେଶା ଲିଓଙ୍କର ମୁଣ୍ଡକୁ ଧରି ବସିଥିଲେ । ମୁଁ ବ୍ୟାକୁଳ ହୋଇ ତାଙ୍କ ମୁହଁକୁ ଚାହିଁଲି । ତାଙ୍କ ଆଖି ଯୋଡ଼ିକ ଲୁହରେ ଢଳଢଳ ହେଉଥିଲା । ବୋଧହୁଏ, ସେ ମଧ୍ୟ ଲିଓଙ୍କ ଜୀବନରକ୍ଷା ବିଷୟରେ ମୋହଭଳି ସନ୍ଦିହାନ ହୋଇ ପଡ଼ିଥିଲେ ।

 

ମୁଁ ପଚାରିଲି, ‘‘ଆଉ କଅଣ ଆଶା ନାହିଁ ?’’ କିନ୍ତୁ ତାଙ୍କଠାରୁ କୌଣସି ଉତ୍ତର ମିଳିଲା ନାହିଁ ।

 

ପ୍ରାୟ ପାଞ୍ଚମିନିଟ ପରେ ଲିଓଙ୍କଠାରୁ ଏକ ଦୀର୍ଘଶ୍ୱାସ ବାହାରିଲା । ତାଙ୍କ ମୁହଁର ରଙ୍ଗ ବଦଳି ଆସିଲା । ସେ କଡ଼ ଲେଉଟାଇଲେ ।

 

ଆୟେଶା କହିଲେ, ‘‘ତାଙ୍କର ଜୀବନରକ୍ଷା ହୋଇ ପାରିଅଛି । ସେ ଏହିପରି ବାରଘଣ୍ଟା ଶୋଇ ରହିବେ । ଉଠିବା ବେଳକୁ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଥିବେ ।’’

 

ସେ ଲିଓଙ୍କ ମୁଣ୍ଡରେ ହାତ ରଖି ଧୀରେ ତାଙ୍କୁ ଚୁମ୍ବନ ଦେଇ ଛିଡ଼ା ହେଲେ ।

Image

 

ଉସ୍ତେନ ପ୍ରତି ଦଣ୍ଡ

 

ଆୟେଶା ମୋତେ ପଚାରିଲେ, ‘‘ଉସ୍ତେନ ବୋଲି ସେ ଯେଉଁ ସ୍ତ୍ରୀ ଲୋକଟା ଏଠାରେ ଥିଲା, ସେ କିଏ ? ସେ କଅଣ କାଲିକ୍ରେଟ୍‍ସଙ୍କର ଦାସୀ ?’’

ମୁଁ ଉତ୍ତର କଲି, ‘‘ତୁମ ଦେଶର ବିଧି ଅନୁସାରେ ସେ ଲିଓଙ୍କର ପତ୍ନୀ ବୋଲି ଶୁଣୁଛି । କିନ୍ତୁ ମୁଁ କିଛି ଜାଣେନାହିଁ ।’’

‘‘ତାହାହେଲେ ତାର ମରଣ ନିଶ୍ଚିତ ।’’ ଆୟେଶାଙ୍କ ମୁଖରେ ଦୃଢ଼ତା ଓ କଠୋରତା ପ୍ରକାଶ ପାଉଥିଲା ।

‘‘କାହିଁକି ? ତାର ଅପରାଧ କଅଣ ? କାଲିକ୍ରେଟ୍‍ସଙ୍କୁ ଫେରି ପାଇବାରେ ତୁମର ଆନନ୍ଦିତ ହେବାର କଥା । ଜଣେ ରମଣୀକୁ ବଧ କରିବାରେ ସେ ଆନନ୍ଦ କଳୁଷିତ ହେବ ନାହିଁ କି-? ତୁମେ କହୁଛ ଯେ ଏହି କାଲିକ୍ରେଟ୍‍ସଙ୍କ ପ୍ରତି ଅତୀତରେ ଅନ୍ୟାୟ କରିଥିଲ । ତୁମେ ନିଜ ହାତରେ ତାଙ୍କୁ ହତ୍ୟା କରିଥିଲ । ଇଜିପ୍‍ଟର ଆମେନର୍ତ୍ତାସ ବୋଲି ଜଣେ ରମଣୀଙ୍କୁ ସେ ଭଲ ପାଉଥିଲେ; ଏହା ହିଁ ଥିଲା ତାଙ୍କର ଅପରାଧ ।’’

‘‘ମୁଁ ଏ ବିଷୟ ତୁମକୁ କହିନାହିଁ । ତୁମେ ଜାଣିଲ କିପରି ?’’

ମୁଁ ନିଜର ଭୁଲ ବୁଝି ପାରିଲି । ଲୁହା ବାକ୍‍ସ ଓ ସେଥିରେ ଥିବା କାଗଜ ପତ୍ର ବିଷୟ ମୁଁ ଆୟେଶାଙ୍କୁ କହିନଥିଲି । ମୁଁ କଥାଟାକୁ ଭୁଲାଇବା ପାଇଁ କହିଲି–

‘‘ହୁଏତ ମୁଁ ସ୍ଵପ୍ନରେ ସେପରି ଦେଖିଥିଲି ।’’

ଆୟେଶା ମୋ କଥା ପ୍ରତି କାନ ନ ଦେଇ କହିଲେ, ‘‘ମୋତେ ଦୟା ଦେଖାଇବାକୁ ହେବ । କଠୋରତା ମୋର ସ୍ଵଭାବ ନୁହେଁ । କାହାରିକୁ କଷ୍ଟ ଦେବା ଅଭିପ୍ରାୟ ମୋର ନାହିଁ ।’’

ଉସ୍ତେନକୁ ମୁଁ ଡାକି ଆଣିଲି । ସେ ପ୍ରଥମେ ପ୍ରଶ୍ନ କଲା, ‘‘ମୋର ସ୍ୱାମୀଙ୍କର ମୃତ୍ୟୁ ହୋଇନାହିଁ ତ ?’’

‘‘ନା, ଶ୍ରୀ ତାଙ୍କର ଜୀବନ ରକ୍ଷା କରି ପାରିଅଛନ୍ତି ।’’

ଉସ୍ତେନ କୋଠରିରେ ପ୍ରବେଶ କରି ଆୟେଶାଙ୍କ ପାଦତଳେ ପଡ଼ିଗଲା । ସେ ତାକୁ ଛିଡ଼ା ହେବାକୁ ଆଦେଶ ଦେଇ ପଚାରିଲେ, ‘‘ଏ ଲୋକଟି କିଏ ? ତାଙ୍କ ସଙ୍ଗେ ତୋର କି ସମ୍ବନ୍ଧ-?’’

‘‘ସେ ମୋର ସ୍ୱାମୀ । ଆମ ଦେଶର ବିଧି ଅନୁସାରେ ମୁଁ ତାଙ୍କ ବିବାହ କରିଅଛି ।’’

ଏ ଲୋକଟି ଜଣେ ବିଦେଶୀ । ତାଙ୍କୁ ସ୍ୱାମୀ ରୂପେ ବରଣ କରି ତୁ ଘୋର ଅନ୍ୟାୟ କରିଅଛୁ । ବିଦେଶୀ ପକ୍ଷରେ ଆମ ଦେଶର ପ୍ରଥାର କୌଣସି ମୂଲ୍ୟ ନାହିଁ । ଚାଲିଯାଅ, ଏଣିକି ତୁ ତାଙ୍କୁ ଦେଖା କରି ପାରିବୁ ନାହିଁ କି ତାଙ୍କୁ କିଛି କହି ପାରିବୁ ନାହିଁ ।’’

କିନ୍ତୁ ଉସ୍ତେନ ଚାଲି ନଯାଇ ଛିଡ଼ା ହୋଇ ରହିଲା ।

‘‘ଯାଆ, ଶୀଘ୍ର ଚାଲିଯାଆ ।’’

‘‘ନା, ମୁଁ ଯିବିନାହିଁ । ସେ ମୋର ସ୍ୱାମୀ । ମୁଁ ତାଙ୍କୁ ଅନ୍ତରର ସହିତ ଭଲପାଏଁ । ଆପଣ ଏ ଦେଶର ରାଣୀ ହେଲେ ହେଁ ସ୍ୱାମୀଠାରୁ ସ୍ତ୍ରୀକୁ ଦୂର କରିବାର ଅଧିକାର ଆପଣଙ୍କର ନାହିଁ ।’’

ଉସ୍ତେନର କଥାରେ ଆୟେଶାଙ୍କର କ୍ରୋଧ ବୃଦ୍ଧି ପାଇବାର କଥା । ମୁଁ ତାଙ୍କ କ୍ରୋଧର ଉପଶମ ପାଇଁ କହିଲି, ‘‘ଆୟେଶା, ଏ ସ୍ତ୍ରୀଲୋକ ପ୍ରତି ଦୟା ପ୍ରକାଶ କର ।’’

‘‘ମୁଁ ଦୟା କରିନଥିଲେ, ସେ ଅନେକ ଆଗରୁ ମରି ସାରିଥାନ୍ତା ।’’ ସେ ପୁଣି ଉସ୍ତେନକୁ କହିଲେ, ‘‘ମୋର ଆଦେଶ, ଚାଲିଯାଆ ।’’

ତଥାପି ଉସ୍ତେନ ଛିଡ଼ାହୋଇ ରହି କହିଲା, ‘‘ନା, ମୁଁ ଯିବି ନାହିଁ । ସେ ମୋର ସ୍ୱାମୀ । ମୁଁ ତାଙ୍କର ଜୀବନରକ୍ଷା କରିଥିଲି । ମୁଁ ତାଙ୍କୁ ଛାଡ଼ି କୁଆଡ଼େ ଯାଇନପାରେ ।’’

ଆୟେଶା ହଠାତ୍ ଉସ୍ତେନର ମୁଣ୍ଡରେ ହାତ ମାରିଦେଲେ । ଉସ୍ତେନ ତଳେ ପଡ଼ିଗଲା । ମୁଁ ଦେଖିଲି, ତାର ବାଳ ଉପରେ ଆୟେଶାଙ୍କ ତିନୋଟି ଆଙ୍ଗୁଳିର ତିନୋଟି ଧଳା ଗାର ରହିଯାଇଛି-

ଆୟେଶା ଉସ୍ତେନକୁ କହିଲେ, ‘‘ତୁ ଏଡ଼େ ନିର୍ବୋଧ ! ମୁଁ ଇଚ୍ଛାକଲେ ତୋତେ ମୁହୂର୍ତ୍ତକେ ମାରି ପାରନ୍ତି, କିନ୍ତୁ ମୁଁ ତୋତେ ଦୟାକରି ପଳାଇବାକୁ ସୁଯୋଗ ଦେଇଛି । ଯାଆ, ଯେବେ ତୁ ଆଉ ଦେଖା ଦେଉ, ତୋର ମୃତ୍ୟୁ ଅନିବାର୍ଯ୍ୟ ।’’

ଉସ୍ତେନ କୋଠରିରୁ ବାହାରିଗଲା ।

ଆୟେଶା ଲିଓଙ୍କୁ ନିଜ କୋଠରିର ନିକଟବର୍ତ୍ତୀ ଏକ କୋଠରିକୁ ନେଇ ଯିବାପାଇଁ ଭୃତ୍ୟମାନଙ୍କୁ ଆଦେଶ ଦେଇ ମୋତେ କହିଲେ, ‘‘ମୁଁ ନିଜେ ତାଙ୍କର ଯତ୍ନ ନେବି । ତୁମେ ଓ ତୁମର ଚାକର ତାଙ୍କ ପାଖେ ରହିବେ । ଗୋଟିଏ ବିଷୟରେ ସାବଧାନ ଥିବ । ଏଇ ସ୍ତ୍ରୀ ଲୋକଟା କେଉଁଠାକୁ ଗଲା, କାହିଁକି ଗଲା ଏସବୁ କଥା କାଲିକ୍ରେଟସଙ୍କୁ ଜାଣିବାକୁ ଦେବ ନାହିଁ । ଆଉ ଗୋଟିଏ କଥା, ତାଙ୍କୁ ମୋ ବିଷୟରେ ଯେତେ କମ୍ କୁହ, ସେତେ ଭଲ ।’’

ଚାକରମାନେ ଲିଓଙ୍କୁ ଗୋଟିଏ ଅନ୍ୟ କୋଠରିକୁ ନେଇଗଲେ । ଆମର ଜିନିଷସବୁ ସେହି କୋଠରିକୁ ଅଣାଗଲା । ଜବ୍ ଓ ମୁଁ ଲିଓଙ୍କ ପାଖରେ ରହିଲୁ ।

Image

 

ନୃତ୍ୟ ଉତ୍ସବ

 

ଲିଓ ନିଦରୁ ଉଠିବାର ସମୟ ହୋଇ ଆସିଲା । ନିର୍ଦ୍ଦିଷ୍ଟ ସମୟର ଟିକିଏ ପୂର୍ବରୁ ଆୟେଶା କୋଠରିରେ ପ୍ରବେଶ କରି ମୋତେ କହିଲେ, ହୋଳି, ଅଳ୍ପ ସମୟ ପରେ କାଲିକ୍ରେଟସ୍ ନିଦରୁ ଉଠିବେ । ସେତେବେଳକୁ ସେ ପୁରା ଆରୋଗ୍ୟ ହୋଇଥିବେ ।

 

ଅଳ୍ପ ସମୟ ପରେ ଲିଓ କଡ଼ ଲେଉଟାଇ ଆଖି ଖୋଲିଲେ । କୋଠରି ଭିତରେ ଆୟେଶାଙ୍କୁ ଦେଖି ସେ କହିଲେ, ‘‘ଉସ୍ତେନ ଏ କଅଣ ? ମୁଣ୍ଡରୁ ପାଦଯାଏ ଘୋଡ଼ି ହୋଇଛ କାହିଁକି ?’’ କିଛି ଉତ୍ତର ମିଳିଲା ନାହିଁ । ସେ ଜବ୍‍କୁ ପ୍ରଶ୍ନ କଲେ, ‘‘ଆମେ ଏ କେଉଁଠାରେ ଥାଏଁ ? ଏ କୋଠରି ଆମେ ରହୁଥିବା କୋଠରି ପରି ଦିଶୁନାହିଁ ।’’ ଜବ୍ ଉତ୍ତରକଲା, ‘‘ଏ କୋଠରି ଆମର ପୂର୍ବ କୋଠରି ନୁହେଁ । କିନ୍ତୁ ଏ ସ୍ଥାନ ଠିକ୍ କେଉଁଠି ମୁଁ କହି ପାରିବି ନାହିଁ । ଯାହା ହେଉ ମୁଁ ଯାଇ ତୁମ ପାଇଁ କିଛି ଦୁଧ ଆଣେ ।’’

 

ଲିଓ ପୁଣି ଆୟେସାଙ୍କୁ କିଛି ସମୟ ଚାହିଁ ରହିଲେ, ‘‘ଏ ଉସ୍ତେନ ନୁହେଁ । ଉସ୍ତେନ କୁଆଡ଼େ ଗଲେ ?’’ ଆୟେଶା ଉତ୍ତର କଲେ, ‘‘ଉସ୍ତେନ ଚାଲିଯାଇଛି । ତା ପରିବର୍ତ୍ତରେ ମୁଁ ଅଛି ।’’

 

ଲିଓ ପୁଣି ଶୋଇ ପଡ଼ିଲେ ।

 

ପରଦିନ ଲିଓ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କଲେ । ତାଙ୍କ ଦେହର କ୍ଷତଗୁଡ଼ିକ ଶୁଖି ଯାଇଥିଲା । ଆୟେଶା ତାଙ୍କ ପାଖେ ପାଖେ ରହିଥିଲେ ହେଁ ସେ ବାରମ୍ବାର ଉସ୍ତେନକୁ ଖୋଜୁଥିଲେ । ଆୟେଶା ସବୁବେଳେ ମୁହଁକୁ ଘୋଡ଼ାଇ ରହୁଥିଲେ । ତେଣୁ ଲିଓ ତାଙ୍କର ମୁହଁ ଦେଖିବା ପାଇଁ ଇଚ୍ଛା ପ୍ରକାଶ କରୁଥିଲେ; କିନ୍ତୁ ସେ କେବେ ମୁହଁର ଆବରଣ ଖୋଲୁ ନ ଥିଲେ । ମୁଁ ମଧ୍ୟ ଆୟେଶାଙ୍କ ବିଷୟରେ ତାଙ୍କୁ କିଛି କହୁ ନ ଥିଲି । ତଥାପି ତାଙ୍କର ଗୋଟାଏ ଧାରଣା ଜନ୍ମିଲା ଯେ ଭଗ୍ନପାତ୍ରରେ ଯେଉଁ ରାଣୀର କଥା ଲେଖାଅଛି ଏ ସେହି ହୋଇଥିବେ ।

 

ଏହାର ପରଦିନ ଆମେମାନେ ଆୟେଶାଙ୍କ କୋଠରିକୁ ଗଲୁ । ଲିଓ ତାଙ୍କୁ ଧନ୍ୟବାଦ ଦେଲେ । ତହୁଁ ଆୟେଶା କହିଲେ, ‘‘ତୁମେ ସୁସ୍ଥ ହୋଇଥିବାରୁ ମୁଁ ଆନନ୍ଦିତ । ତୁମ ପାଇଁ ଆଉ କଅଣ କରିପାରେଁ ?’’ ଲିଓ ଉତ୍ତର କଲେ, ‘‘ଦୟାକରି ଉସ୍ତେନ କେଉଁଠାରେ ଅଛି, କୁହ ।’’

 

ଆୟେଶା ଟିକିଏ ଚିନ୍ତା କରି କହିଲେ, ‘‘ଉସ୍ତେନ, ଯିଏ ତୁମ ପାଖରେ ଥିଲା, କୁଆଡେ ଚାଲିଗଲା । ସେ ଆସିବ ନାହିଁ ବୋଲି କହି ଯାଇଛି । ଆଜି ରାତିରେ ତୁମମାନଙ୍କର ଆନନ୍ଦ ପାଇଁ ଗୋଟିଏ ନୃତ୍ୟ ଉତ୍ସବର ବ୍ୟବସ୍ଥା ହୋଇଅଛି । ବର୍ତ୍ତମାନ ମୁଁ ତୁମ୍ଭମାନଙ୍କୁ କେତେକ ଆଶ୍ଚର୍ଯ୍ୟଜନକ ପଦାର୍ଥ ଦେଖାଇବାକୁ ଚାହେଁ ।’’

 

ଲିଓ କିଛି ଆପତ୍ତି କଲେ ନାହିଁ । ଦୁଇଜଣ ଚାକର ବତୀ ଧରି ଆଗେ ଆଗେ ଚାଲିଲେ-। ଆୟେଶା ଆମମାନଙ୍କୁ କାନ୍ଥର ଲେଖା, ଗୋଲାକାର ବିରାଟ ପଥର, ଗଭୀର ଗର୍ତ୍ତ, ସୁରକ୍ଷିତ ମୃତଦେହ ପ୍ରଭୃତି ଦେଖାଇଲେ । ଲିଓ ଏ ସବୁ ଦେଖିବାରେ ଖୁବ୍ ଆଗ୍ରହ ପ୍ରକାଶ କରୁଥିଲେ; କିନ୍ତୁ ଜବ୍ ଭୟରେ ତଟସ୍ଥ ହୋଇ ଯାଉଥିଲା ।

 

ଯଥା ସମୟରେ ଭୋଜନ କରି ଆମେମାନେ ବିଶ୍ରାମ ନେଲୁ । ସନ୍ଧ୍ୟା ପୂର୍ବରୁ ଆମେମାନେ ଆୟେଶାଙ୍କ କୋଠରିକୁ ଗଲୁ । ଜଳପାତ୍ରରେ ଜଗତର ଯେ କୌଣସି ଅତୀତ ଓ ବର୍ତ୍ତମାନର ଘଟନା କିପରି ପ୍ରତିଫଳିତ ହୁଏ, ତାହା ଆୟେଶା ଦେଖାଇ ଦେଲେ । ଲିଓ ଏଥିରେ ବିସ୍ମିତ ହେଲେ, କିନ୍ତୁ ଜବ୍‍ର ପୂର୍ବ ଭୟ ଆହୁରି ବୃଦ୍ଧି ପାଇଲା ।

 

ବଡ଼ ଗୁହାର ସାମନାରେ ଥିବା ଖୋଲା ସ୍ଥାନରେ ନୃତ୍ୟର ବନ୍ଦୋବସ୍ତ ହୋଇଥିଲା । ଗୁହା ମୁହଁର ଆଗରେ ଆମମାନଙ୍କ ବସିବା ପାଇଁ ଚଉକି ପଡ଼ିଥିଲା ।

 

ଅନ୍ଧାର ରାତି, ଅନ୍ଧାରରେ କିପରି ନାଚ ହେବ ଓ ଆମେ କିପରି ତାହା ଦେଖିବୁ ମୁଁ ବୁଝିପାରିଲି ନାହିଁ । ହଠାତ୍ ବିଭିନ୍ନ ଦିଗରୁ ଲୋକେ ଜଳନ୍ତା ନିଆଁ ଆଣି ଖୋଲା ପଡ଼ିଆର ମଝିରେ ପକାଇଦେଲେ । ଲିଓ ଏହି ନିଆଁକୁ ଲକ୍ଷ୍ୟକରି କହିଲେ, ‘‘କି ଅଦ୍ଭୁତ ! ଏ ଯେ କାଠ ନୁହେଁ । ମନୁଷ୍ୟର ମୃତ ଦେହ ଜଳୁଛି ।’’

 

ଆଲୁଅର ବ୍ୟବସ୍ଥା ପରେ ନର୍ତ୍ତକ ନର୍ତ୍ତକୀମାନେ ଆସିଲେ । ଶହେଜଣ ପୁରୁଷ ଓ ଶହେଜଣ ସ୍ତ୍ରୀ । ସେମାନେ ଦୁଇ ଧାଡ଼ିରେ ଆସି ନୀରବରେ ନାଚିଲେ । ବୋଧହୁଏ ସେମାନେ କୌଣସି ନରହତ୍ୟାର ମୁକ ଅଭିନୟ କରୁଥିଲେ । ମୁଁ ଏ ନୃତ୍ୟରୁ କିଛି ରସ ଭୋଗ କରି ପାରିଲି ନାହିଁ ।

 

ଏହାପରେ ନର୍ତ୍ତକ ନର୍ତ୍ତକୀମାନେ ସିଂହ, ବ୍ୟାଘ୍ର, ଗୋରୁ, କୁକୁର, ମାଙ୍କଡ଼ ପ୍ରଭୃତି ବିଭିନ୍ନ ଜନ୍ତୁର ଚମଡ଼ାରେ ଦେହକୁ ଆବୃତ କରି ସେହି ସେହି ଜୀବର ସ୍ୱରକୁ ଅନୁକରଣ କରି ରାବିବା ସଙ୍ଗେ ନିଆଁ ଚାରିପାଖେ ବୁଲିବାକୁ ଲାଗିଲେ । ଏହି ନୃତ୍ୟଟି ଆମକୁ ଟିକିଏ ଆମୋଦଦାୟକ ବୋଧ ହେଲା । ଏମାନଙ୍କୁ ନିକଟରୁ ଦେଖିବା ପାଇଁ ଇଚ୍ଛାକରି ମୁଁ ଓ ଲିଓ ସେମାନଙ୍କର ଖୁବ୍ ପାଖକୁ ଗଲୁ । ସେମାନଙ୍କ ଭିତରୁ ଜଣେ ଗୋଟିଏ ସିଂହୀର ଅଭିନୟ କରୁଥିଲା । ସେ ଧାଡ଼ି ମଧ୍ୟରୁ ବାହାରି ଆମ ପାଖକୁ ଲାଗି ଆସିଲା ଓ ଧୀର ସ୍ଵରରେ କହିଲା, ‘‘ମୋ ପଛେ ପଛେ ଆସ-।’’

 

ଲିଓ ତା ପଛେ ପଛେ ଚାଲିଲେ । ମୁଁ ସେତେବେଳକୁ ବୁଝି ପାରିଥିଲି ଯେ ଏହି ନର୍ତ୍ତକୀ ହେଉଛି ଉସ୍ତେନ । ଏପରି ସ୍ଥାନରେ ଲିଓ ଓ ଉସ୍ତେନଙ୍କ ମିଳନର ପରିଣାମ ଯେ ଭୀଷଣ ହୋଇପାରେ ଏଥିରେ ମୋର ସନ୍ଦେହ ନଥିଲା । ତଥାପି ମୁଁ ଲିଓଙ୍କ ପଛେ ପଛେ ଚାଲିଲି ।

 

ଉସ୍ତେନ କହିଲା, ‘ତୁମେ ମୋର’ ସ୍ୱାମୀ; ମୋର ଜୀବନ ସର୍ବସ୍ଵ ! ମୋର ଜୀବନ ବିପନ୍ନ । ଶ୍ରୀ ଯେ କୌଣସି ମୁହୂର୍ତ୍ତରେ ମୋତେ ବଧ କରିପାରନ୍ତି । ସେ ମୋତେ ତଡ଼ି ଦେଇଥିବା ବିଷୟ ‘ବାନର’ ତୁମକୁ କହିଥିବ । ମୁଁ ଥରେ ତୁମର ଜୀବନ ରଖିଥିଲି । ତୁମେ ମୋତେ ମରିବାକୁ ଦେବନାହିଁ ବୋଲି ମୋର ବିଶ୍ୱାସ ।’’

 

ଲିଓ କହିଲେ,‘‘ନା, ହୋଲି ମୋତେ ସେ କଥା କହି ନାହାନ୍ତି ।’’

 

ଉସ୍ତେନ କହିଲା, ‘‘କହିଲା, ଏଠାରୁ ପଳାଇବାକୁ ହେବ । ଜଳାଭୂମି ପାର ହୋଇ ପଳାଇ ନଗଲେ ଆମର ରକ୍ଷା ନାହିଁ ।’’

 

ସେ ଦଉଡ଼ି ଆସି ଲିଓଙ୍କୁ ଆଲିଙ୍ଗନ କଲା । ତା ଦେହରୁ ସିଂହର ଚମଡ଼ା ଖସି ପଡ଼ିଲା । ତା ମୁଣ୍ଡରେ ତିନୋଟି ଆଙ୍ଗୁଳିର ଚିହ୍ନ ଦେଖାଯାଉଥିଲା ।

 

ଆମ ପଛରେ ଆୟେଶାଙ୍କର ହସ ଶୁଣାଗଲା । ମୁଁ ବୁଲିପଡ଼ି ଦେଖିଲି, ଆୟେଶାଙ୍କ ପାଖରେ ବିଲେଲି ଓ ଦୁଇଜଣ ଚାକର ଛିଡ଼ା ହୋଇଅଛନ୍ତି ।

Image

 

ଜାଦୁର ପ୍ରଭାବ

 

ଆୟେଶାଙ୍କ ଇଙ୍ଗିତରେ ଚାକର ଦୁହେଁ ଦଉଡ଼ିଯାଇ ଉସ୍ତେନର ଦୁଇ ହାତକୁ ଧରି ପକାଇଲେ । ଲିଓ ଧାଇଁଆସି ଦୁଇଜଣଙ୍କ ଭିତରୁ ଜଣକୁ ତଳେ ପକାଇ ଦେଲେ ।

 

ଆୟେଶା ତାହା ଲକ୍ଷ୍ୟକରି କହିଲେ, ‘‘ଲୋକଟା ତାର କର୍ତ୍ତବ୍ୟ କରୁ । ଉସ୍ତେନର କେହି କିଛି କ୍ଷତି କରିବେ ନାହିଁ । ସେମାନେ ତାକୁ ମୋ କୋଠରିକୁ ନେଇ ଆସନ୍ତୁ ।’’

 

ଉସ୍ତେନକୁ ଆୟେଶାଙ୍କ କୋଠରିକୁ ଅଣାଗଲା । ଆମେମାନେ ମଧ୍ୟ ସେହି କୋଠରିକୁ ଆସିଲୁ ।

 

ଆୟେଶା ପ୍ରଥମେ ଜବ୍ ଓ ବିଲେଲିଙ୍କୁ ବାହାରକୁ ପଠାଇ ଦେଲେ । ତତ୍ପରେ ସେ ମୋତେ ପଚାରିଲେ, ‘‘ଏସବୁ କଅଣ ତୁମେ ବ୍ୟବସ୍ଥା କରିଥିଲ ?’’ ମୁଁ ଦୃଢ଼ ଭାବରେ ମନାକଲି । ଆୟେଶା କହିଲେ, ‘‘ତେବେ ଦୋଷ ହେଉଛି ତାର । ଉସ୍ତେନା, ତୋର କିଛି କହିବାର ଅଛି ?’’

 

ଉସ୍ତେନ ସ୍ପଷ୍ଟ ଓ ନିର୍ଭୀକ ଭାବରେ ଉତ୍ତର କଲା, ମୁଁ ରାଣୀ ନୁହେଁ; ମୁଁ ଜାଦୁବିଦ୍ୟା ଜାଣେନାହିଁ । ମୁଁ ଜଣେ ସାଧାରଣ ନାରୀ; ମୋଠାରେ ନାରୀର ହୃଦୟ ଅଛି । ସେହି ହୃଦୟର ଆଲୋକରେ ମୁଁ ସତ୍ୟ ଦେଖି ପାରୁଛି । ମୋର ସ୍ୱାମୀଙ୍କୁ ଦେଖିଲାବେଳୁ ମୁଁ ତାଙ୍କୁ ଚିହ୍ନିଛି, ସେତିକିବେଳୁ ମୁଁ ଜାଣିଛି ଯେ ମୋର ପ୍ରେମ ନିମନ୍ତେ ମୋତେ ଜୀବନ ଦେବାକୁ ହେବ । ଜୀବନ ଓ ପ୍ରେମ ମଧ୍ୟରେ ମୁଁ ପ୍ରେମକୁ ଉଚ୍ଚତର ସ୍ଥାନ ଦେଇଛି । ମୃତ୍ୟୁର ଦ୍ୱାର ଦେଶରେ ରହି ମୁଁ ଦେଖି ପାରୁଛି, ତୁମେ ମୋତେ ବଧ କରିବ, କିନ୍ତୁ ତାହାଦ୍ୱାରା ତୁମେ କିଛି ପାଇବ ନାହିଁ । ଲିଓ ମୋର, ଚିରକାଳ ପାଇଁ ମୋର । ସେ ତୁମକୁ ଚାହିଁବେ ନାହିଁ କି ପତ୍ନୀରୂପେ ଗ୍ରହଣ କରି ପାରିବେ ନାହିଁ । ତୁମର ଶେଷ ସମୟ ମଧ୍ୟ ଆସୁଛି ।’’

 

ଆୟେଶା ଚଉକିରୁ ଉଠି ହାତ ଦୁଇଟି ଉସ୍ତେନ ଆଡ଼କୁ ବଢ଼ାଇ ଦେଇ ତାକୁ ଏକ ଦୃଷ୍ଟିରେ ଚାହିଁଲେ । ଓଃ ! ସେ ଦୃଷ୍ଟି କି ଭୀଷଣ ! ସତେ ଅବା ଚକ୍ଷୁର ଅଗ୍ନିକଣା ବାହାରୁଥିଲା । ଉସ୍ତେନ ହାତରେ ମୁହଁକୁ ଘୋଡ଼ାଇ ଲେଉଟି ପଡ଼ିଲା । ଲିଓ ଓ ମୁଁ ତା ପାଖକୁ ଦଉଡ଼ିଗଲୁ । କିନ୍ତୁ ସେତେବେଳକୁ ତାର ପ୍ରାଣବାୟୁ ଉଡ଼ିଯାଇଥିଲା ।

 

ଆୟେଶାଙ୍କ ମୁହଁରେ ଆବରଣ ନଥିଲା । ସେ ଲିଓଙ୍କୁ ଏକଦୃଷ୍ଟିରେ ଚାହିଁଲେ । କିନ୍ତୁ ଏ ଦୃଷ୍ଟି ଭିନ୍ନ ପ୍ରକାରର । ଏଥିରେ ଅଗ୍ନିର ସ୍ଫୁଲିଙ୍ଗ ନ ଥିଲା । ଲିଓଙ୍କର ଅଦ୍ଭୁତ ପରିବର୍ତ୍ତନ ଦେଖାଗଲା-। ମୁହୂର୍ତ୍ତକ ପୂର୍ବେ ସେ କୃଦ୍ଧ ହୋଇଥିଲେ; କିନ୍ତୁ ବର୍ତ୍ତମାନ ସେ ଶାନ୍ତ, କୌଣସି ପ୍ରକାର ଉତ୍ତେଜନା ତାଙ୍କଠାରେ ନାହିଁ । ତାଙ୍କୁ ଦେଖି ମୋର ମନେ ହେଲା, ସେ ସେଠାରୁ ପଳାଇବାକୁ ଇଚ୍ଛୁକ; କିନ୍ତୁ ଗୋଟାଏ ଅଦ୍ଭୁତ ଶକ୍ତି ତାଙ୍କୁ ଅବଶ କରି ରଖିଛି ।

 

ଆୟେଶା ମଧୁର ସ୍ଵରରେ ଗୋଟିଏ ଗୀତ ଗାଇଲେ । ଦୁଇଜଣ ଚାକର ଦୌଡ଼ିଆସି ଉସ୍ତେନର ମୃତ ଦେହକୁ ନେଇ ଚାଲିଗଲେ ।

Image

 

ମୃତ କାଲିକ୍ରେଟ୍‍ସ ଓ ଜୀବିତ କାଲିକ୍ରେଟ୍‍ସ

 

ମୁଁ ସ୍ଵପ୍ନ ଦେଖୁଥିଲା ପରି ବୋଧକଲି । ମୋ ଆଖିଆଗରେ ଯାହାସବୁ ଘଟିଗଲା, ସେସବୁ ସ୍ଵପ୍ନଠାରୁ ମଧ୍ୟ ବିସ୍ମୟକର ।

 

ଆୟେଶା ଲିଓଙ୍କ ହାତକୁ ଗୋଟିଏ ବତୀ ବଢ଼ାଇ ଦେଇ କହିଲେ, ‘‘ମୋ ସଙ୍ଗରେ ଆସ-।’’ ସେ ଆଗେ ଆଗେ ଚାଲିଲେ, ଲିଓ ଓ ମୁଁ ତାଙ୍କର ଅନୁସରଣ କଲୁ । ଆମେମାନେ କେତେକ ପାହାଚ ଅତିକ୍ରମ କଲୁ । ସେଗୁଡ଼ିକ ଘୋରିହୋଇ ଯାଇଥିଲା ।

 

ଆୟେଶା କହିଲେ, ‘‘ଦୁଇ ହଜାର ବର୍ଷ ହେଲା ମୁଁ ଏହା ଉପରେ ଯିବା ଆସିବା ଫଳରେ ଏହା ଏପରି ଘୋରି ହୋଇ ଯାଇଅଛି ।’’

 

ଆମେମାନେ ଗୋଟିଏ କୋଠରିର ଦ୍ଵାରଦେଶରେ ପହଞ୍ଚିଲୁ । ଆୟେଶା ପରଦା ଟାଣି ଦେଲେ । ସମସ୍ତେ କୋଠରି ଭିତରକୁ ଗଲୁ । ସେ କହିବାକୁ ଲାଗିଲେ, ‘‘ଦୁଇ ହଜାର ବର୍ଷ ଗତ ହେଲାଣି । ମୁଁ ରାତ୍ରିରେ ଆସି ଏହିଠାରେ ତାଙ୍କର ସାନ୍ନିଧ୍ୟ ଲାଭ କରୁଛି । ପ୍ରିୟ, ଆସ, ଏଠାରେ ତୁମେ ନିଜକୁ ଦେଖ । ଏତେ ବର୍ଷ ହେଲା ମୁଁ କିପରି ତୁମକୁ ଚାହିଁ ରହିଛି ନିଜ ଆଖିରେ ଦେଖ ।’’

 

ପଥର ବେଦୀ ଉପରେ ଗୋଟିଏ ମୃତ ଦେହ ରଖାଯାଇ ଥିଲା । ଆୟେଶା ତା ଉପରୁ ଆବରଣବସ୍ତ୍ରଟି ବାହାର କରିଦେଲେ । ମୁଁ ବିସ୍ମୟରେ ସ୍ତମ୍ଭୀଭୂତ ହୋଇଗଲି । ଏ ଯେ ଲିଓ ଭିନ୍‍ସିଙ୍କର ହେହ ! ଆକାରରେ, ଚେହେରାରେ ଲବମାତ୍ର ପ୍ରଭେଦ ଦେଖି ପାରିଲି ନାହିଁ । ଏତିକି ମାତ୍ର ପ୍ରଭେଦ, ଜଣେ ମୃତ, ଅନ୍ୟ ଜଣକ ଜୀବିତ ।

 

ଲିଓ ବିସ୍ମିତ ଭାବରେ ନିଜର ଅବିକଳ ମୃତ ଦେହକୁ ଚାହିଁ ରହିଲେ । ତାଙ୍କ ତୁଣ୍ଡରୁ କଥା ବାହାରିଲା ନାହିଁ । କିଛି ସମୟ ପରେ ସେ କହିଲେ, ‘‘ଏହାକୁ ଘୋଡ଼ାଇ ଦିଅ ।’’

 

ଆୟେଶା କହିଲେ, ‘‘ହଁ, ଏ ଦେହର ଆଉ ଆବଶ୍ୟକତା ନାହିଁ । କିନ୍ତୁ ମୁଁ ଯେଉଁ କୁକର୍ମ କରିଥିଲି, ତାହା ଆଉ ତୁମଠାରୁ ଲୁଚାଇବା କି ଦରକାର ? ହୋଲି, ଏହି ଶବର ଛାତି ଉପରୁ ଲୁଗା କାଢ଼ିଦିଅ ।’’

 

ମୁଁ ଯନ୍ତ୍ରଚାଳିତ ହେଲାପରେ ଶବର ଛାତି ଉପରୁ ଲୁଗା କାଢ଼ିଦେଲି । ଛାତିରେ ଗୋଟିଏ ଗଭୀର କ୍ଷତ ଦେଖିପାରିଲୁ । ଆୟେଶା କହିଲେ, ‘‘ମୁଁ ତୁମକୁ ହତ୍ୟା କରିଥିଲି । ସେହି ଇଜିପ୍‍ଟୀୟ ରମଣୀ ଆମେନାର୍ତ୍ତାସ ପାଇଁ ମୁଁ ତୁମର ଛାତିରେ ଏହିଠାରେ ବର୍ଚ୍ଛା ଦ୍ୱାରା ଆଘାତ କରିଥିଲି । ଏବେ ଏଦେହର କାର୍ଯ୍ୟ ଶେଷ ହୋଇଅଛି । ଏ ଦେହର ଆବଶ୍ୟକତା ଆଉ ନାହିଁ ।’’

 

ସେ ଗୁହାର ଖୋପରୁ ଗୋଟିଏ ପାତ୍ର ଆଣିଲେ । ସେ ମୃତଦେହର ଗଣ୍ଡ ଦେଶରେ ଚୁମ୍ବନ ଦେଇ ତାହା ଉପରେ ଏହି ପାତ୍ରରୁ କିଛି ତରଳ ପଦାର୍ଥ ଢାଳିଦେଲେ । କୋଠରିଟି ଧୂଆଁରେ ପୂର୍ଣ୍ଣ ହୋଇଗଲା । ଆମେମାନେ କିଛି ଦେଖିପାରିଲୁ ନାହିଁ । କିଛି ସମୟପରେ ଧୂଆଁ ଚାଲିଗଲା । ଯେଉଁଠାରେ ମୃତଦେହ ଥିଲା, ସେଠାରେ କିଛି ଧଳା ପାଉଁଶ ଛଡ଼ା ଆଉ କିଛି ଦେଖାଗଲା ନାହିଁ ।

 

ଆୟେଶା କହିଲେ, ‘‘ଏବେ ତୁମେମାନେ ଶୋଇବାକୁ ଯାଅ । କାଲି ସନ୍ଧ୍ୟାରେ ଆମକୁ ଗୋଟିଏ ଦୂରସ୍ଥାନକୁ ଯିବାକୁ ହେବ ।’’

 

ମୁଁ ଲିଓଙ୍କର ହାତଧରି ତାଙ୍କ କୋଠରିକୁ ନେଇଗଲି । ସେ ବିଛଣାରେ ପଡ଼ି କାନ୍ଦି କାନ୍ଦି କହିଲେ, ‘‘କେଜାଣି କାହିଁକି ମୁଁ ତାଙ୍କ ଆଗରୁ ଚାଲିଆସି ପାରିଲି ନାହିଁ । ମୋର ମସ୍ତିଷ୍କ ଠିକ୍ ଥିଲା, ମୁଁ ପଳାଇବାକୁ ଇଚ୍ଛା କରୁଥିଲି, କିନ୍ତୁ ମୋର ପାଦ ଚଳିଲା ନାହିଁ । ମୁଁ ତାଙ୍କୁ ଘୃଣା କରୁଥିଲି; କିନ୍ତୁ ମୁଗ୍‍ଧ ହୋଇ ତାଙ୍କୁ ଚାହିଁଥିଲି । ମୁଁ ଜାଣେ, ତାଙ୍କ ଇଚ୍ଛା ବିରୁଦ୍ଧରେ ମୁଁ କିଛି କରିପାରିବି ନାହିଁ । ତାଙ୍କର ଗୋଟାଏ କିଛି ଅଦ୍ଭୁତ ଶକ୍ତି ଅଛି । ମୁଁ ସେହି ଶକ୍ତିର ଅଧୀନ ହୋଇ ପଡ଼ିଛି ।’’

 

ଲିଓଙ୍କର ପ୍ରତ୍ୟେକ କଥା ଯେ ସତ୍ୟ, ସେଥିରେ ମୋର ସନ୍ଦେହ ନଥିଲା । ମୁଁ ତାଙ୍କୁ କିଛି କହିପାରିଲି ନାହିଁ ।

Image

 

ଆୟେଶାଙ୍କ ପ୍ରସ୍ତାବ

 

ଏହି ଘଟନାର ପରଦିନ ସକାଳ ଓଳି ମୁଁ ଓ ଲିଓ ବୁଲି ବାହାରିଲୁ । ପାର୍ବତୀୟ ଜାତିର ଲୋକେ କ୍ଷେତରେ କାମ କରୁଥିଲେ । କିଏ ହଳ କରୁଥିଲା, କେହି ବିହନ ବୁଣୁଥିଲା । ଲୋକମାନଙ୍କର ସାଧାସିଧା ଜୀବନ ଓ କାର୍ଯ୍ୟପ୍ରଣାଳୀ ଦେଖି ଆମ ମନ କେତେକ ପରିମାଣରେ ବଦଳି ଗଲା ।

 

ଖାଇସାରି ଆମେ ଦୁହେଁ ପୁଣି କିଛି ସମୟ ବୁଲି ଫେରି ଆସିଲୁ । କୋଠରିରେ ବିଶ୍ରାମ ନେବାକୁ ଯାଉଛୁ, ଏହି ସମୟରେ ବିଲେଲି ଆସି ଜଣାଇଲେ ଯେ ଶ୍ରୀଙ୍କ ନିକଟକୁ ଆମକୁ ଯିବାକୁ ହେବ ।

 

ଆମେ ଆୟେଶାଙ୍କ କୋଠରିରେ ପ୍ରବେଶ କରନ୍ତେ ସେ ଚାକରମାନଙ୍କୁ ବାହାର କରିଦେଇ ଆମକୁ ବସିବାକୁ କହିଲେ । ତାହାପରେ ସେ ଲିଓଙ୍କୁ ଲକ୍ଷ୍ୟ କରି କହିଲେ, ‘‘କାଲିକ୍ରେଟ୍‍ସ, ଆମର ବିବାହ ହେବା ପୂର୍ବରୁ ତୁମେ ମୋରି ଭଳି ଅମର ହେବା ଉଚିତ । ଆଜି ସନ୍ଧ୍ୟା ପୂର୍ବରୁ ଆମେ ବାହାରିବା; କାଲି ରାତିକୁ ଆମେ ଜୀବନର ଆଧାର ସ୍ଥାନରେ ପହଞ୍ଚିବା । ସେଠାରେ ତୁମେ ଅଗ୍ନିରେ ସ୍ନାନ କରି ଅମର ହୋଇ ଆସିବ ।’’ ଏହାପରେ ସେ ମୋତେ କହିଲେ, ‘‘ହୋଲି, ମୁଁ ତୁମ ଉପରେ ଅତ୍ୟନ୍ତ ସନ୍ତୁଷ୍ଟ । ତୁମେ ମଧ୍ୟ ଆମମାନଙ୍କ ସାଙ୍ଗରେ ଯିବ ।’’

 

ମୁଁ ମୋର ସ୍ୱାଭାବିକ ଜୀବନ କାଳକୁ ବୃଦ୍ଧି କରିବାର କଳ୍ପନା କରି ନ ଥିଲି, ଅମର ହେବା ତ ଦୂରର କଥା । କିନ୍ତୁ ମୁଁ କୌଣସି ଉତ୍ତର ନ ଦେଇ ନୀରବ ରହିଲି ।

 

ଆୟେଶା ଲିଓଙ୍କୁ ପଚାରିଲେ, ‘‘କାଲିକ୍ରେଟ୍‍ସ ତୁମେ କିପରି ଅବସ୍ଥାରେ ମୋର ସନ୍ଧାନ ନେବାକୁ ବାହାରିଲ ?’’

 

ଲିଓ ଲୁହାବାକ୍‍ସ ଓ ତହିଁରେ ଥିବା ଲେଖା ଓ ଭଗ୍ନପାତ୍ରର ବର୍ଣ୍ଣନା କରିଗଲେ ।

 

ଲିଓଙ୍କର ବର୍ଣ୍ଣନା ଶୁଣିସାରି ଆୟେଶା କହିଲେ, ‘‘ଆମେନାର୍ତ୍ତାସ ମୋତେ ଘୃଣା କରୁଥିଲା ଓ ମୋ ଉପରେ ପ୍ରତିହିଂସା ନେବାକୁ ଚାହୁଁଥିଲା ସତ; କିନ୍ତୁ ତାରି ଯୋଗୁଁ ହିଁ ତୁମେ ଏଠାକୁ ଆସିଲ ଓ ଆମର ସାକ୍ଷାତ ଘଟିଲା । ବର୍ତ୍ତମାନ ମୁଁ ତୁମ ଦେଶ ବିଷୟରେ କିଛି ଜାଣିବାକୁ ଚାହେଁ । ତୁମେ ନିଶ୍ଚୟ ନିଜ ଦେଶକୁ ଫେରିଯିବା ପାଇଁ ଇଚ୍ଛା କରୁଥିବ । ଚିରଦିନ ପାଇଁ ତୁମେ କୋର୍‍ରେ ରହିବା ମୋର ମଧ୍ୟ ଅଭିପ୍ରାୟ ନୁହେ । ମୁଁ ତୁମ ସହିତ ଏ ରାଜ୍ୟ ତ୍ୟାଗ କରି ଯିବାକୁ ପ୍ରସ୍ତୁତ । ତୁମେ ଇଂଲଣ୍ଡର ରାଜା ହୋଇ ରହିବ ।’’

 

ଲିଓ ତାଙ୍କୁ ବାଧା ଦେଇ କହିଲେ, ‘‘ଆମ ଇଂଲଣ୍ଡରେ ଜଣେ ରାଜା ଅଛନ୍ତି; ତାଙ୍କର ରାଣୀ ମଧ୍ୟ ଅଛନ୍ତି ।’’

 

‘‘ସେଥିରେ କିଛି ଯାଏ ଆସେ ନା । ତାଙ୍କୁ ତଡ଼ି ଦେଇ ବା ବିନାଶ କରି ତୁମେ ରାଜା ହେବ ।’’

 

ଆମେ ଦୁହେଁଯାକ ତାଙ୍କୁ ବୁଝାଇବାକୁ ଚେଷ୍ଟା କଲୁ ଯେ ଆମେ ଆମର ରାଜା ରାଣୀଙ୍କୁ ଭଲପାଉଁ, ଭକ୍ତି କରୁଁ । ତାଙ୍କୁ ତଡ଼ି ଦେବା ବା ବିନାଶ କରିଦେବା ଆମ କଳ୍ପନାର ଅତୀତ । କିନ୍ତୁ ସେ ଆମ ଯୁକ୍ତିର ମର୍ମ ବୁଝିଲେ ନାହିଁ । ସେ କହିଲେ, ‘‘ଏ ବଡ଼ ଅଦ୍ଭୁତ କଥା କହୁଛ । ରାଜା ଓ ରାଣୀଙ୍କୁ ଲୋକେ କିପରି ଭଲ ପାଇ ପାରିବେ ? ଭକ୍ତି କରିବେ ? ମୁଁ କୋର୍‍କୁ ଆସିବା ପରେ ପୃଥିବୀରେ ନାନା ପରିବର୍ତ୍ତନ ହେଲାଣି । ତୁମର କଥା ବୁଝିବାକୁ ମୁଁ ଅକ୍ଷମ ।’’

 

ପୁଣି ଆମେ ଆମ ଦେଶର ଶାସନପଦ୍ଧତି ଓ ଆଇନ ପ୍ରଣୟନ ପ୍ରଥା ବୁଝାଇବାକୁ ଚେଷ୍ଟା କଲୁ । ତାହା ଶୁଣି ସେ ଉପହାସ କରି କହିଲେ, ‘‘ଆଇନ ! ଆଇନ କରିବା ପାଇଁ ବିଧି ! ମୁଁ ଆଇନର ଉର୍ଦ୍ଧ୍ୱରେ । ତୁମେମାନେ ଯାଅ ଓ ସନ୍ଧ୍ୟାବେଳକୁ ବାହାରିବା ପାଇଁ ପ୍ରସ୍ତୁତ ହୁଅ ।’’

 

ଆୟେଶାଙ୍କ ସହିତ ଆମର ସାକ୍ଷାତ ଗୋଟାଏ ସ୍ଵପ୍ନ ପରି ବୋଧ ହେଲା । ଜଣେ ରାଜା ଚିରଦିନ ପାଇଁ ରହିଲେ ରାଜ୍ୟର ଅବସ୍ଥା କଅଣ ହେବ ମୁଁ କଳନା କରି ପାରିଲି ନାହିଁ ।

Image

 

କୋର୍‍ର ଧ୍ଵଂସାବଶେଷ

 

ଆୟେଶା କହିଥିଲେ ଯେ ଆମେ ଯେଉଁ ଦୂରସ୍ଥାନକୁ ଯିବାର କଥା, ସେଠାକୁ ଯାଇ ଫେରି ଆସିବାକୁ ତିନିଦିନ ଲାଗିବ । ତେଣୁ ଆମେ କେବଳ ଦୁଇସାର ପୋଷାକ ଓ ନିଜ ନିଜ ବନ୍ଧୁକ ଛଡ଼ା ଆଉ କିଛି ନେଲୁ ନାହିଁ । ସନ୍ଧ୍ୟା ପୂର୍ବରୁ ଆମେ ଆୟେଶାଙ୍କ କୋଠରି ପାଖେ ପହଞ୍ଚି ଦେଖିଲୁ, ସେ ପ୍ରସ୍ତୁତ ହୋଇ ଅଛନ୍ତି । ତାଙ୍କ ପାଇଁ ଗୋଟିଏ ଚଉକି ରହିଥିଲା । ବେହେରାମାନେ ଆସି ସାରିଥିଲେ । ବିଲେଲି ଓ ବେହେରାମାନଙ୍କ ଛଡ଼ା ଆଉ କେହି ଲୋକ ନ ଥିଲେ । ଆମର ଯିବା ବିଷୟ ଗୁପ୍ତ ରଖିବା ପାଇଁ ବ୍ୟବସ୍ଥା ହୋଇ ଥିବାର ମୁଁ ଅନୁମାନ କଲି । ଆମମାନଙ୍କ ଯିବାସକାଶେ ଚଉକି ବନ୍ଦୋବସ୍ତ ହୋଇ ନ ଥିଲା ।

ଆମେ ଏକ ପ୍ରକାଣ୍ଡ ସମଭୂମି ଅତିକ୍ରମ କଲୁ । ଏହି ସମଭୂମି ଅତି ପ୍ରାଚୀନ ଯୁଗର ଗୋଟିଏ ହ୍ରଦର ନିମ୍ନଭାଗ ଥିଲା । ପ୍ରାୟ ଅଧଘଣ୍ଟା ଚାଲିବା ପରେ ଆମେ କୋର୍ ନଗରୀର ଧ୍ଵଂସାବଶେଷର ନିକଟବର୍ତ୍ତୀ ହେଲୁ । ସେତେବେଳକୁ ସୂର୍ଯ୍ୟ ଅସ୍ତ ହୋଇ ଯାଉଥିଲେ । ଗୋଟିଏ ବୃହତ ସେତୁ ପାର ହୋଇ ଆମେମାନେ ନଗରରେ ପ୍ରବେଶ କରିବାର କଥା । ସେତୁ ଉପରେ ଚାଲିଲା ବେଳେ ଆମେ ସମ୍ମୁଖରେ ମାଇଲ ମାଇଲ ବ୍ୟାପୀ ଧ୍ଵଂସ ସ୍ତୁପମାନ ଦେଖି ପାରିଲୁ । କେତେ ବଡ଼ ଘର, କେତେ, କୁଡ଼ିଆ କେତେ ରାଜପଥ, କେତେ ବଗିଚା ସବୁ ଧ୍ଵସ୍ତ ହୋଇ ଯାଇଅଛି । କେଉଁଠାରେ ଘରର ଛାତ ପଡ଼ିଯାଇଛି, କେଉଁଠାରେ କାନ୍ଥ ପଡ଼ିଯାଇଛି; ସେଥିରେ ବନ୍ୟ ବୃକ୍ଷ ମୁଣ୍ଡ ଟେକିଛି, ଅସ୍ତଗାମୀ ସୂର୍ଯ୍ୟଙ୍କ କିରଣରେ ଏହି ବିରାଟ ଧ୍ଵଂସରାଶି ଦେଖି ମୁଁ ପ୍ରାଚୀନ କୋର୍ ନଗରୀର ଗୌରବ କଳନା କରିବାକୁ ଲାଗିଲି ।

ନଗରର କେନ୍ଦ୍ରସ୍ଥଳରେ ଏକ ବିଶାଳ ପ୍ରାସାଦର ଭଗ୍ନାବଶେଷ ଦେଖିଲୁ । ଏହା ଅନେକ ପ୍ରାଚୀରରେ ବେଷ୍ଟିତ ଥିବାର ଅନୁମିତ ହେଉଥିଲା । ଆୟେଶାଙ୍କ ବର୍ଣ୍ଣନାରୁ ଜାଣିଲୁ ଯେ ଏହା ନଗରର ଏକ ଧର୍ମ ମନ୍ଦିର ଥିଲା । ଏହି ମନ୍ଦିରର ଦ୍ଵାରଦେଶରେ ବେହେରାମାନେ ଚୌକି ରଖିଦେଲେ । ମୁଁ ଦେଖିଲି ତାଙ୍କ ଚୌକିରେ ପ୍ରାୟ ପନ୍ଦରଫୁଟ ଲମ୍ବ ଓ ଅଧଫୁଟ ଓସାରର ଗୋଟିଏ କାଠପଟା ବନ୍ଧା ହୋଇଅଛି । ଏହାର ଉଦ୍ଦେଶ୍ୟ ଜଣା ଗଲାନାହିଁ ।

ଆୟେଶା କହିଲେ, ‘‘ଏହି ମନ୍ଦିରରେ ଗୋଟିଏ ସ୍ଥାନରେ ଆଜି ରାତିରେ ଆମେ ବିଶ୍ରାମ ନେବା । ଆଜିକୁ ଦୁଇହଜାର ବର୍ଷ ପୂର୍ବେ ଥରେ ମୁଁ, କାଲିକ୍ରେଟ୍‍ସ ଓ ସେ ଇଜିପ୍‍ଟୀୟ ରମଣୀ ଏଠାକୁ ଆସିଥିଲୁ ।’’

ମନ୍ଦିର ପ୍ରାଚୀରରେ କେତୋଟି ଛୋଟ କୋଠରି ଖୋଳା ଯାଇଥିଲା । ବୋଧହୁଏ ଏକ ସମୟରେ ମନ୍ଦିରର ପ୍ରହରୀ ଏହି କୋଠରିମାନଙ୍କରେ ବାସ କରୁଥିଲେ । ଲିଓ, ଜବ୍ ଓ ମୁଁ କୋଠରି ଭିତରକୁ ଯାଇ ଆମ ପାଇଁ ଆସିଥିବା ଖାଦ୍ୟ ଖାଇଲୁ । ଆୟେଶା କେବଳ କିଛି ଫଳ ଖାଇଲେ ।

ଖାଇବା ଶେଷ ହେବାରୁ ଆୟେଶା କହିଲେ, ‘‘ଚନ୍ଦ୍ର କିରଣରେ କୋର୍ ନଗରୀର ଧ୍ଵଂସାବଶେଷ କିପରି ଦିଶେ, ତାହା ତୁମମାନଙ୍କୁ ଦେଖାଇବା ମୋର ଉଦ୍ଦେଶ୍ୟ । କୋର୍ ଅଧିବାସୀମାନଙ୍କର ଦେବତାଙ୍କୁ ମଧ୍ୟ ତୁମେ ଦେଖିବା ପାଇଁ ପାଇବ । ଆସ, ଯିବା ।’’

ଆମେ କେତେ ଭଗ୍ନପ୍ରାଚୀର, କେତେ ଛାତହୀନ ହଲ୍, କେତେ ବୃହତ୍ ଭଗ୍ନଗୃହ ଦେଖିଲୁ । ଚାରିଆଡ଼େ ନିସ୍ତବ୍‍ଧ । କେବଳ ଆମର କ୍ଷୀଣ ପାଦଧ୍ଵନି ଶୁଣା ଯାଉଥାଏ । ଶୁଭ୍ର ଚନ୍ଦ୍ରକିରଣରେ ଆମର ଛାୟା ଦେଖାଯାଉଥାଏ ।

ଶେଷରେ ଆୟେଶା କହିଲେ, ‘‘ଏଠାରେ ସବୁଠାରୁ ଆଶ୍ଚର୍ଯ୍ୟ ଜନକ ପଦାର୍ଥ ହେଉଛି, କୋର ନଗରୀର ଅଧିଷ୍ଠାତ୍ରୀ ଦେବତାଙ୍କର ମୂର୍ତ୍ତି । ଆସ, ତାଙ୍କୁ ଦେଖିବ ।’’

ଗୋଟିଏ ହତା ମଧ୍ୟରେ ବୃହଦାକାର ପଥର ଖଣ୍ଡିଏ ଦେଖାଗଲା । ଏହା ଠିକ୍ ଚତୁଷ୍କୋଣାକାର । ତାହା ଉପରେ ଏକ ବୃହତ୍ ପେଣ୍ଡୁ ସଦୃଶ କୃଷ୍ଣବର୍ଣ୍ଣର ପ୍ରସ୍ତର ଥିଲା । ଏହି ପ୍ରସ୍ତରଟିର ବ୍ୟାସ କୋଡ଼ିଏଫୁଟ ହେବ । ପ୍ରାଚୀର ଦେହରେ ଏକ ନାରୀମୂର୍ତ୍ତି ଖୋଦିତ ହୋଇଥିଲା-। ଏହି ମୂର୍ତ୍ତିର ଦୁଇଟି ପକ୍ଷ ଥିଲା । ହାତ ଦୁଇଟି ଦୁଇ ପାଖକୁ ବିସ୍ତୃତ । ଏହି ମୂର୍ତ୍ତିର ଚକ୍ଷୁ ଦୁଇଟି ଖଣ୍ଡିଏ ବସ୍ତ୍ରରେ ଆବୃତ ଥିଲା ।

ଏହି ମୂର୍ତ୍ତିର ପରିଚୟ ପଚାରିବାରୁ ଆୟେଶା କହିଲେ, ‘‘ଏ ହେଉଛନ୍ତି କୋର୍ ନଗରର ଦେବତା । ନଗରର ଲୋକେ ଏହାଙ୍କର ପୂଜା କରୁଥିଲେ । ଆସ, ଦେଖିବ ।’’

ଏହା କହି ଆୟେଶା ଆମମାନଙ୍କୁ ମୂର୍ତ୍ତିର ଖୁବ୍ ନିକଟକୁ ନେଇଗଲେ । ମୂର୍ତ୍ତିର ନିମ୍ନଦେଶରେ ଥିବା ଲେଖାକୁ ପଢ଼ି ଆୟେଶା ଆମକୁ ତାର ଅର୍ଥ ବୁଝାଇ ଦେଲେ ।

‘‘ଏ ଦେବତା ହେଉଛନ୍ତି ସତ୍ୟ । ତାଙ୍କ ଚକ୍ଷୁର ଆବରଣ ଖୋଲିଦେଲେ ସମ୍ମୁଖରେ ସତ୍ୟ ଦେଖି ପାରିବ । କିନ୍ତୁ ମୃତ୍ୟୁ ବିନା ଅନ୍ୟ କୌଣସି ଉପାୟରେ ତାଙ୍କ ଚକ୍ଷୁର ଆବରଣ ଖୋଲାଯାଇ ନ ପାରେ ।’’

ଏହି ସବୁ ବିଚିତ୍ର ଦୃଶ୍ୟ ଦେଖି ଆମେ ବିଶ୍ରାମ ନେବାପାଇଁ କୋଠରିକୁ ଫେରି ଆସିଲୁ ।

Image

 

ଅଗ୍ନି ପର୍ବତ

 

ଖୁବ୍ ଭୋରରୁ ଆୟେଶା ଯିବାପାଇଁ ପ୍ରସ୍ତୁତ ହୋଇ ବାହାରେ ରହିଥିଲେ । ଆମେ ପହଞ୍ଚିଲା ବେଳକୁ ସେ ବଡ଼ ବିଷର୍ଣ୍ଣ ଓ ଚିନ୍ତିତ ଦେଖା ଯାଉଥିଲେ । ଲିଓ ପଚାରିଲେ, ‘‘କାଲି ରାତିରେ ତୁମର ସୁନିଦ୍ରା ହୋଇଥିଲା ?’’

 

ଆୟେଶା ଉତ୍ତର କଲେ, ‘‘ନା, କାଲିକ୍ରେଟ୍‍ସ ! କାଲି ରାତିରେ ମୁଁ ଅନେକ ଦୁଃସ୍ୱପ୍ନ ଦେଖିଲି । ସେ ସବୁ ସ୍ଵପ୍ନର ଅର୍ଥ ମୁଁ ବୁଝି ପାରୁନାହିଁ । ତେବେ ମୁଁ ଜାଣେ, ମୋର କୌଣସି ଅମଙ୍ଗଳ ଘଟି ନ ପାରେ । ଆଚ୍ଛା କାଲିକ୍ରେଟ୍‍ସ, ମୋର ଯଦି କିଛି ଅମଙ୍ଗଳ ଘଟେ, ତୁମେ ମୋ କଥା ରଖିବ ତ !’’

 

ଲିଓ କିଛି ଉତ୍ତର ଦେବା ପୂର୍ବରୁ ଆମେ ବାହାରି ଯାଇ ଥିଲୁ । ବୋଧହୁଏ ଆୟେଶା ଲିଓଙ୍କଠାରୁ ପ୍ରକୃତରେ କୌଣସି ଉତ୍ତର ଆଶା କରି ନ ଥିଲେ ।

 

ଦୁଇ ପ୍ରହରବେଳେ ଆମେମାନେ ଭୋଜନ କଲୁ ଓ ଖୁବ୍ ଅଳ୍ପ ସମୟ ବିଶ୍ରାମ କରି ପୁଣି ଚାଲିଲୁ । ଦିନ ଦୁଇଟା ବେଳକୁ ଆମେ ଗୋଟିଏ ପର୍ବତର ପାଦଦେଶରେ ପହଞ୍ଚିଲୁ । ପର୍ବତଟି ପନ୍ଦରଶହ ଫୁଟରୁ ଅଧିକ ଉଚ୍ଚ ହେବ ।

 

ଆୟେଶା କହିଲେ, ‘‘ଏହି ପର୍ବତର ନାମ ହେଉଛି, ଅଗ୍ନି ପର୍ବତ । କେହି ଏହାର ନିକଟକୁ ଆସିବାକୁ ସାହସ କରନ୍ତି ନାହିଁ । ବେହେରାମାନେ ବିଲେଲିଙ୍କ ସହିତ ଏଠାରେ ଆମକୁ ଅପେକ୍ଷା କରି ରହିବେ । ଆମେ କାଲି ଦିନ ଦୁଇପ୍ରହର ବେଳକୁ ଫେରିଆସିବୁ । ଡେରି ହେଲେ ମଧ୍ୟ ସେମାନେ ଅପେକ୍ଷା କରି ରହିଥିବେ । ତୁମ ସାଥିରେ ଜବ୍ ବୋଲି ଯେଉଁ ଲୋକଟି ଅଛି, ସେ ଏମାନଙ୍କ ସଙ୍ଗେ ରହିଥାଉ । ଆମେ ଯେଉଁଠାକୁ ଯାଉଥାଏଁ, ତାର ଦୃଶ୍ୟ ଦେଖିବାକୁ ଅସାଧାରଣ ସାହସ ଦରକାର । ତାଠାରେ ସେପରି ସାହସ ନାହିଁ ।’’

 

ଏହା ଶୁଣି ଜବ୍ କହିଲା, ‘‘ମୁଁ ଅନେକ ଅଦ୍ଭୁତ ଦୃଶ୍ୟ ଦେଖିଲିଣି । ତାହାଠାରୁ ଆହୁରି ଅଦ୍ଭୁତ କଅଣ ହୋଇପାରେ ? ଏ ଲୋକମାନେ ମୋର କଥା ବୁଝି ପାରିବେ ନାହିଁ । ମୋର ଆଶଙ୍କା ହେଉଛି, ଏମାନେ ମୋ ମୁଣ୍ଡରେ କଡ଼େଇ ରଖି ମାରି ପକାଇବେ । ମୋତେ ସଙ୍ଗରେ ନିଅନ୍ତୁ ।’’

 

ମୁଁ ଜବ୍‍ର ଅଭିପ୍ରାୟ ଜଣାଇବାରୁ ଆୟେଶା ଟିକିଏ ହସି କହିଲେ, ‘‘ଆଚ୍ଛା, ସେ ଆସୁ । ଏ ପଟାଟା ସେ ନେଇ ଆମ ସଙ୍ଗରେ ଯିବ ।’’

 

ଜବ୍ କାନ୍ଧରେ ପଟାଟି ବୋହିଲା । ଲିଓ ଖାଇବା ଜିନିଷ ଓ ପାଣି ଧରିଲେ । ମୁଁ ଦୀପ ଓ ଦୀପପାଇଁ ତେଲ ଧରିଲି । ବିଲେଲି ଓ ବେହେରାମାନେ ଏହିଠାରେ ରହିଲେ ।

 

ଆୟେଶା ପାହାଡ଼ ଆଡ଼କୁ ଚାଲିଲେ । ପାହାଡ଼ର ଉଚ୍ଚତା ଓ ତୀକ୍ଷ୍‍ଣତା ଦେଖି ଆମେମାନେ କିପରି ଏହାର ଉପରକୁ ଯିବୁ ମୁଁ ଭାବିପାରିଲି ନାହିଁ ।

 

ଆୟେଶା ଦ୍ରୁତ ଗତିରେ ଆନନ୍ଦରେ ଚାଲିଥାନ୍ତି । ସେ କିଛି କଷ୍ଟ ଅନୁଭବ କଲାପରି ବୋଧ ହେଉନଥିଲା । କିନ୍ତୁ ଆମ ତିନିଜଣଙ୍କୁ ତାଙ୍କ ପଛେ ପଛେ ଯିବାକୁ ବାଧୁଥିଲା । ବିଶେଷତଃ ଜବ୍ ପଟାଟିକୁ ନେଉଥିବାରୁ ତାକୁ ସବୁଠାରୁ ବେଶି କଷ୍ଟ ହେଉଥିଲା । ତେଣୁ ବେଳେବେଳେ ଆମେ ଦୁହେଁ ତାକୁ ସାହାଯ୍ୟ କରୁଥିଲୁ ।

 

କେତେଦୂର ଯିବାପରେ ଆମେ ଦୁଇଟି ଉଚ୍ଚ ପାହାଡ଼ର ମଝିରେ ଥିବା ସରୁ ରାସ୍ତାରେ ପହଞ୍ଚିଲୁ । ଆୟେଶାଙ୍କ ପରାମର୍ଶ ଅନୁସାରେ ମୁଁ ବତୀ ଜାଳିଲି । ଏହାର ଆଲୁଅରେ ଆମେ ଯାଇ ଗୋଟିଏ ଗାତ ପାଖରେ ପହଞ୍ଚିଲୁ । ଆୟେଶା ମଧ୍ୟ ଗୋଟିଏ ବତୀ ଧରି ଆଗେ ଆଗେ ଚାଲିଲେ-। ଏଠାରୁ ଆମକୁ ଅତି ସାବଧାନରେ ଯିବାକୁ ହେଲା । ଆଗରେ କେଉଁଠାରେ ପିଥର, କେଉଁଠାରେ ଗାତ ଦେଖି ଦେଖି ନଗଲେ ଝୁଣ୍ଟି ପଡ଼ିବାର ଭୟଥିଲା ।

 

ଏହିପରି ପ୍ରାୟ ଅଧଘଣ୍ଟା ଚାଲିବା ପରେ ହଠାତ୍, କାହୁଁ ଗୋଟାଏ ପବନ ଆସି ଦୁଇଟାଯାକ ବତୀ ଲିଭାଇ ଦେଲା । ଆୟେଶା ଶବ୍ଦ କରି ଆମକୁ ବାଟ ଜଣାଉଥାନ୍ତି । ଆମେ କାନ୍ଥରେ ହାତ ମାରି ମାରି ଅନ୍ଧାରରେ ଚାଲୁଥାଉଁ । ଶେଷରେ ପାହାଡ଼ରେ ଗୋଟାଏ ଫାଟ ଦେଖାଦେଲା; ଏହି ଫାଟବାଟେ ସାମାନ୍ୟ ଆଲୁଅ ଆସୁଥିଲା । ଏହାପରେ ଆମେ ଗୋଟିଏ ପଥରର ସୁକ୍ଷ୍ମ ପ୍ରାନ୍ତରେ ପହଞ୍ଚିଲୁ । ଆୟେଶା ଏହିଠାରେ ରହିଯାଇ କହିଲେ, ‘‘କେହି ତଳକୁ ଚାହିଁନାହିଁ । ପଥ ସରୁ ଦୁଇପାଖ ଯେ କେତେ ଗଭୀର ତାହା କେହି କହି ପାରିବେ ନାହିଁ । ପବନ ମଧ୍ୟ ଉଡାଇ ନେବାର ଭୟ ଅଛି ।’’

 

ଆୟେଶା ନିର୍ଭୟରେ ଚାଲିଗଲେ, କିନ୍ତୁ ଆମେମାନେ ବସିପଡ଼ି ହାତ ଓ ପାଦ ସାହାଯ୍ୟରେ ଧୀରେ ଧୀରେ ଅଗ୍ରସର ହେଲୁ । ପ୍ରଚଣ୍ଡ ପବନ ଦେହରେ ବାଜୁଥାଏ । ଆମତଳେ ବିରାଟ ଗହ୍ୱର ।

 

ଆଗରେ ଆୟେଶା ଉତ୍ସାହ ଦେଇ ଡାକୁଥାନ୍ତି, ‘‘ଚାଲିଆସ । ପଡ଼ିଗଲେ ଚିରଦିନ ପାଇଁ ପଡ଼ିବାକୁ ହେବ । କେବଳ ସାମନାକୁ ଚାହିଁ, ପଥରକୁ ଧରି ଧରି ଚାଲିଆସ ।’’

Image

 

ଦୋଳାୟମାନ ପଥର

 

ଏହିପରି କେତେଦୂର ଗଲୁ ସ୍ମରଣ ନାହିଁ; କିନ୍ତୁ ଶେଷରେ ଏହି ପଥରର ପ୍ରାନ୍ତ ଭାଗରେ ପହଞ୍ଚିଲୁ । ଆମେ ତଳେ ଭରା ଦେଇ ରହିଥାଉ, କିନ୍ତୁ ଆୟେଶା ସମସ୍ତଙ୍କ ଆଗରେ ଛିଡ଼ା ହୋଇଥାନ୍ତି । ତାଙ୍କର ଦୀର୍ଘକେଶ ପବନରେ ଉଡ଼ୁଥାଏ । ସେ କହିଲେ,’’ଏହିଠାରେ କିଛି ସମୟ ଅପେକ୍ଷା କର । ଟିକିଏ ପରେ ଆଲୁଅ ଆସିବ ।’’

 

ଏପରି ଗଭୀର ଗହ୍ୱର ମଧ୍ୟରେ କେଉଁଠାରୁ ଆଲୁଅ ଆସିବ ମୁଁ ଭାବିପାରିଲି ନାହିଁ । କିନ୍ତୁ ତାଙ୍କ କଥା ଠିକ୍ ବୋଲି ପ୍ରମାଣିତ ହେଲା । ଅଳ୍ପ ସମୟପରେ ଏକ ରକ୍ତିମ ଆଲୋକ ରେଖା ପଡ଼ିଲା । ଆୟେଶାଙ୍କ ଦେହ ସେ ଆଲୋକରେ ଉଜ୍ଜ୍ୱଳ ଦେଖାଗଲା ।

 

ଏହି ଆଲୋକରେ ଦେଖିଲୁ ଯେ ପ୍ରାୟ ବାରଫୁଟ ଦୂରରେ ଗୋଟିଏ ପଥର ଅନ୍ୟ ଏକ ପଥରର ସୂକ୍ଷ୍ମାଗ୍ର ଉପରେ ରହିଛି । ଉପରର ପଥର ଖଣ୍ଡିକ ଗୋଲାକାର ଓ ତାହା ଦୋଳାୟମାନ ହେଉଅଛି । ସମ୍ମୁଖଭାଗର ଏହି ବାରଫୁଟ ଅତିକ୍ରମ କରିବାପାଇଁ କୌଣସି ଆଶ୍ରୟ ନାହିଁ ।

 

ଆୟେଶା କହିଲେ,’’ଶ୍ରୀଘ୍ର ପଟାଖଣ୍ଡିକ ଠେଲିଦିଅ ଯେପରିକି ତାହାର ଅଗ୍ରଭାଗ ଆରପାଖ ପଥର ଉପରେ ରହିବ । ଆଲୁଅ ବେଶିବେଳ ରହିବ ନାହିଁ । ତେଣୁ ଶୀଘ୍ର କାର୍ଯ୍ୟ କରିବା ଦରକାର ।’’

 

ଜବ୍ ପଟାଟିକୁ ଠେଲିଦେଲା । ଏହାର ଅଗ୍ରଭାଗ ଅପର ପାର୍ଶ୍ୱରେ ପଥର ଉପରେ ରହିଲା । କିନ୍ତୁ ସେ ବିସ୍ମିତ ହୋଇ କହିଲା,‘‘ହେ ଭଗବାନ, ଏହା ଉପରେ କଅଣ ଯାଇପାରିବ ।’’

 

ଏତେବେଳକୁ ମୁଁ ଜାଣିପାରିଲି ଯେ ଏହି ଉଦ୍ଦେଶ୍ୟରେ ଆୟେଶା ଏ ପଟା ଖଣ୍ଡିକ ଅଣାଇଥିଲେ ।

 

କାଠ ଖଣ୍ଡିକ ଏକ ପୋଲରୂପେ ବ୍ୟବହୃତ ହେଲା । ଆୟେଶା ଏହାଉପରେ ଚାଲିଯାଇ ଅପର ପାଖ ପଥର ଉପରେ ଛିଡ଼ାହୋଇ ପଟାଟିକୁ ଦାବି ଧରିଲେ ଓ ଆମମାନଙ୍କୁ ଜଣ ଜଣ ହୋଇ ଚାଲିଯିବାକୁ କହିଲେ । ପ୍ରଥମେ ସେ ମୋତେ ଡାକିଲେ । କିନ୍ତୁ ମୁଁ ଭୟକରି ପଟା ଉପରେ ବସି ବସି ଯିବାକୁ ଉଦ୍ୟମ କଲି । ସେ କହିଲେ,’’ତୁମର ଭୟ ହେଉଥିଲେ ଆଗେ କାଲିକ୍ରେଟ୍‍ସଙ୍କୁ ଆସିବାକୁ ଦିଅ ।’’

 

ମୋତେ ନିଜର ଭୀରୁତା ପାଇଁ ଲାଜ ମାଡ଼ିଲା । ମୁଁ ନିଜର ମାନ ରଖିବା ପାଇଁ ଯିବାକୁ ଲାଗିଲି । ମୋର ଓଜନରେ ପଟାଟା ଦବି ଯାଉଥାଏ । ମୋ ଆଖିରୁ ଜୁଳୁ ଜୁଳି ବାହାରୁଥାଏ । ଦେହରୁ ଝାଳ ବୋହୁଥାଏ । ଯାହାହେଉ ମୁଁ ପଥର ପାଖରେ ପହଞ୍ଚିଗଲି । କିନ୍ତୁ ପଥରଟା ଟଳମଳ ହେଉଥାଏ ।

 

ମୋ ପଛକୁ ଲିଓ ପଟା ଉପରେ ଚାଲି ଚାଲି ଗଲେ । ଆୟେଶା ହାତ ବଢ଼ାଇ ତାଙ୍କୁ ଟାଣି ନେଇ କହିଲେ,’’ସାବାସ୍" ।

 

ଜବ୍ ବିକଳ ହୋଇ କହିଲା,’’ମୁଁ ଯାଇ ପାରିବାର ଆଶା ଦେଖୁନାହିଁ ।’’

 

ମୁଁ କହିଲି,’’ଜବ୍, ଚାଲିଆସ । ଭୟ କରନାହିଁ । ସେପାଖେ ରହିଲେ ତୁମର ପ୍ରାଣ ରହିବ ନାହିଁ । ଆଲୁଅ ଲିଭି ଆସୁଛି । ଶୀଘ୍ର ଚାଲିଆସ ।’’ ଲିଓ ମଧ୍ୟ ଜବ୍‍କୁ ଖୁବ୍ ସାହସ ଦେଲେ ।

 

ଜବ୍ ପଟାର ଦୁଇପାଖେ ଗୋଡ଼ଦୁଇଟି ଝୁଲାଇ ହାତରେ ଭରା ଦେଇ ଧୀରେ ଧୀରେ ଆସିବାକୁ ଲାଗିଲା । ସେ ପଟା ମଝିରେ ହେଲାବେଳକୁ ଆଲୁଅ ଏକବାରେ ଦେଖାଗଲା ନାହିଁ । ମୁଁ ଓ ଲିଓ ତାକୁ ଡାକି ଉତ୍ସାହ ଦେଉଥାଉଁ । ସେ କହିଲା,’’ପଟାଟା ଟଳମଳ ହେଉଛି । ମୁଁ ପଡ଼ିଯିବି ।’’

 

ଯାହାହେଉ ସେ ଆଗେଇ ଆସିଲା । ଘୋର ଅନ୍ଧାରରେ ମଧ୍ୟ ମୁଁ ତାର ହାତଟା ଧରି ତାକୁ ଟାଣିନେଲି । ସେ ପାଖରେ ପହଞ୍ଚିଲା ବେଳକୁ ଦୈବକ୍ରମେ ପଟାଟା ଖସି ତଳେ ପଡ଼ିଗଲା । ତାହା କେତେ ଗଭୀରରେ କେଉଁଠାରେ ପଡ଼ିଲା ଆମେ କଳନା କରି ପାରିଲୁ ନାହିଁ । ଆମର ଏତିକି ସାନ୍ତ୍ୱନା ଯେ ସମସ୍ତେ ଚାଲିଆସିଛୁ । ଫେରିଲା ବେଳକୁ କିପରି ଯିବୁ, ସେକଥା ଭାବିବାକୁ ଅବସର ନଥିଲା ।

Image

 

ପ୍ରାଣର ଆଧାର ଅଗ୍ନି

 

ଆୟେଶା ପଥରଟିର ତଳକୁ ଡେଇଁପଡ଼ି ଆମମାନଙ୍କର ଜଣଜଣକର ହାତ ଧରି ତଳକୁ ନେଇଗଲେ । ସେ ସାହାଯ୍ୟ କରି ନଥିଲେ ଆମେ ଡେଇଁ ପାରି ନଥାନ୍ତୁ । ପୁଣି ବତୀ ଲାଗିଲା । ଆମେ ଗୋଟିଏ ଛୋଟ ଗୁହାରେ ଥିବାର ଦେଖିପାରିଲି । ଗୁହାର ଉପରେ ଥିଲା ସେହି ଗୋଲାକାର ପଥରଟି । ଏହିଠାରେ ଆମେ ବସି ବିଶ୍ରାମ ନେଲୁ; କିନ୍ତୁ ଆୟେଶା ଛିଡ଼ାହୋଇ କହିଲେ,’’ଏହି ଗୁହା ଭିତରେ ଜଣେ ମହାଜ୍ଞାନୀ ଲୋକ ବାସ କରୁଥିଲେ । ତାଙ୍କର ନାମ ନୁଟ୍ । ସେ ଏଠାରେ ଏକାକୀ ରହୁଥିଲେ । ପ୍ରକୃତିର ସମସ୍ତ ରହସ୍ୟ ତାଙ୍କୁ ଜଣାଥିଲା । ଆମେ ଯେତେ ଜୀବଜନ୍ତୁ ଦେଖୁଛୁ, ସେ ସମସ୍ତଙ୍କର ଜୀବନ ଅଛି । କିନ୍ତୁ ଜୀବନର ମୂଳ ଆଧାର ହେଉଛି ଯେଉଁ ଅଗ୍ନି, ସେହି ଅଗ୍ନିକୁ ନୁଟ୍ ଆବିଷ୍କାର କରିଥିଲେ । ଆମେ ସେହି ଅଗ୍ନି ପାଖକୁ ଯାଉଥାଏଁ । ସେହି ଅଗ୍ନିରେ ସ୍ନାନ କଲେ ମନୁଷ୍ୟ ଅମର ହୋଇପାରିବ । ସେ ମୋତେ ଏହି ରହସ୍ୟ ଶିକ୍ଷା ଦେଇଥିବାରୁ ମୁଁ ଅଗ୍ନି ସ୍ନାନ କରି ଅମର ହୋଇଅଛି । ଏହା ହେଉଛି ଦୁଇହଜାର ବର୍ଷ ତଳର କଥା-। ସେ ନିଜେ କିନ୍ତୁ ଅମର ହୋଇନଥିଲେ । ମୁଁ ତାଙ୍କୁ ଏଥିର କାରଣ ପଚାରିବାରୁ ସେ କହିଥିଲେ,’’ମନୁଷ୍ୟର ଜନ୍ମ ମରଣ ପାଇଁ; ମୁଁ ଅମର ହେବାକୁ ଚାହେଁନାହିଁ ।’’ ଏହାପରେ ମୋର କାଲିକ୍ରେଟ୍‍ସଙ୍କ ସହିତ ସାକ୍ଷାତ ଘଟିଲା । ମୁଁ ତାଙ୍କ ପ୍ରେମରେ ପଡ଼ି ତାଙ୍କୁ ମଧ୍ୟ ଅମର କରିବାକୁ ଏଠାକୁ ଆସିଥିଲି । କିନ୍ତୁ ସେତେବେଳକୁ ନୁଟ୍‍ଙ୍କର ମୃତ୍ୟୁ ହୋଇଥିଲା ।’’

 

ସେ ଆମ୍ଭମାନଙ୍କୁ ନୁଟ୍‍ଙ୍କର ଅସ୍ଥିକଙ୍କାଳ ଦେଖାଇ ଦେଇ ଲିଓଙ୍କୁ କହିଲେ,’’ଏଇ ହେଉଛି ନୁଟ୍‍ଙ୍କର ଦେହର ଅବଶେଷ । ହଁ, କାଲିକ୍ରେଟ୍‍ସଙ୍କ କଥା କହୁଥିଲି । ତୁମେ କାଲିକ୍ରେଟ୍‍ସ, ମୋ କଥାରେ ଅଗ୍ନିରେ ପ୍ରବେଶ କରିବାକୁ ମନା କରିଦେଲ । ମୁଁ କ୍ରୋଧରେ ତୁମର ବକ୍ଷରେ ବର୍ଚ୍ଛାର ଆଘାତ କରି ତୁମକୁ ହତ୍ୟା କଲି । ତୁମର ମୃତ୍ୟୁ ହେଲା; ମୁଁ ନ ମରି ରହିଲି । ଏଥିପାଇଁ ମୁଁ ବର୍ଷ ବର୍ଷ ଧରି ଅନୁତାପ କରି ଆସିଛି । କାଲିକ୍ରେଟ୍‍ସ, ମୁଁ ତୁମ ପାଖରୁ କିଛି ଲୁଚାଇ ରଖିବାକୁ ଚାହେଁ ନାହିଁ । ଉସ୍ତେନ ତୁମକୁ ଭଲ ପାଉଥିଲା; ସେଥିପାଇଁ ତାକୁ ହତ୍ୟା କରିଛି । ଏହି ସବୁ ଅପରାଧ ପାଇଁ ମୁଁ ତୁମକୁ କ୍ଷମା ମାଗୁଛି । ମୋତେ ତୁମେ ରାଣୀ ବୋଲି ମନେ କରନାହିଁ; ଜଣେ ସାମାନ୍ୟ ନାରୀ ରୂପରେ ମୋତେ ଗ୍ରହଣ କର ।’’

 

ଲିଓ ମନ୍ତ୍ରମୁଗ୍ଧ ହୋଇଗଲେ । ତାଙ୍କର ମନୋଭାବ ବଦଳିଗଲା । ସେ ଆୟେଶାଙ୍କର ହାତ ଧରି ତାଙ୍କର ମୁଖର ଆବରଣଟି ତଳେ ଫିଙ୍ଗି ଦେଲେ । ତାଙ୍କ ମୁହଁକୁ ନିରେଖି କହିଲେ,’’ମୁଁ ତୁମକୁ ପ୍ରେମ କରେ । ମୁଁ ଅନ୍ତରର ସହିତ ତୁମକୁ କ୍ଷମା କରୁଛି ।’’

 

ଆୟେଶା ପୁଣି କହିଲେ,’’କାଲିକ୍ରେଟ୍‍ସ, ମୁଁ ତୁମକୁ ମୋର ହୃଦୟ ଅର୍ପଣ କରୁଛି । ମୁଁ ପ୍ରତିଜ୍ଞା କରୁଛି ଯେ ଏଣିକି ମୁଁ ତୁମରି ଆଦେଶରେ ଚାଳିତ ହେବି । ଏତେ କାଳ ପରେ ତୁମକୁ ପାଇଛି । ତୁମରି ସେବାରେ ମୋର ସମୟ ଯିବ ବି । ତୁମେ ମଧ୍ୟ ମୋରି ଭଳି ଅମର ହେବ ।’’

 

ଆୟେଶା ବତୀ ଧରି ଚାଲିଲେ । ଗୁହାର ଶେଷଭାଗରେ ପାହାଚ ଥିଲା ପରି କେତେକ ପଥର ଥିଲା । ଆମେମାନେ ତାହାକୁ ଅତିକ୍ରମ କରି ଗୋଟିଏ ସରୁ ରାସ୍ତାରେ ଅଧଘଣ୍ଟା ପର୍ଯ୍ୟନ୍ତ ଚାଲିଲୁ । ଶେଷରେ ଆମେ ଏକ ପ୍ରଶସ୍ତ ସ୍ଥାନରେ ପହଞ୍ଚିଲୁ । ବୋଧହୁଏ ଏହା ଗୋଟାଏ ବିରାଟ ଗୁହା । ଏଥିରେ ଯିବାବେଳେ ଆମ ପାଦର ଶବ୍ଦ ପ୍ରତିଧ୍ଵନିତ ହେଉଥିଲା ଓ ପବନର ବେଗ ଅନୁଭୂତ ହେଉନଥିଲା ।

 

ଆମେମାନେ ନୀରବରେ ଯାଉଥାଉଁ । ସମସ୍ତଙ୍କ ଆଗରେ ଆୟେଶା । କେଉଁଠାକୁ ଯାଉଛୁ ଆମେ କଳ୍ପନା କରି ପାରୁନଥାଉଁ ଏହାପରେ ଯେଉଁବାଟେ ଗଲୁ, ସେଠାରେ କେଉଁଠାରୁ ସାମାନ୍ୟ ଆଲୋକ ପଡ଼ୁଥିଲା । ଆମେ ଆଗେଇ ଚାଲିଲୁ । କେତେବେଳେ ଆଲୋକର ତେଜ ବଢ଼ୁଥାଏ, କେତେବେଳେ ଅବା କମିଯାଉଥାଏ । ଆଲୋକର ହ୍ରାସ ବୃଦ୍ଧି ସଙ୍ଗେ ସମୁଦ୍ରକୂଳରେ ଲହରୀ ପିଟିହେଲା ପରି ଗୋଟାଏ ଶବ୍ଦ ହେଉଥାଏ ।

 

ରାସ୍ତାର ଗୋଟିଏ ପାଖକୁ ବାଟ ଭାଙ୍ଗିଗଲା ପରେ ଅନ୍ୟ ଏକ ବୃହତ୍ ଗୁହା ଦେଖାଗଲା-। ଏହି ଗୁହାରେ ଯଥେଷ୍ଟ ଆଲୁଅ ଥିଲା । ଆଲୁଅର ବର୍ଣ୍ଣ ଗୋଲାପୀ । କେଉଁଠାରୁ ଏହି ଆଲୁଅ ଆସୁଥିଲା, ଜଣାପଡ଼ୁ ନଥିଲା । ହଠାତ୍ ଏକ ଅଦ୍ଭୁତ ଘଟଣା ଘଟିଲା । ଗୁହାର ପ୍ରାନ୍ତ ଦେଶରୁ ଅଗ୍ନିର ଏକ ବିଶାଳ ପ୍ରାଚୀର ଆବିର୍ଭୂତ ହେଲା । ତାହା ସଙ୍ଗେ ସଙ୍ଗେ ଭୂମିକମ୍ପ ହେଲାପରି ଏକ ଶବ୍ଦ ଶୁଣାଗଲା । କିନ୍ତୁ ଅଳ୍ପ ସମୟ ପରେ ଏହି ପ୍ରାଚୀରାକୃତି ଅଗ୍ନିଶିକ୍ଷା ଉଭେଇ ଗଲା । ଗୁମ୍ଫା ଭିତରେ କେବଳ ପୂର୍ବ ଗୋଲାପୀ ଆଲୁଅ ରହିଲା ।

 

ଆୟେଶା ଆମମାନଙ୍କୁ ପାଖକୁ ଡାକି କହିଲେ,’’ଏହି ଅଗ୍ନି ହେଉଛି ଜୀବନର ହୃତ୍‍ପିଣ୍ଡ । ଏହାରି ଦ୍ୱାରା ଜଗତ ବଞ୍ଚି ରହିଛି । ଏହାରି ସ୍ପନ୍ଦନରେ ଜଗତର ଜୀବନର ସ୍ପନ୍ଦନ ହୁଏ ।’’

 

ଆମେମାନେ ଆୟେଶାଙ୍କ ପଛେ ପଛେ ଚାଲିଲୁ । ଯେଉଁଠାରେ ଅଗ୍ନିର ପ୍ରାଚୀର ଦେଖା ଦେଇଥିଲା, ସେଠାରେ ପହଞ୍ଚିଲା ବେଳକୁ ଆମେ ଅନ୍ତରରେ ଏକ ନୂତନ ଜୀବନ ଅନୁଭବ କଲୁ । ଏକ ଅଦ୍ଭୁତ ଶକ୍ତି ଆମ ଶରୀରରେ ପ୍ରବେଶ କଲା । ଆମେ ଯେ କି ପ୍ରକାର ଶକ୍ତି ଓ ଆନନ୍ଦ ଅନୁଭବ କଲୁ ତାହା ପ୍ରକାଶ କରି ହେବ ନାହିଁ ।

 

ଆଉ ଥରେ ସେହି ଅଗ୍ନିର ପ୍ରାଚୀର ଦେଖା ଦେଇ ଉଭେଇ ଗଲା । ଆୟେଶା ଲିଓଙ୍କୁ କହିଲେ,’’କାଲିକ୍ରେଟ୍‍ସ, ପୁଣି ଯେତେବେଳେ ଏହି ଅଗ୍ନି ଆସିବ, ସେତେବେଳେ ତୁମେ ତା ଭିତରେ ପ୍ରବେଶ କରିବ ।’’

 

ଲିଓ ଉତ୍ତରକଲେ,’’କିନ୍ତୁ ମୁଁ ପୋଡ଼ିଯିବି ନାହିଁ ତ ! ଯାହାହେଉ ମୁଁ ଅଗ୍ନିରେ ପ୍ରବେଶ କରିବି ।’’

 

ଟିକିଏ ଚିନ୍ତାକରି ଆୟେଶା କହିଲେ,’’ତୁମେ ଭୟ କରିବା ସ୍ୱାଭାବିକ । କିନ୍ତୁ ମୁଁ ଅଗ୍ନିରେ ପ୍ରବେଶ କରି ଅକ୍ଷତ ଶରୀରରେ ବାହାରି ଆସିବାର ଦେଖିଲେ, ତୁମେ ପ୍ରବେଶ କରିବ ତ ? ଥରେ ମୁଁ ଏହି ଅଗ୍ନିରେ ପ୍ରବେଶ କରି ଅମରତ୍ୱ ଲାଭ କରିଅଛି । ଆଉଥରେ ପ୍ରବେଶ କରିବାଦ୍ୱାରା ମୋର ଆୟୁଷ ବା ସୌନ୍ଦର୍ଯ୍ୟ ବୃଦ୍ଧି ପାଇଯିବ ନାହିଁ । ଯେତେବେଳେ ମୁଁ ପ୍ରଥମେ ଏଠାକୁ ଆସିଥିଲି, ସେତେବେଳେ ମୋର ଅନ୍ତରରେ ଇଜିପ୍‍ଟୀୟମାନଙ୍କ ପ୍ରତି ଘୃଣା ପୁରି ରହିଥିଲା; କିନ୍ତୁ ବର୍ତ୍ତମାନ ମୋର ଅନ୍ତର ଆନନ୍ଦ ଓ ପ୍ରେମରେ ପୂର୍ଣ୍ଣ । ହୁଏତ ଆଉଥରେ ଅଗ୍ନି ସ୍ନାନ ଫଳରେ ମୋର ଅନ୍ତର ଆହୁରି ପବିତ୍ର ଓ ପ୍ରେମମୟ ହେବ । କାଲିକ୍ରେଟ୍‍ସ, ମୋତେ ଚାହିଁଥାଅ । ତାହାପରେ ତୁମେ ଅଗ୍ନିରେ ପ୍ରବେଶ କରିବାକୁ ପ୍ରସ୍ତୁତ ହୁଅ ।’’

Image

 

ଆୟେଶାଙ୍କ ଅଗ୍ନି ସ୍ନାନ

 

ଆୟେଶା ମୁହଁର ଆବରଣ ଓ ଉପର ପୋଷାକକୁ ବାହାର କରି ତଳେ ରଖିଦେଇ ପ୍ରସ୍ତୁତ ହୋଇଗଲେ । ତାଙ୍କର ଦୀର୍ଘକେଶ ପତାକା ପରି ଉଡ଼ିବାକୁ ଲାଗିଲା । ସେ ଲିଓଙ୍କୁ ଆଲିଙ୍ଗନ କରି ନିମ୍ନ ସ୍ଵରରେ କହିଲେ,’’ପ୍ରିୟ, ମୁଁ ଯେ ତୁମକୁ କେତେକାଳ ଧରି କିପରି ଭଲପାଇ ଆସିଛି, ତାହା ଜାଣି ପାରିବ ନାହିଁ ।’’

 

ପ୍ରଚଣ୍ଡ ଝଡ଼ର ଶବ୍ଦ ପରି ଗୋଟାଏ ଶବ୍ଦ ଶୁଣାଗଲା । ଶବ୍ଦଟି ଆମର ନିକଟବର୍ତ୍ତୀ ହେବା ସଙ୍ଗେ ସଙ୍ଗେ ଅଗ୍ନି ଶିଖା ମାଡ଼ି ଆସିଲା । ଆୟେଶା ତାହା ଆଡ଼କୁ ଆଗେଇ ଗଲେ । ନିଆଁ ତାଙ୍କୁ ବେଢ଼ିଥିଲା । ଆମେ ତାଙ୍କୁ ଦେଖି ପାରୁଥାଉଁ । ସେ ନଦୀରେ ସ୍ନାନ କଲା ଭଳି ଅଗ୍ନିଶିଖାକୁ ନିଜ ଉପରେ ଫିଙ୍ଗିଥାନ୍ତି । ପାଟି ଭିତରେ ପୁରାଉଥାନ୍ତି । ମନେହେଲା, ସତେ ଅବା ଅଗ୍ନିଦେବତା ଏକ ନାରୀମୂର୍ତ୍ତି ଧରି କ୍ରୀଡ଼ା କରୁଅଛନ୍ତି । ନିଆଁ ଭିତରେ ତାଙ୍କର କେଶ ମଧ୍ୟ ଇତସ୍ତତଃ ଉଡ଼ୁଥାଏ । ଆୟେଶାଙ୍କର ସୌନ୍ଦର୍ଯ୍ୟ ଶତଗୁଣିତ ହେଲାପରି ମୋର ମନେ ହେଲା । ମୁଁ ବିସ୍ମୟରେ ସ୍ତବ୍ଧ ହୋଇଗଲି ।

 

ଟିକିଏ ପରେ ମୁଁ ଚକ୍ଷୁ ଖୋଲି ଯାହା ଦେଖିଲି ତାହା ବିଶ୍ୱାସ କରି ପାରିଲି ନାହିଁ । ଅଗ୍ନିର ପ୍ରାଚୀର ଚାଲିଯାଇଛି । ଆୟେଶା ଛିଡ଼ା ହୋଇଛନ୍ତି; କିନ୍ତୁ ତାଙ୍କର କି ପରିବର୍ତ୍ତନ ! ତାଙ୍କର ସେ ଆଲୋକ୍ୟ ସାମାନ୍ୟ ସୌନ୍ଦର୍ଯ୍ୟ କୁଆଡ଼େ ଗଲା ! ତାଙ୍କ ଓଷ୍ଠରେ ସେ ମଧୁର ହାସ୍ୟ ନାହିଁ; ଚକ୍ଷୁରେ ସେ ଜ୍ୟୋତି ନାହିଁ । ମୁଖମଣ୍ଡଳରେ ସେ ଦୀପ୍ତି ନାହିଁ । ମୁଁ ଭାବିଲି, ଏ ମୋର ଚକ୍ଷୁର ଭ୍ରମ ବା ମୋର ମସ୍ତିଷ୍କର ବିକାର ।

 

ସେ ଲିଓଙ୍କ ପାଖକୁ ଆସି ତାଙ୍କୁ ଆଲିଙ୍ଗନ କରିବାକୁ ହାତ ବଢ଼ାଇ ଦେଲେ । କିନ୍ତୁ ଏ ହାତ କୃଶ; ଏହାର ଚର୍ମଲୋଳିତ । ଚାହୁଁ ଚାହୁଁ ତାଙ୍କର ଶରୀରରେ ବାର୍ଦ୍ଧକ୍ୟର ସମସ୍ତ ଲକ୍ଷଣ ଦେଖାଗଲା । ଲିଓ ଏହି ପରିବର୍ତ୍ତନ ଲକ୍ଷ୍ୟ କରି ସ୍ତମ୍ଭୀଭୂତ ହୋଇ ରହିଲେ ।

 

ଆୟେଶା କହିଲେ,’’କାଲିକ୍ରେଟ୍‍ସ, ଆଜିର ଏ ନିଆଁ ଭିନ୍ନ ବୋଧ ହେଉଅଛି । ମୋର ଦୃଷ୍ଟିଶକ୍ତି ଏତେ କ୍ଷୀଣ ହୋଇଯାଉଅଛି ଯେ ମୁଁ ଦେଖି ପାରୁନାହିଁ । ହାତ ଏତେ ଦୁର୍ବଳ ଯେ ଏହାକୁ ଟେକିବାକୁ ଶକ୍ତି ନାହିଁ । ଏ କଅଣ ?" ଏହା କହି ସେ ନିଜ ମୁଣ୍ଡରେ ହାତ ମାରିଲେ । ମଥାର କେଶସବୁ ତଳେ ଝଡି ପଡ଼ିଲା ।

 

ଜବ୍ ଚିତ୍କାର କଲା,’’ଦେଖିଲ, ଏ କଅଣ ? ସେ ଗୋଟାଏ ବୁଢ଼ୀ ହୋଇଯାଇଛି ।’’ ସେ ଭୟ ଓ ବିସ୍ମୟରେ ଅଚେତା ହୋଇ ତଳେ ପଡ଼ିଗଲା ।

 

ଆୟେଶା ଯେ ଏକ ବୃଦ୍ଧା ରମଣୀରେ ପରିବର୍ତ୍ତିତ ହୋଇଯାଇଥିଲେ ତାହା ନିଃସନ୍ଦେହ-। ତାଙ୍କ ଦେହର ବର୍ଣ୍ଣ ଏକବାରେ ବଦଳି ଯାଇଥିଲା, ଚମ ଓହଳି ପଡ଼ିଥିଲା, ମୁହଁର ଆକାର କୁତ୍ସିତ ଦିଶୁଥିଲା । ସେ ତଳେ ବସିଗଲେ । ମାତ୍ର ଦୁଇମିନିଟ୍ ପୂର୍ବେ ଯେଉଁ ଆୟେଶା ଜଗତର ଶ୍ରେଷ୍ଠ ସୁନ୍ଦରୀ ଥିଲେ; ସେ ବର୍ତ୍ତମାନ ଏକ କଦାକାର ମୁମୂର୍ଷୁ ବୃଦ୍ଧା ।

 

ସେ ହାତରେ ଭରା ଦେଇ କ୍ଷୀଣ ସ୍ଵରରେ କହିଲେ,’’କାଲିକ୍ରେଟ୍‍ସ, ମୋର ଏ କୁତ୍ସିତ ରୂପ, ଏ ହୀନ ଅବସ୍ଥା ଦେଖି ମୋତେ ଘୃଣା କରନାହିଁ । ବରଂ ମୋତେ ଦୟା କର । ପୁଣି ମୁଁ ଜଗତକୁ ଆସିବି । ପୁଣି ମୁଁ ଅନିନ୍ଦ୍ୟ ସୁନ୍ଦରୀ ହେବି । ମୋତେ ଭୁଲି ଯିବନାହିଁ ।’’

 

ଏହିଠାରେ ଦୁଇହଜାର ବର୍ଷ ପୂର୍ବେ ଆୟେଶା କାଲିକ୍ରେଟ୍‍ସଙ୍କୁ ହତ୍ୟା କରିଥିଲେ । ଆଜି ଠିକ୍ ସେହି ସ୍ଥାନରେ ଆୟେଶା ପ୍ରାଣତ୍ୟାଗ କଲେ । ଆମ ଆଖି ଆଗରେ ଯାହା ଘଟିଗଲା, ସେଥିରେ ଆମେ ସମସ୍ତେ ଅଚେତନ ହୋଇ ତଳେ ପଡ଼ିଗଲୁ ।

Image

 

ପ୍ରାଣରକ୍ଷା ପାଇଁ ଉଦ୍ୟମ

 

ଏହିପରି ଅଚେତନ ଅବସ୍ଥାରେ କେତେବେଳଯାଏ ପଡ଼ିଥିଲି, ତାହା ମୋତେ ଜଣାନାହିଁ-। କିନ୍ତୁ ଚେତା ପାଇଁ ମୁଁ ଆଖି ଖୋଲି ଦେଖିଲି, ଜବ୍ ଓ ଲିଓ ତଳେ ପଡ଼ିଛନ୍ତି । ପାଖରେ ଆୟେଶାଙ୍କର ମୃତଦେହ । କଦାକାର ମୃତଦେହ ଉପରେ ତାଙ୍କର ଆବରଣ ବସ୍ତ୍ର ନେଇ ଢାଙ୍କି ଦେଲି ।

 

ଜବ୍ ପାଖକୁ ଯାଇ ତାକୁ ଉଠାଇବାକୁ ଚେଷ୍ଟା କଲି । କିନ୍ତୁ ଦେଖିଲି, ତାର ପିଣ୍ଡରେ ପ୍ରାଣ ନାହିଁ ।

 

ଏହି ସମୟରେ ଲିଓ ଉଠି ବସିପଡ଼ିଲେ । ତାଙ୍କ ଚେହେରାର ପରିବର୍ତ୍ତନ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ସତେ ଅବା ତାଙ୍କର ବୟସ ପଚିଶ ବର୍ଷ ବଢ଼ିଯାଇଛି । ତାଙ୍କ ମୁଣ୍ଡର ସୁନେଲି ରଙ୍ଗର ବାଳଗୁଡ଼ିକ ବରଫ ପରି ଧଳା ହୋଇଯାଇଛି ।

 

ମୁଁ ଜବ୍‍ର ମୃତ୍ୟୁ ସମ୍ବାଦ ଦେଲି । କିନ୍ତୁ ସେ ସେତେବେଳ ପର୍ଯ୍ୟନ୍ତ ପ୍ରକୃତିସ୍ଥ ହୋଇନଥିଲେ । ତେଣୁ ସେ କିଛି ନ ବୁଝିଲା ପରି କେବଳ ମୋ ମୁହଁକୁ ଚାହିଁରହିଲେ । ପରିସ୍ଥିତି ହୃଦୟଙ୍ଗମ କରିବା ପାଇଁ ତାଙ୍କୁ କିଛି ସମୟ ଲାଗିଲା ।

 

ଶେଷରେ ଲିଓ ଛିଡ଼ାହୋଇ ଜବ୍ ପାଖକୁ ଯାଇ ତାକୁ ପରୀକ୍ଷା କରି ଦେଖିଲେ । ଆମେ ଦୀପରେ ତେଲ ପୂରାଇ ଜାଳିଲୁ ।

 

ଲିଓ ଆୟେଶାଙ୍କର କେଶରୁ କିଛି ଆଣି ଛାତିରେ ଲଗାଇ ଧରିଲେ । ସେ କହିଲେ,’’ମୋର ମନେ ପଡ଼ୁଛି ତାଙ୍କୁ ଭୁଲି ନ ଯିବାପାଇଁ ଶ୍ରୀ ମୋତେ ଅନୁରୋଧ କରୁଥିଲେ । ନା, ମୁଁ ତାଙ୍କୁ କେବେ ଭୁଲି ପାରିବି ନାହିଁ । ସେ ମୋ ପାଇଁ ଦୁଇହଜାର ବର୍ଷ ଅପେକ୍ଷା କରି ରହିଥିଲେ-। ମୁଁ ତାଙ୍କ ପାଇଁ ଅପେକ୍ଷା ନ କରିବି କାହିଁକି ? ନିଶ୍ଚୟ ଅପେକ୍ଷା କରିବି ।’’

 

ଆମେ ଚାରିଜଣ ଏହି ଅଜ୍ଞାତ, ଅଗମ୍ୟ, ଅଦ୍ଭୁତ ସ୍ଥାନକୁ ଆସିଥିଲୁ । ଫେରିବାକୁ ବାହାରିଲୁ ଦୁଇଜଣ, ମୁଁ ଓ ଲିଓ ।

 

ମୁଁ ଆସିଲାବେଳେ ବାଟର ଗୋଟାଏ ଧାରଣା କରି ଆସିଥିଲି । ହାତରେ ଦୀପ ଥିଲା । ତେଣୁ ଆମେ ଗୁହାଗୁଡ଼ିକ ଅତିକ୍ରମ କରିବାରେ ବିଶେଷ କଷ୍ଟ ହେଲାନାହିଁ । କିନ୍ତୁ ଦୋଳାୟମାନ ପଥର ପାଖରେ ପହଞ୍ଚିବା ପରେ ଆମର ଜୀବନ ମରଣ ସମସ୍ୟା ଉପସ୍ଥିତ ହେଲା ।

 

ଆସିଲାବେଳେ କାଠ ପଟା ଖଣ୍ଡିକ ଆମକୁ ସାହାଯ୍ୟ କରିଥିଲା । ଏବେ ତାହା ନାହିଁ । ଆମର ଏକମାତ୍ର ଉପାୟ ଥିଲା, ଏହି ଦୀର୍ଘ ବାରଫୁଟ ପଥ ଡେଇଁ ଅତିକ୍ରମ କରିବା ।

 

ମୋର ଘଣ୍ଟା ବନ୍ଦ ହୋଇ ଯାଇଥିଲା । ସମୟ ଜାଣିବାର ଉପାୟ ନଥିଲା । କିନ୍ତୁ ମୋର ମନେହେଲା, ସୂର୍ଯ୍ୟାସ୍ତ ନିକଟ । ଏହି ସମୟରେ ଏଠାରେ ଏକ ଆଲୋକ ରେଖା ଦେଖା ଦେଇଥିଲା । ଦୁହେଁ ଅନିଶ୍ଚିତ ଆଶାରେ ସେହି ଆଲୋକ ରେଖାକୁ ଅପେକ୍ଷା କରି ରହିଲୁ ।

 

ସୌଭାଗ୍ୟବଶତଃ କିଛି ସମୟ ପରେ ଅନ୍ଧକାର ଭେଦ କରି ଗୋଟିଏ କ୍ଷୀଣ ଆଲୋକ ରେଖା ଦେଖାଦେଲା ।

 

ପାଞ୍ଚବର୍ଷ ଦିନୁ ଆଜିଯାଏ ଲିଓ ମୋ ପାଖରେ ଥିଲେ ସୁଦ୍ଧା ମୁଁ ତାଙ୍କୁ ଚୁମ୍ବନ ଦେଇନଥିଲି । କିନ୍ତୁ ଆଜି ମୁଁ ତାଙ୍କୁ ଚୁମ୍ବନ ଦେଇ କହିଲି,’’ଲିଓ ମୁଁ ଆଗେ ଡେଇଁବି । ଯଦି ମୁଁ ଆରପାଖେ ପହଞ୍ଚି ନପାରେ, ତେବେ ଏଇ ହେବ, ମୋର ଶେଷ ବିଦାୟ ।’’

 

ମୁଁ କିଛିଦୂର ପଛେଇ ଯାଇ ଅପେକ୍ଷା କଲି । ପଛପଟୁ ପବନ ଆସୁଥିବାର ଅନୁଭବ କଲାକ୍ଷଣି ମୋର ସମସ୍ତ ଶକ୍ତି ଲଗାଇ ଦୌଡ଼ିଆସି ଡେଇଁ ପଡ଼ିଲି । କିନ୍ତୁ ଅଣ୍ଟାଠାରୁ ଉପର ଅଂଶ ଆର ପାଖରେ ପଡ଼ିଲେ ହେଁ ଗୋଡ଼ ଦୁଇଟି ଝଳି ରହିଲା । ତା ତଳକୁ ଅନନ୍ତ ଗହ୍ୱର । ମୁଁ ଦୁଇହାତ ପଥର ଉପରେ ମାଡ଼ି ରହିଲି ହଠାତ୍ ଲିଓ ଡେଇଁଯାଇ ମୋ ଆଗରେ ପଡ଼ିଲେ ଓ ସଙ୍ଗେ ସଙ୍ଗେ ମୋ ହାତ ଧରି ଟାଣିନେଲେ । ଯଦି ଆଉ କିଛି ସମୟ ଡେରି ହୋଇଥାନ୍ତା ତେବେ ମୁଁ ଗଭୀର ଗର୍ତ୍ତରେ ପଡ଼ି ପ୍ରାଣ ହରାଇଥାନ୍ତି ।

 

ଡେଇଁବା ସକାଶେ ଆମେ ଦୀପଗୁଡ଼ିକୁ ଆରପାଖେ ରଖି ଦେବାକୁ ବାଧ୍ୟ ହୋଇଥିଲୁ । ତେଣୁ ଅନ୍ଧାରରେ ଯିବାକୁ ହେଲା । ତାହାଛଡ଼ା ଅନେକବେଳୁ କିଛି ଖାଇ ନ ଥିବାରୁ ଦେହ ଦୁର୍ବଳ ଲାଗୁଥିଲା । ସେଥିରେ ଡେଇଁବା ଦ୍ୱାରା ଆମକୁ ଅନେକ ଶକ୍ତି ବ୍ୟୟ କରିବାକୁ ପଡ଼ିଥିଲା । କ୍ଳାନ୍ତ ହୋଇ କିଛି ସମୟ ଶୋଇ ପଡ଼ିଲୁ । ଉଠିଲା ପରେ ଅତି ଧୀରେ ଧୀରେ ଚାଲିଲୁ । ଓଃ ! ସେ କି କଷ୍ଟ ! ଗଜେ ବାଟ ଚାଲିବା ପାଇଁ କେତେ ଶକ୍ତି ଦରକାର ହେଉଥିଲା ? ଅନ୍ଧକାର ହେତୁ ଆମର କଷ୍ଟ ବହୁଗୁଣ ବଢ଼ି ଯାଇଥିଲା ।

 

ଆମେ ହତାଶ ହୋଇ ପଡ଼ୁଥିଲୁ । ଏହି ସମୟରେ ଆଗରେ କ୍ଷୀଣ ଆଲୁଅ ଦେଖାଗଲା-। ଆମ ଦେହରେ ନୂତନ ଶକ୍ତି ପ୍ରବେଶ କଲା ।

 

ମୁଁ ଲିଓଙ୍କୁ ସାହସ ଦେଇ କହିଲି,’’ଚାଲ, ବିଲେଲି ଅପେକ୍ଷା କରି ରହିଥିବେ । ତାଙ୍କ ପାଖରେ ପହଞ୍ଚିଗଲେ ଆଉ ଚିନ୍ତା ରହିବ ନାହିଁ ।

 

ଆମର ଠିଆ ହେବାକୁ ବଳ ପାଉନଥିଲା । ଆମେ ହାତ ଓ ଆଣ୍ଠୁରେ ଭରା ଦେଇ ପାହାଡ଼ ଉପରେ ଅଗ୍ରସର ହେଲୁ । ଜଣେ ଚାକର ଆମ ଦୁହିଁଙ୍କୁ ଦେଖିପାରି ବିଲେଲିଙ୍କୁ ଖବର ଦେଲା । ବିଲେଲି ଆମ ପାଖକୁ ଦଉଡ଼ି ଆସିଲେ । ଲିଓଙ୍କୁ ଦେଖିଲାକ୍ଷଣି ସେ ବିସ୍ମିତ ହୋଇ କହିଲେ,’’ଏ କଅଣ ? ତୁମର ବାଳ ଏପରି ଧଳା ହେଲା କିପରି ?" ମୁହୂର୍ତ୍ତକ ମଧ୍ୟରେ ସେ ବୁଝିପାରିଲେ ଯେ ଆୟେଶା ଆସି ନାହାନ୍ତି । ସେ ପଚାରିଲେ’’ଆମର ରାଣୀ ଶ୍ରୀ କାହାନ୍ତି ? ତୁମ ସାଥିରେ ଜବ୍ ବୋଲି ଆଉ ଜଣେ ଯେ ଯାଇଥିଲା, ସେ କୁଆଡ଼େ ଗଲା ?"

 

ମୁଁ ସଂକ୍ଷେପରେ ଉତ୍ତର କଲି,’’ସେ ଦୁହିଁଙ୍କର ମୃତ୍ୟୁ ହୋଇଛି ।’’ ବେଶୀ କହିବାକୁ ମୋର ଶକ୍ତି ନଥିଲା ।

Image

 

ଆମେ ସ୍ଵଦେଶକୁ ଫେରିଲୁ

 

କେତେ ସମୟ ମୁଁ ଶୋଇ ପଡ଼ିଥିଲି ଜାଣିପାରି ନଥିଲି । କିନ୍ତୁ ନିଦ ଭାଜିଲା ବେଳକୁ ଦେଖିଲି ଯେ ମୁଁ ଗୋଟିଏ ପତ୍ର କୁଡ଼ିଆରେ ଶୋଇଛି ଓ ଲିଓ କୁଡ଼ିଆର ଆରପାଖରେ ଶୋଇଛନ୍ତି । ତାଙ୍କର ନିଦ ଭାଜି ନଥିଲା । ତାଙ୍କ ହାତ ଓ ମୁହଁରେ କେତେକ କ୍ଷତ ଦିଶୁଥିଲା ।

 

ମୁଁ ଆଖି ବୁଝିବାକୁ ଯାଉଥିଲି । ବିଲେଲି କହିଲେ,’’ଖୁବ୍ ଶୋଇସାରିଲଣି,’’ଆହୁରି ଶୋଇବ" ମୁଁ ପଚାରିଲି,’’କେତେ ଘଣ୍ଟା ମୁଁ ଶୋଇଛି ?"

 

ବିଲେଲି ଉତ୍ତର କଲେ,’’ପୁରା ଗୋଟିଏ ଦିନ ଓ ଗୋଟିଏ ରାତି । ଏବେ କଅଣ ସବୁ ଘଟିଲା ମୋତେ କୁହ ।’’

 

ମୁଁ ଯେତିକି କହିବା ନିତାନ୍ତ ଦରକାର ମନେକଲି ସେତିକି କହିଲି । ଶ୍ରୀଙ୍କ ମୃତ୍ୟୁର ବିସ୍ତୃତ ବର୍ଣ୍ଣନା ଦେଲି । କିନ୍ତୁ ଶ୍ରୀଙ୍କର ମୃତ୍ୟୁ ହୋଇଛି ବୋଲି ସେ ବିଶ୍ୱାସ କଲେ ନାହିଁ । ସେ କହିଲେ ବେଳେ ବେଳେ ସେ କିଛି କାଳ ପାଇଁ ଆମ ପାଖରୁ ଚାଲିଯାନ୍ତି ଅବଶ୍ୟ ମୋ ଅମଳରେ କେବେ ଯାଇନାହାନ୍ତି; କିନ୍ତୁ ମୋର ବାପାଙ୍କ ସମୟରେ ଥରେ ସେ ବାରବର୍ଷ ଯାଏ ଚାଲିଯାଇଥିଲେ । ଶୁଣାଯାଏ ଆଉ ଥରେ ସେ ଚାଳିଶବର୍ଷଯାଏ କୁଆଡ଼େ ଯାଇ ରହି ଥିଲେ । ଅନ୍ୟ ଜଣେ ନିଜକୁ ରାଣୀ ବୋଲି ପ୍ରଚାର କରିଥିଲା । କିନ୍ତୁ ଶ୍ରୀ ଫେରିଆସି ତାକୁ ବଧ କରିଥିଲେ-। ଏଥର ସେହିପରି ସେ ଯାଇଥିବେ । ତାଙ୍କର ମନହେଲେ ଫେରିଆସିବେ ।’’

 

ମୋର ପ୍ରତିବାଦ କରିବାର କାରଣ ନଥିଲା । ବିଲେଲି ପଚାରିଲେ,’’ଏବେ ବୋଧହୁଏ ତୁମେ ନିଜ ଦେଶକୁ ଯିବାପାଇଁ ଇଚ୍ଛା କରୁଥିବ । ଅବଶ୍ୟ ଏଠାରୁ ନଦୀ ପର୍ଯ୍ୟନ୍ତ ଯିବା କଷ୍ଟକର । ମୁଁ ପାଣିରେ ପଡ଼ି ମରି ଯାଇଥାନ୍ତି । ତୁମେ ମୋର ଜୀବନ ରକ୍ଷା କରିଥିଲ । ଏବେ ମୁଁ ତୁମକୁ ସାହାଯ୍ୟ କରିବି ।

 

ବିଲେଲି ଆମ ଦୁହିଁଙ୍କ ପାଇଁ ଖାଇବା ଓ ବିଶ୍ରାମର ବ୍ୟବସ୍ଥା କରିଦେଲେ । ଜଳାଭୂମି ପାର କରାଇ ଦେବାପାଇଁ ବେହେରା ଓ ଚଉକି ଯୋଗାଡ଼ ହେଲା । ସେ ବେହେରାମାନଙ୍କୁ ବିଶ୍ୱାସ କରିନପାରି ନିଜେ ଆମ ସହିତ ଆସିଲେ । ବିପଜ୍ଜନକ ଅଂଶ ପାର ହେବ ପରେ ସେ ଆମଠାରୁ ବିଦାୟନେଲେ ।

 

ଆମେ କିଛି ଦୂର ଯିବା ପରେ ଗୋଟିଏ ଗ୍ରାମରେ ପହଞ୍ଚିଲୁ । ଗ୍ରାମର ଲୋକେ ଆମକୁ ସାହାଯ୍ୟ କଲେ । କେତେଜଣ ଆମ ସାଥିରେ ଆସି ବାଟ ଦେଖାଇ ଦେଲେ । ଆମେମାନେ ଜାମ୍ବଜି ନଦୀ ବାଟେ ଡୋଲା ଗୋଆ ଉପସାଗରରେ ପହଞ୍ଚିଲୁ । ଏଠାରୁ ଜାହାଜରେ ବସି ଇଂଲଣ୍ଡକୁ ଫେରିଆସିଲୁ ।

 

ଦୁଇ ହଜାର ବର୍ଷ ତଳେ ଯେଉଁ ଘଟନାର ଆରମ୍ଭ ହୋଇଥିଲା ଏହିପରି ତାର ପରିସମାପ୍ତି ଘଟିଲା । ଭବିଷ୍ୟତ ଗର୍ଭରେ କଣ ଅଛି ତାହା କିଏ କହିପାରିବ ?

Image